କେବେ, କାହାକୁ, କେଉଁଠି ଫିଙ୍ଗା ଯାଇଥିଲା ଜୋତା?

Shoes copy

ଭୁବନେଶ୍ୱର: ଗତକାଲି ବରଗଡ଼ ଜିଲ୍ଲା ବରପାଲି ନିକଟସ୍ଥ କୁମ୍ଭାରୀରେ ନିର୍ବାଚନୀ ସଭାରେ କାର୍ତ୍ତିକ ମେହେର ନାମକ ଜଣେ ଯୁବକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜୋତା ଫିଙ୍ଗି ଥିଲେ। ତେବେ ଏହା ପ୍ରଥମ ଘଟଣା ନୁହେଁ। ଏମିତି ଅଗ୍ରହଣୀୟ କାର୍ଯ୍ୟ ପୂର୍ବରୁ ବି ହୋଇଛି।  ଦେଶ ବିଦେଶର ଅନେକ ପ୍ରତିଷ୍ଠିତ ରାଜନେତାଙ୍କୁ ବି ଚପଲ ଫିଙ୍ଗା ଘଟଣାର ସାମ୍ନା କରିବାକୁ ପଡ଼ିଛି। ଆମେରିକା ରାଷ୍ଟ୍ରପତି ଜର୍ଜ ବୁଶଙ୍କଠାରୁ ଆରମ୍ଭ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲ ମଧ୍ୟ ଏଭଳି ଅଶୋଭନୀୟ ଆଚରଣର ଶିକାର ହୋଇଛନ୍ତି। ଆସନ୍ତୁ ନଜର ପକାଇବା କେଉଁ ନେତାଙ୍କୁ କିଏ ଓ କେବେ ଚପଲ ଫିଙ୍ଗି ପ୍ରତିବାଦ ଜଣାଇଥିଲେ।

୨୦୦୮ ଡିସେମ୍ବର ୧୪ ତାରିଖରେ ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ଜର୍ଜ ବୁଶଙ୍କ ଉପରକୁ ଅତର୍କିତ ଭାବେ ଜୋତା ଫିଙ୍ଗିଥିଲେ ଇରାକର ଜଣେ ସାମ୍ବାଦିକ। ଇରାକର ରାଜଧାନୀ ବାଗଦାଦରେ ଏକ ସାମ୍ବାଦିକ ସମ୍ମିଳନୀକୁ ବୁଶ୍ ସମ୍ବୋଧିତ କରୁଥିବା ବେଳେ ତାଙ୍କୁ ଲକ୍ଷ୍ୟ କରି ଦୁଇଟି ଜୋତା ଫିଙ୍ଗିଥିଲେ ମୁନ୍ତାଧର ଅଲ ଜାଇଦି। ତେବେ ଏହି ଆକ୍ରମଣରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ବୁଶ୍।  ମୁହଁଠାରୁ ମାତ୍ର କେଇଁ ଇଞ୍ଚ୍ ବ୍ୟବଧାନରେ ଜୋତା ଦୁଇଟି ଅତିକ୍ରମ କରିଥିଲା।

୨୦୦୯ ଏପ୍ରିଲ ୮ ତାରିଖରେ ତତ୍କାଳୀନ ଗୃହମନ୍ତ୍ରୀ ପି. ଚିଦାମ୍ବରମଙ୍କ ଉପରକୁ ବି ଜୋତା ଫିଙ୍ଗା ଯାଇଥିଲା। ଚିଦାମ୍ବରମ୍ ନୂଆଦିଲ୍ଲୀସ୍ଥିତ କଂଗ୍ରେସ ମୁଖ୍ୟାଳୟରେ ଏକ ପ୍ରେସମିଟକୁ ସମ୍ବୋଧନ କରୁଥିବା ବେଳେ ତାଙ୍କୁ ଜୋତା ଫିଙ୍ଗିଥିଲେ ଜଣେ ସାମ୍ବାଦିକ। ତାଙ୍କ ନାଁ ଜର୍ଣ୍ଣେଲ ସିଂ।

