ୟୁପି ବିଜୟ ପାଇଁ ମୋଦିଙ୍କୁ ପାକିସ୍ତାନୀ ଝିଅର ଅଭିନନ୍ଦନ; ‘ଶାନ୍ତି ସେତୁ’ ହେବାକୁ ଅନୁରୋଧ

ppp

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶରେ ବିଜେପିର ଐତିହାସିକ ବିଜୟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଜଣେ ପାକିସ୍ତାନୀ ଝିଅ। ତାଙ୍କ ନାଁ ଅକୀଦତ ନାଭୀଦ। ତାଙ୍କୁ ମାତ୍ର ୧୧ ବର୍ଷ ହୋଇଛି।

ଭାରତ ଓ ପାକିସ୍ତାନ ମଧ୍ୟରେ ଶାନ୍ତିର ସେତୁ ହୋଇ ଉଭୟ ଦେଶବାସୀଙ୍କ ହୃଦୟ ଜିତିବା ଦିଗରେ ବର୍ତ୍ତମାନ ମୋଦି ଗୁରୁତ୍ୱ ଦେବା ଉଚିତ୍ ବୋଲି ସେ ତାଙ୍କ ଚିଠିରେ ଉଲ୍ଲେଖ କରିଥିବା ପାକିସ୍ତାନୀ ଟିଭି ନ୍ୟୁଜ୍ ଚ୍ୟାନେଲ୍ ‘ଡେଲିନ୍ୟୁଜ୍’ ଖବର ପ୍ରସାରଣ କରିଛି।

ଅକୀଦତ ପ୍ରଧାନମନ୍ତ୍ରୀଙ୍କୁ ପଠାଇଥିବା ଦୁଇ ପୃଷ୍ଠାର ଚିଠିରେ ଲେଖିଛନ୍ତି,“ଥରେ ମୋ ବାପା କହିଥିଲେ ଯେ ଲୋକଙ୍କ ହୃଦୟ ଜିତିବା ଏକ ବଢ଼ିଆ କାମ। ବୋଧହୁଏ ଆପଣ ଭାରତୀୟଙ୍କ ମନ ଜିଣିଛନ୍ତି। ସେଥିପାଇଁ ଆପଣ ଉତ୍ତର ପ୍ରଦେଶ ନିର୍ବାଚନ ଜିତିଛନ୍ତି। କିନ୍ତୁ ମୁଁ ଆପଣଙ୍କୁ ନିଶ୍ଚିତ କହିବି ଯେ ଯଦି ଆପଣ ଆହୁରି ଅଧିକ ଭାରତୀୟ ଓ ପାକିସ୍ତାନୀଙ୍କ ହୃଦୟ ଜିତିବାକୁ ଚାହାନ୍ତି, ତା’ହେଲେ ଆପଣଙ୍କୁ ବନ୍ଧୁତା ଓ ଶାନ୍ତି ସ୍ଥାପନ ଦିଗରେ ପଦକ୍ଷେପ ନେବାକୁ ହେବ। ଉଭୟ ଦେଶ ଭଲ ସଂପର୍କ ଆବଶ୍ୟକ କରନ୍ତି। ଆପଣ ଭାରତ ଓ ପାକିସ୍ତାନ ମଧ୍ୟରେ ଶାନ୍ତିର ସେତୁ ହୁଅନ୍ତୁ। ଚାଲନ୍ତୁ ନିଷ୍ପତ୍ତି ନେବା ଯେ ଆମେ ଗୁଳି କିଣିବା ନାହିଁ। ଆମେ ବହି କିଣିବା। ଆମେ ବନ୍ଧୁକ କିଣିବା ନାହିଁ, ଗରିବ ଲୋକଙ୍କ ପାଇଁ ଔଷଧ କିଣିବା।”

ଶାନ୍ତି ବାଛିବେ ନା ସଂଘର୍ଷ, ତାହା ଉଭୟ ଦେଶ ଉପରେ ନିର୍ଭର କରୁଛି ବୋଲି ଅକୀଦତ ଲେଖିଛନ୍ତି। ୟୁପି ନିର୍ବାଚନରେ ବିଜୟ ପାଇଁ ଅଭିନନ୍ଦନ ଜଣାଇ ସେ ଚିଠି ଶେଷ କରିଛନ୍ତି।

Previous ArticleNext Article

Send this to a friend