ବିବାଦ ମୁକ୍ତ ହେଲା ‘ଗୃହଲକ୍ଷ୍ମୀ’ ପତ୍ରିକା: କୋର୍ଟ କହିଲେ, ସ୍ତନ୍ୟପାନ ଫଟୋ ଚିତ୍ରକର ରାଜା ରବି ବର୍ମାଙ୍କ ପେଣ୍ଟିଂ ପରି

ନୂଆଦିଲ୍ଲୀ: ଗତ କିଛି ଦିନ ହେବ ବିବାଦରେ ଫସିରହିଥିଲା ମାଲାୟାଲମ୍‌ ପତ୍ରିକା ‘ଗୃହଲକ୍ଷ୍ମୀ’। ପତ୍ରିକାର ପ୍ରଚ୍ଛଦ ପୃଷ୍ଠାରେ ଜଣେ ମହିଳା ଶିଶୁକୁ ସ୍ତନ୍ୟପାନ କରାଉଥିବାର ଫଟୋ ଛାପିବା ପରେ ଆରମ୍ଭ ହୋଇଥିଲା ବିବାଦ। ‘ସର୍ବସାଧାରଣରେ ଅଶ୍ଳୀଳତା ପ୍ରଦର୍ଶନ’ ଅଭିଯୋଗରେ ପତ୍ରିକାର ପ୍ରକାଶକ ଏବଂ ଫଟୋରେ ଥିବା ମଡେଲ୍‌ ଜିଲୁ ଜୋସେଫ୍‌ଙ୍କ ନାଁରେ ଅଭିଯୋଗ ହୋଇଥିଲା। ‘ମହିଳା ଅଶ୍ଳୀଳ ନିଷେଧ ଅଧିନିୟମ’ ଧାରା ୩ ଓ ୪ ଅନୁଯାୟୀ ଜିଲୁଙ୍କ ବିରୋଧରେ ମାମଲା ମଧ୍ୟ ରୁଜୁ କରାଯାଇଥିଲା।ତେବେ କେରଳ ହାଇକୋର୍ଟ ପତ୍ରିକା ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାୟର ହୋଇଥିବା ପିଟିସନ୍‌କୁ ଖାରଜ କରିଦେଇଛି। କୋର୍ଟଙ୍କ କହିବା ଅନୁଯାୟୀ “ଯାହାକୁ କିଛି ଲୋକ ଅଶ୍ଳୀଳତା କୁହନ୍ତି ତାହା କିଛି ଲୋକଙ୍କ ପାଇଁ କଳାତ୍ମକ ହୋଇପାରେ। ଜଣେ ଲୋକ ପାଇଁ ଯେଉଁଟା ଅଭଦ୍ରାମୀ ସେଇଟା ଅନ୍ୟ କାହା ପାଇଁ କଳାତ୍ମକ ବା ଆର୍ଟିଷ୍ଟିକ୍‌।”

ଜଷ୍ଟିସ୍ ଏଟନି ଡୋମିନିକ୍ ଏବଂ ଜଷ୍ଟିସ୍ ଦାମା ଶେଷାଦ୍ରି ନାଇଡୁ ଏହି ମାମଲାର ଶୁଣାଣି କରିଛନ୍ତି। ଏମାନେ କହିଛନ୍ତି, “ଆମକୁ ଫଟୋରେ କିଛି ଅଶ୍ଳୀଳତା ଦେଖାଗଲାନି। ଏହାର କ୍ୟାପ୍‌ସନ୍‌ରେ ମଧ୍ୟ କିଛି ଆପତ୍ତିଜନକ ବାର୍ତ୍ତା ନାହିଁ। ଆମେ ଏଇ ଫଟୋକୁ ସେମିତି ନଜରରେ ଦେଖୁଛୁ, ଯେମିତି ଆମେ ରାଜା ରବି ବର୍ମା ପରି କଳାକାରଙ୍କ ପେଣ୍ଟିଂକୁ ଦେଖୁ। ଯେମିତି ସୌନ୍ଦର୍ଯ୍ୟକୁ ଦେଖିବାର ଦୃଷ୍ଟିଭଙ୍ଗୀ ରହିଛି ସେମିତି ଅଶ୍ଳୀଳତା ମଧ୍ୟ ସମ୍ଭବତଃ ଜଣଙ୍କ ଦୃଷ୍ଟିଭଙ୍ଗୀରେ ଥାଏ।”

 

Previous ArticleNext Article

Send this to a friend