ଆଜି ମନେ ପଡ଼ୁଛି ୨୨ ବର୍ଷ ତଳର କଥା

ନୂଆଦିଲ୍ଲୀ: କର୍ଣ୍ଣାଟକ ବିଧାନସଭାରେ ଆସ୍ଥା ଭୋଟ୍‌ ପୂର୍ବରୁ ଶନିବାର ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦ୍ୟୁରପ୍ପା ଅଭିଭାଷଣ ଦେଇଥିଲେ। ୨୦ ମିନିଟ୍‌ର ଭାଷଣରେ ସେ ଭାବପ୍ରବଣ ହୋଇପଡ଼ିଥିଲେ। କହିଥିଲେ, “ଆସ୍ଥା ଭୋଟ୍‌କୁ ସାମ୍ନା କରିବାକୁ ମୁଁ ଚାହୁଁ ନାହିଁ, ସେଥିପାଇଁ ଇସ୍ତଫା ଦେଉଛି।” ଏହାପରେ ସେ ରାଜଭବନ ଯାଇ ରାଜ୍ୟପାଳଙ୍କୁ ଭେଟି ନିଜର ଇସ୍ତଫାପତ୍ର ପ୍ରଦାନ କରିଥିଲେ। ଏହାକୁ ନେଇ ସୋସିଆଲ୍‌ ମିଡ଼ିଆରେ ବହୁ ଲୋକ ୟେଦ୍ୟୁରପ୍ପାଙ୍କୁ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବିଜପେୟୀଙ୍କ ସହିତ ତୁଳନା କରିଛନ୍ତି। ୟେଦ୍ୟୁରପ୍ପାଙ୍କ ସହିତ ଆଜି ଯାହା ଘଟିଲା, ଠିକ୍‌ ସେମିତି ୨୨ ବର୍ଷ ତଳେ ବାଜପେୟୀଙ୍କ ସହିତ ଘଟିଥିଲା ବୋଲି ବହୁ ଲୋକ ଲେଖିଛନ୍ତି। କିନ୍ତୁ କଂଗ୍ରେସକୁ ଏହା କଥା ହଜମ ହେଉନି। କଂଗ୍ରେସର ପ୍ରବକ୍ତା ଜୟବୀର ଶେରଗିଲ କହିଛନ୍ତି ବିଏସ୍‌ ୟେଦ୍ୟୁରପ୍ପାଙ୍କୁ ବାଜପେୟୀଙ୍କ ସହିତ ତୁଳନା କରନ୍ତୁ ନାହିଁ। କାରଣ ବାଜପେୟୀ ଜଣେ ନେତା ଓ ବିଏସ୍‌ ୟେଦ୍ୟୁରପ୍ପା ଜଣେ ଭ୍ରେଷ୍ଟାଚାରୀ।

ସେ ଯାହା ହେଉନା କାହିଁକି, ୨୨ ବର୍ଷ ତଳେ ଭାରତୀୟ ରାଜନୀତିରେ ଘଟିଥିବା ଘଟଣାକୁ ହୁଏତ ଲୋକେ ଭୁଲି ଯାଇଥିବେ। ଆସନ୍ତୁ ତାହା ଉପରେ ସମ୍ୟକ ନଜର ପକାଇବା।

୨୨ ବର୍ଷ ତଳେ କ’ଣ ଘଟିଥିଲା

୧୯୯୬ରେ ହୋଇଥିଲା ଲୋକସଭା ନିର୍ବାଚନ। ଏଥିରେ ବିଜେପି ୧୬୧ ଓ କଂଗ୍ରେସ ୧୪୦ ଆସନ ପାଇଥିଲା। ୧୧ ତମ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ ବିଜେପିରୁ ଅଟଳ ବିହାରୀ ବାଜପେୟୀ। ପରେ ତାଙ୍କୁ ସଂସଦରେ ବହୁମତ ସାବ୍ୟସ୍ତ କରିବାକୁ ପଡ଼ିଥିଲା। ବହୁମତ ସାବ୍ୟସ୍ତ ପାଇଁ ୧୯୯୬ ମାର୍ଚ୍ଚ ୧୬ ତାରିଖରେ ସଂସଦରେ ଆସ୍ଥା ଭୋଟ୍‌ ହୋଇଥିଲା। ଏଥିରେ ବିଜେପି ୨୬୯ ଓ କଂଗ୍ରେସ ୨୭୦ ଭୋଟ୍‌ ପାଇଥିଲା। ଗୋଟିଏ ଭୋଟ୍‌ରେ ବାଜପେୟୀଙ୍କ ୧୩ ଦିନର ସରକାର ଭାଙ୍ଗି ଯାଇଥିଲା। ଆଉ ବାଜପେୟୀଙ୍କୁ ଇସ୍ତଫା ଦେବାକୁ ପଡ଼ିଥିଲା। ଇସ୍ତଫା ଦେବା ପୂର୍ବରୁ ସଂସଦରେ ବାଜପେୟୀ ଦେଇଥିଲେ ଭାଷଣ।

