ମୋଦି-ଜିନ୍‌ପିଙ୍ଗଙ୍କ କରମର୍ଦ୍ଦନ ଦେଖି ଭିତରେ ଭିତରେ ଜଲୁଛି ପାକିସ୍ତାନ: ଏବେ କିଏ ରକ୍ଷା କରିବ?

ଏକାଠି ଚା ପିଇଲେ, ବୋଟିଂ କଲେ, ସଂଗୀତର ମଜା ବି ନେଲେ। ଚୀନ୍ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଦେଇଥିବା ଏଭଳି ଆତିଥ୍ୟ ପାକିସ୍ତାନକୁ କ୍ଷୁବ୍ଧ କରିଥାଇପାରେ, ତେବେ ଦୁଇ ନେତାଙ୍କ ମଧ୍ୟରେ ଭାବର ଆଦାନପ୍ରଦାନ ସମଗ୍ର ଏସିଆ ମହାଦେଶ ପାଇଁ ନୂଆ ସମ୍ଭାବନା ସୃଷ୍ଟି କରିଛି। ମାତ୍ର ୨୪ ଘଣ୍ଟା ମଧ୍ୟରେ ୬ ଥର କଥାବାର୍ତ୍ତା ହୋଇଥିଲେ ମୋଦି- ଜିନପିଙ୍ଗ। ଏହି ଆଲୋଚନା ଅନୌପଚାରିକ ଥିଲେ ମଧ୍ୟ ଅନେକ ଗୁରୁତ୍ୱପୂର୍ଣ୍ଣ ଦ୍ୱିପାକ୍ଷିକ ଓ ଅନ୍ତର୍ଜାତୀୟ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା ହୋଇଛି। ସୀମାରେ ଶାନ୍ତି ପ୍ରତିଷ୍ଠା ଓ ଆତଙ୍କବାଦ ବିରୁଦ୍ଧରେ ଲଢେଇ ଆଲୋଚନାର ଫୋକସରେ ରହିଥିଲା। ଏହା ବ୍ୟତୀତ ଦ୍ୱିପାକ୍ଷିକ ବାଣିଜ୍ୟ, ପର୍ଯ୍ୟଟନ ଓ ସାଂସ୍କୃତିକ ଆଦାନପ୍ରଦାନ କ୍ଷେତ୍ରରେ ସହଯୋଗ ନେଇ ଦୁଇ ନେତା ଆଲୋଚନା କରିଥିଲେ। ଖାସ୍ କରି ଯୁଦ୍ଧ ବିଧ୍ୱଂସ୍ତ ଆଫଗାନୀସ୍ତାନରେ ମିଳିତ ପ୍ରକଳ୍ପ ପ୍ରତିଷ୍ଠା ନେଇ ଦୁଇ ନେତାଙ୍କ ମଧ୍ୟରେ ହୋଇଥିବା ରାଜିନାମା ଆଲୋଚନାର ସବୁଠୁ ବଡ଼ ସଫଳତା ବୋଲି କୁହାଯାଉଛି।

ଶୁକ୍ରବାର ମୋଦିଙ୍କ ଚୀନ ଆଗମନ ଅବସରରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ହେଉ ଅବା ଶନିବାର ସକାଳେ ବୋଟିଂ ଓ ପରେ ଚାଏ ପେ ଚର୍ଚ୍ଚ, ଅତି ସୌହାର୍ଦ୍ଦପୂର୍ଣ୍ଣ ପରିବେଶରେ ଦୁଇ ରାଷ୍ଟମୁଖ୍ୟଙ୍କ ମଧ୍ୟରେ ଭାବ ବିନିମୟ ହୋଇଥିଲା। ଉହାନର ଏକ କ୍ଲବରେ ଚୀନ କଳାକାର ବଲିଉଡ୍ ଗୀତ ଗାଇ ମୋଦିଙ୍କ ମନୋରଂଜନ କରିଥିଲେ। ସଂପର୍କକୁ ଅଧିକ ଦୃଢ଼ କରିବା ନେଇ ଆଉ ଥରେ ଭାରତ ଆସିବା ଲାଗି ମୋଦି ଜିନପିଙ୍ଗଙ୍କୁ  ଆମନ୍ତ୍ରଣ ଦେଇଛନ୍ତି।

ଡୋକ୍ଲାମ୍ ବିବାଦକୁ ନେଇ ପୂର୍ବରୁ ଭାରତ-ଚୀନ୍ ସଂପର୍କରେ ତିକ୍ତତା ଚରମ ସୀମାରେ ପହଞ୍ଚିଥିଲା, ଅନେକ ଦିନର ମୁହାଁମୁହିଁ ସ୍ଥିତି ପରେ ଉଭୟ ରାଷ୍ଟ୍ର ପରିପକ୍ୱତା ପ୍ରଦର୍ଶନ କରିବା ସହ ଆଲୋଚନା ମାଧ୍ୟମରେ ଏହାର ସମାଧାନ ହୋଇଥିଲା। ଆଉ ଏବେ ମୋଦି- ଜିନପିଙ୍ଗ୍‌ ଆଲୋଚନା, ଦୁଇ ଦେଶ ମଧ୍ୟରେ  ଆନାସ୍ଥା ଭାବ ଦୂର କରିବା ସହ ଦ୍ୱିପାକ୍ଷିକ ସଂପର୍କକୁ ମଜଭୁତ କରିବା ଦିଗରେ ସହାୟକ ହେବ ବୋଲି କୁହାଯାଉଛି।

Previous ArticleNext Article

Send this to a friend