ରୋକ୍ ଲଗାଇବାକୁ ମନା କଲେ ସୁପ୍ରିମ୍‌କୋର୍ଟ; ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ୟେଦ୍ୟୁରପ୍ପା

yeddyurappa (1)

ନୂଆଦିଲ୍ଲୀ:  ବି.ଏସ୍ ୟେଦ୍ୟୁରପ୍ପାଙ୍କ ପାଇଁ ରାସ୍ତା ସଫା ହୋଇଗଲା। ଆଜି ସକାଳ ୯ଟାରେ ସେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। କାରଣ ୟେଦ୍ୟୁରପ୍ପାଙ୍କ ଶପଥ ଗ୍ରହଣ ଉପରେ ରୋକ୍ ଲଗାଇବା ପାଇଁ ସୁପ୍ରିମ୍‌କୋର୍ଟ ମନା କରି ଦେଇଛନ୍ତି। ତେବେ ୟେଦ୍ୟୁରପ୍ପା ଉଭୟ ୧୫ ଓ ୧୬ ତାରିଖରେ ରାଜ୍ୟପାଳଙ୍କୁ ଦେଇଥିବା ଚିଠି କୋର୍ଟଙ୍କ ନିକଟରେ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଚିଠିରେ ତାଙ୍କ ପ୍ରତି ସମର୍ଥନ ଥିବା ବିଧାୟକଙ୍କ ନାଁ ରହିଛି। ଏନେଇ ପରବର୍ତ୍ତୀ ଶୁଣାଣି ଆସନ୍ତାକାଲି ସାଢ଼େ ୧୦ଟାରେ ହେବ।

ସରକାର ଗଠନ ପାଇଁ କର୍ଣ୍ଣାଟକ ରାଜ୍ୟପାଳ ୟେଦ୍ୟୁରପ୍ପାଙ୍କୁ ଆମନ୍ତ୍ରିତ କରିବା ପରେ ତାଙ୍କ ଶପଥ ଗ୍ରହଣ ଉପରେ ରୋକ୍ ଲଗାଇବା ପାଇଁ ବୁଧବାର ରାତି ପ୍ରାୟ ୧୦ଟା ୪୫ରେ ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ କଂଗ୍ରେସ ଓ ଜେଡିଏସ୍। ରାତିରେ ହିଁ ଏହି ଆବେଦନ ଉପରେ ଶୁଣାଣି କରିବା ପାଇଁ ଉଭୟ ଦଳ କୋର୍ଟଙ୍କ ନିକଟରେ ଆବେଦନ କରିଥିଲେ। ସୁପ୍ରିମ୍‌କୋର୍ଟର ମୁଖ୍ୟ ବିଚାରପତି ଏହି ଆବେଦନକୁ ଗ୍ରହଣ କରିବା ସହିତ ଏକ ତିନି ଜଣିଆ ବେଞ୍ଚ୍ ଏହି ଶୁଣାଣି କରିବେ ବୋଲି କହିଥିଲେ। ରାତି ଗୋଟାଏ ୪୫ ମିନିଟିରେ ସର୍ବୋଚ୍ଚ ନ୍ୟାୟାଳୟର କୋର୍ଟ ନମ୍ବର ୬ରେ ଏହାର ଶୁଣାଣି ଆରମ୍ଭ ହୋଇଥିଲା।  ଜଷ୍ଟିସ୍ ଅଶୋକ ଭୂଷଣ, ଜଷ୍ଟିସ୍ ଅର୍ଜନ କୁମାର ସୀକରୀ ଓ ଜଷ୍ଟିସ୍ ଅରବିନ୍ଦ ବୋବେଡ଼ ଏହାର ଶୁଣାଣି କରିଥିଲେ।