ସେ କହିଥିଲେ-“ସଂସଦରେ ଜଣେ ବ୍ୟକ୍ତିଙ୍କ ପାର୍ଟି ରହିଛି। ସେ ସବୁ ବେଳେ ଆମକୁ ପରାସ୍ତ କରିବାକୁ ଚେଷ୍ଟା କରୁଛନ୍ତି। ଆଉ ସେଥିରେ ସଫଳ ମଧ୍ୟ ହେଉଛନ୍ତି। ଏହା ତାଙ୍କର ଅଧିକାର। କିନ୍ତୁ ସେମାନେ ‘ଏକଲା ଚଲୋରେ’ ରାସ୍ତାରେ ଚାଲୁଛନ୍ତି। ଯଦି ଦେଶର ହିତ ପାଇଁ ସେମାନେ ଏକତ୍ର ହେଉଛନ୍ତି, ତାହା ସ୍ୱାଗତ ଯୋଗ୍ୟ। ଆମେ କି ଅପରାଧ କଲୁ? କାହିଁକି ଆମକୁ କାଠଗଡ଼ାରେ ଛିଡ଼ା କରାଯାଉଛି? ବର୍ଷ ବର୍ଷର ପରିଶ୍ରମ ପରେ ଆମକୁ ଏହି ଲୋକ ମତ ମିଳିଥିଲା। ଆମେ ଦେଶ ସେବା କରୁଛୁ। ସେମାନେ ୪୦ ବର୍ଷ ଧରି ଦେଶ ସେବା କରିଆସୁଛନ୍ତି। ଗୋଟିଏ ଗୋଟିଏ ସିଟ୍‌ ପାଇଥିବା ଦଳ ଶିଉଳି ପରି ମାଡ଼ି ଚାଲିଛନ୍ତି। ରାଜ୍ୟରେ ଜଣେ ଆଉ ଜଣଙ୍କ ବିରୋଧରେ ଲଢ଼ୁଛନ୍ତି। ମାତ୍ର ସେମାନେ ଦିଲ୍ଲୀ ପହଞ୍ଚିଲେ ମିଶି ଯାଉଛନ୍ତି। କିନ୍ତୁ ଆମେ ଦେଶ ସେବାରେ ନିଜକୁ ନିୟୋଜିତ କରିବୁ। କିନ୍ତୁ ଆଜି ଆଶ୍ୱାସନା ଦେବାକୁ ଚାହୁଁଛି ଯେଉଁ କାମ ଆରମ୍ଭ କରିଛି, ତାହା ପୂରା ନ ହେବା ପର୍ଯ୍ୟନ୍ତ ବିଶ୍ରାମ ନେବି ନାହିଁ। ଅଧ୍ୟକ୍ଷ ମହାଶୟ, ମୁଁ ମୋର ଇସ୍ତଫାପତ୍ର ପ୍ରଦାନ କରିବା ପାଇଁ ଯାଉଛି।”

ବାଜପେୟୀଙ୍କ ପରି କର୍ଣ୍ଣାଟକ ବିଧାନସଭାରେ ଆସ୍ଥା ଭୋଟ୍‌ ପୂର୍ବରୁ ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦ୍ୟୁରପ୍ପା ୨୦ ମିନିଟ୍‌ ଧରି ଭାଷଣ ଦେଇଥିଲେ। ସେ କହିଥିଲେ-“ରାଜ୍ୟରେ ଲୋକମତ କଂଗ୍ରେସ ଓ ଜେଡିଏସ୍‌ ବିରୋଧରେ ରହିଛି। ଯଦି ଆମକୁ ୧୧୩ ଆସନ୍‌ ମିଳିଥାଆନ୍ତି, ତାହାହେଲେ ଆଜି ଏମିତି ପରିସ୍ଥିତି ସୃଷ୍ଟି ହୋଇ ନ ଥାନ୍ତା। ଏହା ସତ୍ତ୍ୱେ ଆମେ କର୍ଣ୍ଣାଟକର ଚାଷୀ ଓ ଗରିବ ଲୋକଙ୍କ ପାଇଁ କାମ କରିବୁ। କ୍ଷମତା ଲୋଭରେ କଂଗ୍ରେସ ଓ ଜେଡିଏସ୍‌ ହାତ ମିଳାଇଛନ୍ତି। ସେମାନଙ୍କର ଏହି ମେଣ୍ଟ ସରକାର ବେଶି ଦିନ ଚାଲିବ ନାହିଁ। ଖୁବ୍‌ଶୀଘ୍ର ରାଜ୍ୟରେ ନିର୍ବାଚନ ହେବ।”

