ପିଲାଙ୍କ ଏକାଜିଦ୍‌, ‘ସାର୍‌ ଆମକୁ ଛାଡି ଯାଆନ୍ତୁନି’

ନୂଆଦିଲ୍ଲୀ: ଭଗବାନ୍‌ ସାର୍‌ ସ୍କୁଲରୁ ଚାଲିଯିବେ! ଏ କଥା ଶୁଣି ସମସ୍ତଙ୍କ ଭିତରେ ଖେଳିଗଲା ଆଲୋଡ଼ନ। କିଏ ତାଙ୍କ ହାତ ଭିଡି ଧରିଲା ତ କିଏ ଓହଳି ପଡିଲା ବେକରେ। ପୁଣି କିଏ ଭୋ ଭୋ ହୋଇ କାନ୍ଦି ପକାଉଥାଏ। ଗୁରୁ-ଶିଷ୍ୟର ଏ ଅଭୁତପୂର୍ବ ସମ୍ପର୍କର ଦୃଶ୍ୟ ଥିଲା ବେସ୍‌ ରୋମାଞ୍ଚକର।

ବାସ୍ତବରେ ଗୁରୁ ଶିଷ୍ୟ ସଂପର୍କ ମଧ୍ୟରେ ଏତେ ଆତ୍ମୀୟତା ଥିଲା ତାହା ପ୍ରତିଟି ପିଲାର ଅଖିରେ ଦେଖିବାକୁ ମିଳିଥିଲା। ସମସ୍ତେ କେବଳ ଗୋଟିଏ କଥା କହୁଥିଲେ, ‘ସାର୍‌ ଯାଆନ୍ତୁ ନାହିଁ’। ଏଭଳି ଭାବୁକ କରିଦେବା ଭଳି ଘଟଣାଟି ଘଟିଛି ତାମିଲନାଡୁ ରାଜ୍ୟ ତିରୁୱଲୁର ସରକାରୀ ଉଚ୍ଚ ବିଦ୍ୟାଳୟରେ।  ସେଠାରେ କାର୍ଯ୍ୟରତ ଇଂରାଜୀ ଶିକ୍ଷକ ଜି.ଭଗବାନ୍‌ଙ୍କ ବଦଳି ଖବର ପରେ ସ୍କୁଲ ପରିସରର ଦୃଶ୍ୟ ଥିଲା ଏମିତି। ସରକାର ତାଙ୍କ ସ୍ଥାନାନ୍ତରଣ ଆଦେଶ ଜାରି କରିବା ପରେ ଏହାକୁ ବିରୋଧ କରିଥିଲେ ଛାତ୍ରୀଛାତ୍ର ଆଉ ଅଭିଭାବକ।

କାହିଁକି ନା ପିଲାଙ୍କୁ ଜି.ଭଗବାନ୍‌ଙ୍କ ଭିତରେ ଭଗବାନ୍‌ ଦିଶୁଥିଲେ। ପିଲାମାନେ ତାଙ୍କୁ ଏତେ ଭଲ ପାଉଥିଲେ ଯେ, ସାର୍‌ଙ୍କ ବଦଳି କଥା ଶୁଣିଲା ପରେ ସମସ୍ତେ ଭୋ ଭୋ କାନ୍ଦିଥିଲେ। ଘଟଣା ସମ୍ପର୍କରେ ଖବରକାଗଜରେ ଖବର ପ୍ରକାଶ ପାଇବା ପରେ ଶିକ୍ଷକ ଓ ପିଲାମାନଙ୍କ ଭଲପାଇବା ଦେଖି ସରକାରଙ୍କ ହୃଦୟ ତରଳି ଯାଇଥିଲା। ଏହାପରେ ଭଗବାନ୍‌ଙ୍କ ସ୍ଥାନାନ୍ତରଣ ଆଦେଶ ଉପରେ ୧୦ ଦିନ ପାଇଁ ରୋକ ଲଗାଇଛନ୍ତି ସରକାର।

ସୂଚନାଯୋଗ୍ୟ,  ଭଗବାନଙ୍କର ବେଲିଗରମ୍‌ରୁ ଅରୁଂଗୁଲମ୍‌ ହାଇସ୍କୁଲକୁ ବଦଳି କରାଯିବାର ନିର୍ଦ୍ଦେଶ ଆସିଥିଲା। ଜି.ଭଗବାନ୍‌ କହିଥିଲେ ଏହା ତାଙ୍କର ପ୍ରଥମ ଚାକିରି। ୨୦୧୪ରେ ସରକାରୀ ଉଚ୍ଚ ବିଦ୍ୟାଳୟ, ବେଲିୟାଗରମ୍‌ରେ ସ୍ନାତକ ଶିକ୍ଷକ ରୂପରେ ତାଙ୍କୁ ନିଯୁକ୍ତି ମିଳିଥିଲା। ହେଲେ ଏଠାରେ ପିଲାଙ୍କ ସଂଖା ଅନୁସାରେ ଶିକ୍ଷକଙ୍କ ସଂଖ୍ୟା ଅଧିକ ଥିଲା। ଏଥିପାଇଁ ସରକାର ତାଙ୍କୁ ତିରୁଟ୍ଟାମି ପଠେଇବାକୁ ନିଷ୍ପତ୍ତି ନେଇଥିଲେ।

Previous ArticleNext Article

Send this to a friend