କଂଗ୍ରେସ ପକ୍ଷରୁ ଅଭିଷେକ ମନୁ ସିଙ୍ଘଭି କୋର୍ଟଙ୍କ ଆଗରେ ଯୁକ୍ତି ବାଢ଼ିଥିଲେ ୟେଦ୍ୟୁରପ୍ପାଙ୍କ ଶପଥ ଗ୍ରହଣ ଉପରେ ରୋକ୍ ଲଗାଇବା ପାଇଁ। ଯୁକ୍ତି ଉପସ୍ଥାପନ କରିବା ବେଳେ ସିଙ୍ଘଭି ଗୋଆର ଉଦାହରଣ ଦେଇଥିଲେ। ସେ କହିଥିଲେ, ୨୦୧୭ରେ ବିଜେପି ଗୋଆରେ ସରକାର ଗଢ଼ିବା ପାଇଁ ଯେଉଁ ପଦକ୍ଷେପ ନେଇଥିଲା ତାହାକୁ ସୁପ୍ରିମ୍‌କୋର୍ଟ ଠିକ୍ ବୋଲି ଦର୍ଶାଇଥିଲେ। ସେତେବେଳେ ଗୋଆରେ ସବୁଠୁ ବଡ଼ ଦଳ ଭାବେ କଂଗ୍ରେସ ଉଭା ହୋଇଥିଲା। କିନ୍ତୁ ନିର୍ବାଚନ ପରେ ହୋଇଥିବା ମେଣ୍ଟ ପରେ ବିଜେପିକୁ ସରକାର ଗଠନ କରିବା ସୁଯୋଗ ଦିଆଯାଇଥିଲା। ଏନେଇ ସେ ମେଘାଳୟ ଓ ଝାଡ଼ଖଣ୍ଡର ବି ଉଦାହରଣ ଦେଇଥିଲେ। ଏଠାରେ ବି ନିର୍ବାଚନ ପରେ ମେଣ୍ଟ ହୋଇଥିଲା। ସେହିଭଳି ବହୁମତ ସାବ୍ୟସ୍ତ କରିବା ପାଇଁ ୟେଦ୍ୟୁରପ୍ପାଙ୍କୁ ରାଜ୍ୟପାଳ ୧୫ ଦିନ ସମୟ ଦେବା ଉପରେ ମଧ୍ୟ ସେ ପ୍ରଶ୍ନ କରିଥିଲେ। ୟେଦ୍ୟୁରପ୍ପା ବହୁମତ ସାବ୍ୟସ୍ତ କରିବାକୁ ୭ ଦିନ ସମୟ ମାଗିଥିବା ବେଳେ ରାଜ୍ୟପାଳ କାହିଁକି ୧୫ ଦିନ ଦେଇଛନ୍ତି ବୋଲି ସିଙ୍ଘଭି ପ୍ରଶ୍ନ କରିଥିଲେ। ତା’ସହିତ ରାଜ୍ୟପାଳ ଏତେ ତରତର ହୋଇ କାହିଁକି ନିଷ୍ପତ୍ତି ନେଇଥିଲେ ବୋଲି ସେ ପ୍ରଶ୍ନ କରିଥିଲେ।