କ’ଣ ଘଟିଥିଲା

କର୍ଣ୍ଣାଟକରେ ହୋଇଥିବା ବିଧାନସଭା ନିର୍ବାଚନରେ ବିଜେପିକୁ ୧୦୪ ଆସନ ମିଳିଥିଲା। ବିରୋଧୀ କଂଗ୍ରେସ ୭୮ ଓ ଜେଡିଏସ୍‌ ୩୮ ଆସନ ଜିତିଥିଲେ। ପୂର୍ଣ୍ଣ ଫଳାଫଳ ପ୍ରକାଶ ପାଇବା ପୂର୍ବରୁ କଂଗ୍ରେସ ଓ ଜେଡିଏସ୍‌ ମେଣ୍ଟ କରିବେ ବୋଲି ଘୋଷଣା କରିଥିଲେ। ଏପରିକି ରାଜ୍ୟରେ ମନ୍ତ୍ରିମଣ୍ଡଳ ଗଢ଼ିବା ପାଇଁ ରାଜ୍ୟାପାଳଙ୍କୁ ଭେଟିବାକୁ ଯାଇଥିଲେ। ମାତ୍ର ରାଜ୍ୟପାଳ ଭେଟିବା ପାଇଁ ମନା କରିଥିଲେ। ପରେ ରାଜ୍ୟପାଳ ଏକକ ସଂଖ୍ୟା ଗରିଷ୍ଠ ଦଳ ବିଜେପିକୁ ବହୁମତ ସାବ୍ୟସ୍ତ କରିବାକୁ ୧୫ ଦିନ ସମୟ ଦେଇଥିଲେ। ଏହାକୁ ନେଇ ବିବାଦ ଦେଖାଦେଇଥିଲା। ରାଜ୍ୟପାଳଙ୍କ ଏପରି ନିଷ୍ପତ୍ତି ବିରୋଧରେ କଂଗ୍ରେସ ଓ ଜେଡିଏସ୍‌ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ରାତିରେ ଚାଲିଲା ବିଚାର। ୩ ଜଣିଆ ବେଞ୍ଚ ବିଚାର କଲେ। ଶନିବାର ୪ଟା ସୁଦ୍ଧା ବହୁ ମତ ସାବ୍ୟସ୍ତ କରିବାକୁ ବିଜେପିକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ତା’ପର ଦିନ ବିଏସ୍‌ ୟେଦ୍ୟୁରପ୍ପା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ବହୁମତ ସାବ୍ୟସ୍ତ କରିଦେବ ବୋଲି ମଧ୍ୟ ସେ କହିଥିଲେ। ଏହାକୁ ନେଇ କର୍ଣ୍ଣାଟକ ରାଜନୀତି ଉଷ୍ମ ହୋଇଥିଲା। ଘୋଡ଼ା ବେପାର ଭୟରେ କଂଗ୍ରେସ ଓ ଜେଡିଏସ୍‌ ନିଜ ବିଧାୟକଙ୍କୁ ନେଇ ହୋଟେଲ୍‌ରେ ରଖିଥିଲେ। ଶନିବାର ଆସ୍ଥା ଭୋଟ୍‌ ପୂର୍ବରୁ ୟେଦ୍ୟୁରପ୍ପା ଇସ୍ତଫା ଦେଇଥିଲେ। ଜେଡିଏସ୍‌ରୁ କୁମାର ସ୍ୱାମୀ ମୁଖ୍ୟମନ୍ତ୍ରୀ ଭାବେ ବୁଧବାର ଶପଥ ନେବେ। ତେବେ ଏଠି ପ୍ରଶ୍ନ ଉଠୁଛି ଏହି ମେଣ୍ଟ କେତେଦିନ ଚାଲିବ।

 

Previous ArticleNext Article

Send this to a friend