ଏସି ଖରାପ ହେବାରୁ ତଣ୍ଡ ଗଣିବ ରେଲୱେ: ଯାତ୍ରୀଙ୍କୁ ୧୨ ହଜାର ଟଙ୍କା ଦେବାକୁ କୋର୍ଟ ନିର୍ଦ୍ଦେଶ

rail

ବେଙ୍ଗେଲୁର୍: ରେଳ ଯାତ୍ରା ବେଳେ ଯଦି ଆପଣ ଏସି ସୁବିଧାରୁ ବଞ୍ଚିତ ହୁଅନ୍ତି ତେବେ ଏଥିପାଇଁ ଆପଣ କ୍ଷତିପୂରଣ ଦାବି କରିପାରିବେ। ଏଥିସହ ଟିକଟ ଟଙ୍କା ଫେରସ୍ତ ନେଇ ମଧ୍ୟ ଦାବି କରାଯାଇ ପାରିବ। କାରଣ ସେବାରେ ଅବହେଳା କରିଥିବାରୁ  ଜଣେ ଯାତ୍ରୀଙ୍କୁ ୧୨,୦୦୦ ଟଙ୍କା କ୍ଷତିପୂରଣ ଦେବାକୁ ରେଳବାଇକୁ କର୍ଣ୍ଣାଟକର ଖାଉଟି ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ଦକ୍ଷିଣପଶ୍ଚିମ ରେଳବାଇକୁ ଅଦାଲତ ଏହି ନିର୍ଦ୍ଦେଶ ଦେଇଛନ୍ତି।

ସୂଚନା ଅନୁଯାୟୀ, ଡ.ଶେଖର.ଏସ୍‌. ମଇଶୁରେନ୍‌  ନାମକ ଜଣେ ଯାତ୍ରୀ ୨୦୧୫ ମାର୍ଚ୍ଚ ୯ ତାରିଖରେ ଟିପ୍ପୁ ସୁପର ଫାଷ୍ଟ ଏକ୍ସପ୍ରେସ୍‌ରେ ବେଙ୍ଗେଲୁରରୁ ମଇଶୁରକୁ ଯାତ୍ରା କରୁଥିଲେ । ଏସିବଗିରେ ସିୱାନ୍‌ କୋଚ୍‌ରେ ସେ ଯାତ୍ରା କରୁଥିବା ବେଳେ ସେଦିନ କିନ୍ତୁ ଏସି ଚାଲିନଥିଲା। ଏନେଇ ସେ ଟ୍ରେନ୍‌ରେ ଏସି ମିସ୍ତ୍ରୀଙ୍କ ଦୃଷ୍ଟିଆକର୍ଷଣ କରିଥିଲେ। ହେଲେ ଏସି ସଜଡ଼ା ହୋଇପାରି ନଥିଲା। ଏନେଇ ଯାତ୍ରୀ ଜଣକ ପରେ ଜିଲ୍ଲାଫୋରମରେ ଅଭିଯୋଗ କରିବାର ସହ କ୍ଷତିପୂରଣ ଦାବି କରିଥିଲେ। ଏହି ମାମଲାର ରେଲୱେ ପକ୍ଷରୁ ଜବାବ ରଖାଯାଇଥିଲା। ମାମଲାର ଶୁଣାଣି କରି କୋର୍ଟ ରେଲୱେକୁ ୩ ହଜାର ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ଏ ବାବଦରେ ଖର୍ଚ୍ଚ ବାବଦକୁ ଅତିରିକ୍ତ ୨୦୦୦ ଟଙ୍କା ମୋଟ ୫ ହଜାର ଟଙ୍କା କ୍ଷତିପୂରଣ ଦେବାକୁ ରେଲୱେକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଏଥିରେ ଅଭିଯୋଗକାରୀ ଖୁସି ନ ଥିଲେ। ସମ୍ପୃକ୍ତ ଯାତ୍ରୀ  ଡ.ଶେଖର ଅଧିକ କ୍ଷତିପୂରଣ ତଥା ୧୫ ହଜାର ଟଙ୍କା ଦାବି କରି କର୍ଣ୍ଣାଟକର ଷ୍ଟେଟ କନଜ୍ୟୁମର ରିଡ୍ରେସାଲ କମିଶନଙ୍କ ନିକଟରେ ଦ୍ୱାରସ୍ଥ ହୋଇଥିଲେ।

ଯୁକ୍ତି ରଖିଥିଲେ ସୁସ୍ଥ ଯାତ୍ରା ପାଇଁ ସେ ଏସି ବିଗିରେ ଟିକଟ କରିଥିଲେ। ଅପରକ୍ଷରେ ତାଙ୍କୁ ୫୮ ବର୍ଷ ହୋଇଥିବା ବେଳେ ଅସ୍ୱାସ୍ଥ୍ୟକରଭାବେ ଟ୍ରେନ୍‌ରେ ୩ ଘଣ୍ଟା  ଯାତ୍ରା କଲେ। ଏହା ଏକ ସ୍ୱାସ୍ଥ୍ୟଗତ ପ୍ରସଙ୍ଗ ହୋଇଥିବାରୁ ତାଙ୍କୁ ୧୫ ହଜାର ଟଙ୍କା ଦିଆଯାଉ ବୋଲି ସେ ଦାବି କରିଥିଲେ। କମିଶନ ଚୂଡ଼ାନ୍ତ ଶୁଣାଣି କରି ସମ୍ପୃକ୍ତ ଯାତ୍ରୀଙ୍କୁ ୧୨ ହଜାର ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ କମିଶନ ରେଲୱେକୁ ୪ ସପ୍ତାହ ଦେଇଛନ୍ତି। ଯଦି ଏହି ସମୟସୀମା ମଧ୍ୟରେ ରେଲୱେ କ୍ଷତିପୂରଣ ଦେବାରେ ଅବହେଳା କରେ ତେବେ ଦୈନିକ ୧୦୦ ଟଙ୍କା ଅଧିକ ଜରିମାନା ଦେବାକୁ ପଡ଼ିବ। ମାମଲାର ଶୁଣାରି କରି ଜଷ୍ଟିଷ ବି.ଏସ୍. ଇନ୍ଦ୍ରକଳା ଏହି ରାୟ ଦେଛନ୍ତି।

ସୌଜନ୍ୟ ଟାଇମ୍‌ସ୍ ଅଫ ଇଣ୍ଡିଆ

Previous ArticleNext Article

Send this to a friend