ସୁପ୍ରିମକୋର୍ଟ ସଙ୍କଟ: କେଉଁଠି କ’ଣ ଅଛି କନେକ୍ସନ

Supreme

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ବିଚାରପତିଙ୍କ ବିଦ୍ରୋହ ପ୍ରସଙ୍ଗରେ ପ୍ରଧାନ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ରଙ୍କୁ ଭେଟିବ ବାର୍ କାଉନ୍‌ସିଲ ଟିମ୍ । ମତଭେଦର ବିବାଦର ଆପୋଷ ସମାଧାନ ଉଦ୍ଦେଶ୍ୟରେ ସୁପ୍ରିମକୋର୍ଟ ବାର କାଉନସିଲର ୭ ଜଣିଆ  ଟିମ ପ୍ରଧାନ ବିଚାରପତିଙ୍କୁ ସାକ୍ଷାତ କରି ଆଲୋଚନା କରିବ।  ପରେ ଟିମ୍ ପର୍ଯ୍ୟାୟକ୍ରମେ ସୁପ୍ରିମକୋର୍ଟର ଅନ୍ୟ ବରିଷ୍ଠ ବିଚାରପତିଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି । ବାର୍ କାଉନ୍ସିଲ ଟିମ୍ ଆଜି ଜଷ୍ଟିସ୍ ଚେଲମେଶ୍ୱରଙ୍କୁ ମଧ୍ୟ ଭେଟିଛି। ସେପଟେ ନ୍ୟାୟପାଳିକାର ଏହା ଆଭ୍ୟନ୍ତରୀଣ ବ୍ୟାପାର ହୋଇଥିବାରୁ ଏହାକୁ ନେଇ ରାଜନୀତି କରାଯିବା ଉଚିତ୍ ନୁହେଁ ବୋଲି କହିଛି ବାର କାଉନସିଲ।    ସେପଟେ ୪ ବିଦ୍ରୋହୀ ବିଚାରପତି ମଧ୍ୟ ମୁଖ୍ୟ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କୁ ଭେଟିବାର ସମ୍ଭାବନା ରହିଛି।

ସେପଟେ ବହୁଚର୍ଚ୍ଚିତ ସିବିଆଇ ବିଚାରପତି ଜଷ୍ଟିସ୍ ବି.ଏଚ୍. ଲୋୟାଙ୍କ ମୃତ୍ୟକୁ ନେଇ ମୁହଁ ଖୋଲିଛି ତାଙ୍କ ପରିବାର।  ତାଙ୍କ ବାପାଙ୍କ ମୃତ୍ୟୁରେ ପରିବାର ମର୍ମାହତ ଓ ଏହାକୁ ନେଇ ରାଜନୀତି କରାଯାଉଥିବାରୁ ତାକୁ ନାପସନ୍ଦ କରିଛନ୍ତି ଜଷ୍ଟିସ୍ ଲୋୟାଙ୍କ ପୁଅ ଅନୁଜ ଲୋୟା।  ବିବାଦରୁ ତାଙ୍କ ପରିବାରକୁ ଦୂରେଇ ରଖିବାକୁ ସେ ଅନୁରୋଧ କରିଛନ୍ତି। ଅନ୍ୟପଟେ ଜଷ୍ଟିସ୍ ଲୋୟାଙ୍କ ମୃତ୍ୟୁ ସ୍ୱାଭାବିକ୍‌ ଥିଲା ବୋଲି ତାଙ୍କ ପାରିବାରିକ ଓକିଲ କହିଛନ୍ତିା ଜଷ୍ଟିସ ଲୋୟାଙ୍କ ମୃତ୍ୟୁ  ରହସ୍ୟର ତଦନ୍ତ ପ୍ରସଙ୍ଗକୁ ନେଇ ସୁପ୍ରିମକୋର୍ଟର ୪ ବରିଷ୍ଠ ବିଚାରପତିଙ୍କ ବିଦ୍ରୋହର ଠିକ୍ ଦୁଇ ଦିନ ପରେ ଏପରି ବୟାନକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଜଷ୍ଟିସ୍ ବିଏଚ୍ ଲୋୟା ବହୁ ଚର୍ଚ୍ଚିତ ସୋରାବୁଦ୍ଦିନ ଏନ୍‌କାଉଣ୍ଟର ମାମଲାର କରୁଥିଲେ ଯାଞ୍ଚ । ଏଥିରେ ବିଜେପି ସଭାପତି ଅମିତ୍ ଶାହ ଅଭିଯୁକ୍ତ ଥିଲେ।

ସେପଟେ ପ୍ରଧାନ ବିଚାରପତିଙ୍କ ଉପରେ ସୁପ୍ରିମକୋର୍ଟର ୪ ବରିଷ୍ଠ ବିଚାରପତି ଖୋଲାଖୋଲି ଅସନ୍ତୋଷ ପ୍ରକାଶ କରିବା ପରେ ଏବେ ସୁପ୍ରିମକୋର୍ଟ ଓ ହାଇକୋର୍ଟ ବିଚାରପତିଙ୍କ ନିଯୁକ୍ତିର ପ୍ରକ୍ରିୟା କେମିତି ହେବ ? ତାକୁ ନେଇ ଚର୍ଚ୍ଚା।  କାରଣ କଲେଜଜିଅମରେ ମତଭେଦ ହେଲେ କ’ଣ କରାଯିବ, ତାକୁ ନେଇ ପ୍ରଶ୍ନ ।  କୌଣସି ବିଚାରପତିଙ୍କ ନିଯୁକ୍ତିକୁ ନେଇ ଯଦି କଲେଜଜିଅମରେ ମତଭେଦ ହୁଏ, ତାକୁ ରାଷ୍ଟ୍ରପତିଙ୍କ ପାଖକୁ ପଠା ଯାଇପାରେ ଏବଂ ତାଙ୍କ ପରାମର୍ଶକୁ କଲେଜିଅମ ମାନିବାକୁ ବାଧ୍ୟ। ଏପରି ନିୟମ କରାଯାଇପାରେ ବୋଲି ଶୁଣାଯାଉଛି।  ବର୍ତ୍ତମାନର ନିୟମ ଅନୁସାରେ ହାଇକୋର୍ଟ ଓ ସୁପ୍ରିମକୋର୍ଟ ବିଚାରପତିଙ୍କୁ କଲେଜିଅମ ମନୋନୀତ କରିଥାନ୍ତି। ଏହି କଲେଜିଅମରେ  ଥାଆନ୍ତି ପ୍ରଧାନ ବିଚାରପତି ଓ ୪ ଜଣ ବରିଷ୍ଠ ବିଚାରପତି।   ବିଚାରପତିଙ୍କ ନିଯୁକ୍ତି ଲାଗି କେନ୍ଦ୍ର ସରକାର NJAC ଗଠନ ଲାଗି ନିୟମ କରିଥିଲେ ମଧ୍ୟ ତାକୁ ଅସାମ୍ବିଧାନିକ କହି ଖାରଜ କରିଦେଇଥିଲେ ସୁପ୍ରିମକୋର୍ଟ ।

 

Previous ArticleNext Article

Send this to a friend