ସରକାରଙ୍କ ପକ୍ଷରୁ ଏ ମାମଲା ଲଢ଼ିଥିଲେ ଆଟର୍ଣ୍ଣି ଜେନେରାଲ କେ କେ ଭେନୁଗୋପାଳ। ସେ କହିଥିଲେ ଯେ ସୁପ୍ରିମକୋର୍ଟରେ ଏଭଳି ଆବେଦନ ଆଦୌ ହେବା କଥା ହିଁ ନୁହେଁ। ୟେଦ୍ୟୁରପ୍ପା ବହୁମତ ସାବ୍ୟସ୍ତ କରିବା ପର୍ଯ୍ୟନ୍ତ କଂଗ୍ରେସକୁ ଅପେକ୍ଷା କରିବାର ଥିଲା। ଏହି ମାମଲାର ଶୁଣାଣି ବହୁମତ ସାବ୍ୟସ୍ତ ପରେ ମଧ୍ୟ ହୋଇପାରି ଥାଆନ୍ତା। ବହୁମତ ସାବ୍ୟସ୍ତ କରିବା ପାଇଁ ବିଜେପିକୁ ୧୫ ଦିନ କାହିଁକି ଦରକାର ବୋଲି କୋର୍ଟ ପଚାରିବାରୁ ଆଟର୍ଣ୍ଣି ଜେନେରାଲ୍ କହିଥିଲେ, ଏହା ରାଜ୍ୟପାଳଙ୍କ ବିବେକ ଉପରେ ନିର୍ଭର କରେ। ତା’ହେଲେ ବିଜେପି ବହୁମତ ସାବ୍ୟସ୍ତ କରିବାରେ ଫେଲ୍ ହେବ ବୋଲି କୋର୍ଟ ପଚାରିବାରେ ସେ କହିଥିଲେ ଯେ ଏ କଥା ତାଙ୍କୁ ଜଣାନାହିଁ। କୋର୍ଟ ତା’ପରେ ପଚାରିଥିଲେ ଆପଣଙ୍କ (ବିଜେପିର) ସଂଖ୍ୟା ତ ସେଭଳି କହୁଛି। ଏହାର ଜବାବର ଭେନୁଗୋପାଳ କହିଥିଲେ ଯେ ଏବେଠୁ କିଛି କହି ହେବ ନାହିଁ।

ଅନ୍ୟପକ୍ଷରେ କର୍ଣ୍ଣାଟକର କିଛି ବିଜେପି ବିଧାୟକଙ୍କ ତରଫରୁ ଏ ମାମଲାରେ ଯୁକ୍ତି ଉପସ୍ଥାପନ କରିବାକୁ ଆସିଥିବା ପୂର୍ବତନ ଆଟର୍ଣ୍ଣି ଜେନେରାଲ୍ ମୁକୁଲ ରୋହତଗୀ କହିଥିଲେ ଯେ ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କ ଅଧିକାରକୁ ଚାଲେଞ୍ଜ କରାଯାଇପାରିବ ନାହିଁ। ସେମାନଙ୍କ ଆଦେଶକୁ ଚାଲେଞ୍ଜ କରାଯାଇପାରିବ। ସେ ଯୁକ୍ତି କରିଥିଲେ ଯେ କଂଗ୍ରେସ ଓ ଜେଡିଏସ୍‌ର ଆବେଦନକୁ ଖାରଜ କରି ଦିଆଯିବା ଉଚିତ। ଏହି ଆବେଦନକୁ କୋର୍ଟ ଆଦୌ ଗ୍ରହଣ କରିବାର ଆବଶ୍ୟକତା ନଥିଲା। ରାଜ୍ୟପାଳଙ୍କ ବିଶେଷ ଅଧିକାରକୁ କୋର୍ଟକୁ ଟଣାଯାଇପାରିବ ନାହିଁ। ରାଜ୍ୟପାଳଙ୍କୁ ଏଥିରେ ପକ୍ଷଭୁକ୍ତ କରାଯାଇପାରିବ ନାହିଁ ବୋଲି ସେ ଯୁକ୍ତି ବାଢ଼ିଥିଲେ। ତେବେ ଅଭିଷେକ ମନୁ ସିଙ୍ଘଭି କହିଥିଲେ ଯେ ରାଜ୍ୟପାଳଙ୍କ ବିଶେଷ ଅଧିକାର ବି ନ୍ୟାୟିକ ପ୍ରକ୍ରିୟା ମଧ୍ୟକୁ ଆସିପାରିବ।

ଏ ଶୁଣାଣି ବେଳେ ତିନି ବିଚାରପତି ସମସ୍ତଙ୍କ ପକ୍ଷକୁ ଅନେକ ଗୁଡ଼ିଏ ପ୍ରଶ୍ନ ମଧ୍ୟ କରିଥିଲେ।

Previous ArticleNext Article

Send this to a friend