କନଷ୍ଟେବଳଙ୍କ ବାହାଦୂରୀ: କାନ୍ଧରେ ବୋହି ଆଣିଥିଲେ ନିଆଁରେ ଫସିଥିବା ଯୁବତୀଙ୍କୁ

mumbai,,,

ମୁମ୍ବାଇ: ମୁମ୍ବାଇର ଲୋୟର ପରେଲ ଅଞ୍ଚଳରେ ଥିବା କମଲା ମିଲ୍ସ ପରିସରରେ ନିଆଁ ଲାଗି ୧୪ ଜଣଙ୍କ ମୃତ୍ୟୁ ଘଟିଥିଲା। ଏହି ଭୟାବହ ଅଗ୍ନିକାଣ୍ଡରୁ ଲୋକଙ୍କୁ ଉଦ୍ଧାର କରିବାକୁ ସମସ୍ତେ ଲାଗି ପଡ଼ିଥିଲେ। ହେଲେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ବରେଲି ପୋଲିସ ଷ୍ଟେସନର କନଷ୍ଟେବଳ ସୁଦର୍ଶନ ସିଦ୍ଧି ଏବେ ନିଜ କାର୍ଯ୍ୟକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ନିଜ ଜୀବନକୁ ବାଜି ଲଗାଇ ହୁ ହୁ ହୋଇ ଜଳୁଥିବା ନିଆଁ ଭିତରେ ପଶି ଲୋକଙ୍କୁ ଉଦ୍ଧାର କରୁଥିବା ବେଳର ତାଙ୍କର ଏକ ଫଟୋ ଏବେ ସୋସିଆଲ ମିଡ଼ିଆରେ ପୋଷ୍ଟ ହେବା ପରେ ଭାଇରାଲ ହେବାରେ ଲାଗିଛି। ନିଆଁ ଫସି ରହିଥିବା ଜଣେ ଯୁବତୀଙ୍କୁ ସୁଦର୍ଶନ କାନ୍ଧରେ ବୋହି ଆଣୁଥିବା ଦେଖିବାକୁ ମିଳୁଛି। ତାଙ୍କର ଏହି ସାହସିକ କାର୍ଯ୍ୟପାଇଁ ଚାରିଆଡେ ପ୍ରଶଂସା କରାଯାଉଛି।

ଏପରି ସାହାସିକ କାର୍ଯ୍ୟ ପାଇଁ ମୁମ୍ବାଇ ମହାନଗର ପକ୍ଷରୁ ତାଙ୍କୁ ସମ୍ମାନିତ କରାଯିବାକୁ ସ୍ଥିର କରାଯାଇଛି। ମୁମ୍ବାଇ ମେୟର ତାଙ୍କୁ ସମ୍ମାନିତ କରିବେ ବୋଲି ଜଣାପଡିଛି।

ଏକ  ଗଣମାଧ୍ୟମକୁ ସାକ୍ଷାତକାରରେ ସଦର୍ଶନ କହିଛନ୍ତି, “ମୁଁ ଘଟଣାସ୍ଥଳରେ ପହଞ୍ଚିଲା ବେଳକୁ  କମଲା ମିଲ୍ସ ପରିସରରେ ନିଆଁ ଚାରିଆଡକୁ ବ୍ୟାପି ଯାଇଥିଲା। ଭିତରେ ଫସି ରହିଥିବା  ଲୋକଙ୍କୁ ଉଦ୍ଧାର କରିବା ପାଇଁ ଲୋକେମାନେ ଚେଷ୍ଟା କରୁଥିଲେ। ମୁଁ ଆଗ ପଛ ଚିନ୍ତା ନ କରି  ଦମକଳ ବାହିନୀ କର୍ମଚାରୀଙ୍କ ସହାଯ୍ୟରେ ମିଲ୍ସ ଭିତରକୁ ପଶି ଯାଇଥିଲି। ଉପର ମହଲାରେ  ଫଶି ରହିଥିବା ଲୋକଙ୍କୁ ଷ୍ଟେଚରରେ ଆଣିବା ସମ୍ଭବ ନଥିଲା। ଏଥିପାଇଁ ମୁଁ ଲୋକଙ୍କୁ କାନ୍ଧରେ ବୋହି ଆଣିଥିଲି।”

ସୂଚନାଯୋଗ୍ୟ, ଗୁରୁବାର ରାତି ପ୍ରାୟ ସାଢ଼େ ୧୨ଟା ବେଳେ ନିଆଁ ପ୍ରଥମେ ମୋଜୋ ବିଷ୍ଟ୍ରୋ ଲାଉଞ୍ଜରେ ଲାଗି ଥିଲା। ଦେଖୁ ଦେଖୁ ଏହା ବ୍ୟାପି ଯିବା ସହ ଉଗ୍ର ରୂପ ଧାରଣ କରିଥିଲା। ଏତେ ଜୋରରେ ନିଆଁ ଲାଗିଥିଲା ଯେ ଏହାକୁ ଲିଭାଇବା ପାଇଁ ୮ଟି ଦମକଳ ଗାଡ଼ି ଓ ୬ଟି ୱାଟର ଟ୍ୟାଙ୍କରକୁ ନିୟୋଜିତ କରାଯାଇଥିଲା। ତିନି ଘଣ୍ଟାର ପରିଶ୍ରମ ପରେ ନିଆଁକୁ ସଂପୂର୍ଣ୍ଣ ନିୟନ୍ତ୍ରଣ କରାଯାଇଥିଲା।

 

 

 

Previous ArticleNext Article

Send this to a friend