୨୦୦୯ ଏପ୍ରିଲ ୧୬ତାରିଖରେ ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ ବି ଏଭଳି ଘଟଣାର ସାମ୍ନା କରିଥିଲେ। ମଧ୍ୟପ୍ରଦେଶର କଟନିରେ ଏକ ଦଳୀୟ ସଭାରେ ଭାଷଣ ଦେବାକୁ ଯିବା ବେଳେ ତାଙ୍କୁ ଚପଲ ଫିଙ୍ଗିଥିଲେ ବିଜେପିର ଜଣେ ଅସନ୍ତୁଷ୍ଟ ନେତା ପାଶ୍ୱସ ଅଗ୍ରଓ୍ୱାଲ।

୨୦୦୯ ଏପ୍ରିଲରେ ଭାରତର ତତ୍‌କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଉପରକୁ ଜଣେ ଇଞ୍ଜିନିୟରିଂ ଛାତ୍ର ଚପଲ ଫିଙ୍ଗି ଥିଲେ। ଅହମଦାବାଦ୍‌ରେ ଏକ ରାଲିକୁ ସମ୍ବୋଧିତ କରୁଥିବା ବେଳେ ଛାତ୍ର ଜଣଙ୍କ ତାଙ୍କ ଉପରକୁ ଚପଲ ଫିଙ୍ଗି ଥିଲେ।

ଜମ୍ମୁ-କାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବ୍‌ଦୁଲ୍ଲା ମଧ୍ୟ ଚପଲ ଆକ୍ରମଣରୁ ବର୍ତ୍ତି ନଥିଲେ। ୨୦୧୦ ଅଗଷ୍ଟ ୧୫ ତାରିଖରେ ଜଣେ ପୋଲିସ୍‌ କନେଷ୍ଟବଲ ତାଙ୍କ ଉପରକୁ ଚପଲ ଫିଙ୍ଗିଥିଲେ।

୨୦୧୬ ସେପଟେମ୍ବର ୨୬ ତାରିଖରେ କଂଗ୍ରେସର  ଉପସଭାପତି ଥିବା ରାହୁଲ ଗାନ୍ଧିଙ୍କ ଉପରକୁ ଜଣେ ବ୍ୟକ୍ତି ଚପଲ ଫିଙ୍ଗି ଥିଲେ। ତାଙ୍କ ନାଁ ହରି ଓମ୍ ମିଶ୍ର। ଉତ୍ତର ପ୍ରଦେଶର ସୀତାପୁରରେ ରାହୁଲ ଏକ ରୋଡ୍‌ ଶୋରେ ଯୋଗ ଦେଇଥିବା ତାଙ୍କୁ ଏଭଳି ଅଭାବନୀୟ ଘଟଣାର ସାମ୍ନା କରିବାକୁ ପଡ଼ିଥିଲା।

୨୦୧୬ ଏପ୍ରିଲ ୯ ତାରିଖରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲଙ୍କ ଉପରକୁ ଚପଲ ଫିଙ୍ଗା ଯାଇଥିଲା। କେଜରିଓ୍ୱାଲ ଦିଲ୍ଲୀରେ ଏକ ପ୍ରେସମିଟରେ ଦ୍ୱିତୀୟ ପର୍ଯ୍ୟାୟ ଅଡ୍ ଇଭେନ୍ ସ୍କିମ୍ ସମ୍ପର୍କରେ ଘୋଷଣା କରୁଥିବା ବେଳେ ସବା ପଛରେ ବସିଥିବା ଆମ୍ ଆଦ୍‌ମୀ ପାର୍ଟିର ଜଣେ ବିଦ୍ରୋହୀ କର୍ମୀ ବେଦ ପ୍ରକାଶ ଶର୍ମା ତାଙ୍କୁ ଲକ୍ଷ୍ୟ କରି ପ୍ରଥମେ ଏକ ସିଡି ଓ ପରେ ଜୋତା ଫିଙ୍ଗିଥିଲେ। ତେବେ ଜୋତାଟି ତାଙ୍କ ଦେହରେ ବାଜି ନଥିଲା।

ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂ ବାଦଲଙ୍କୁ ମଧ୍ୟ ଦୁଇ ଦୁଇଥର ଚପଲ ଫିଙ୍ଗାଯାଇଛି। ସେହିପରି ଗତବର୍ଷ ଗୁଜରାଟର ଗୃହମନ୍ତ୍ରୀ ଥିବା ପ୍ରଦୀପ୍‌ ସିଂ ଜଡେଜାଙ୍କୁ ମଧ୍ୟ ଚପଲ ଫିଙ୍ଗା ଯାଇଥିଲା।

 

Previous ArticleNext Article

Send this to a friend