ନାବାଳିକା ବଳାତ୍କାରୀଙ୍କ ପାଇଁ ମୃତ୍ୟୁଦଣ୍ଡକୁ ମୋହର ମାରିଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ୧୨ ବର୍ଷରୁ କମ୍‌ ବୟସର ନାବାଳିକାଙ୍କ ଦୁଷ୍କର୍ମ ପାଇଁ ମୃତ୍ୟୁ ଦଣ୍ଡାଦେଶ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ଅଧ୍ୟାଦେଶ ଉପରେ ଲାଗିଛି ରାଷ୍ଟ୍ରପତିଙ୍କ ମୋହର।  ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ଏହି ଅଧ୍ୟାଦେଶକୁ ଅନୁମୋଦନ କରିଛନ୍ତି । ଗତକାଲି କେନ୍ଦ୍ର କ୍ୟାବିନେଟ POSCO ବା ପ୍ରୋଟେକ୍ସନ୍ ଅଫ୍ ଚିଲ୍ଡ୍ରେନ୍ ଫ୍ରମ୍ ସେକ୍ସୁଆଲ୍ ଅଫେନ୍ସ ଆଇନରେ ପରିବର୍ତ୍ତନ ସମ୍ପର୍କିତ ଅଧ୍ୟାଦେଶକୁ ମଞ୍ଜୁର କରିଥିଲା । ଏହା ପରେ ଅଧ୍ୟାଦେଶକୁ ରାଷ୍ଟ୍ରପତିଙ୍କ ମଂଜୁରୀ ପାଇଁ ପଠାଯାଇଥିଲା।

ଅଧ୍ୟାଦେଶ ଅନୁସାରେ ଏଣିକି ୧୨ ବର୍ଷରୁ କମ୍ ବୟସର ନାବାଳିକାଙ୍କୁ ବଳାତ୍କାର ମାମଲାରେ ଦୋଷୀଙ୍କୁ ମୃତ୍ୟୁଦଣ୍ଡ ମିଳିବ । ସେହିଭଳି ୧୬ ବର୍ଷରୁ କମ୍ ବାଳିକାଙ୍କୁ ଦୁଷ୍କର୍ମ କିମ୍ବା ଗଣଦୁଷ୍କର୍ମ କ୍ଷେତ୍ରରେ ଅଭିଯୁକ୍ତଙ୍କୁ ଆଗୁଆ ଜାମିନ୍ ମିଳି ପାରିବ ନାହିଁ। ୨ ମାସ ଭିତରେ ମାମଲାର ତଦନ୍ତ ଓ ପରବର୍ତ୍ତୀ ୨ ମାସ ଭିତରେ ବିଚାର ପ୍ରକ୍ରିୟା ଶେଷ କରିବାକୁ ଅଧ୍ୟାଦେଶରେ ଉଲ୍ଲେଖ ଅଛି । କାଠୁଆ ଓ ସୁରତରେ ଶିଶୁମାନଙ୍କୁ ଦୁଷ୍କର୍ମ  ଓ ହତ୍ୟା କରାଯିବା ପରେ ସାରା ଦେଶରେ କ୍ଷୋଭ ପ୍ରକାଶ ପାଇଥିଲା । ଏଭଳି ଘଟଣା ରୋକିବା ପାଇଁ କଠୋର ଦଣ୍ଡ ବ୍ୟବସ୍ଥା କରିବାକୁ କେନ୍ଦ୍ର ସରକାରଙ୍କ ଉପରେ ଚାପ ପଡ଼ିଥିଲା ।

Previous ArticleNext Article

Send this to a friend