ଐଶ୍ୱର୍ଯ୍ୟା ରାୟଙ୍କୁ ବିବାହ କରିବେ ଲାଲୁଙ୍କ ବଡ଼ ପୁଅ: ମୁମ୍ବାଇରେ ନିର୍ବନ୍ଧ

ନୂଆଦିଲ୍ଲୀ: ଲାଲୁ ପ୍ରସାଦ ଯାଦବଙ୍କ ବଡ଼ ପୁଅ ତେଜ ପ୍ରତାପ ଯାଦବଙ୍କ ବିବାହ ଐଶ୍ୱର୍ଯ୍ୟା ରାୟଙ୍କ ସହିତ ହେବାକୁ ଯାଉଛି। ମୁମ୍ବାଇର ମୌର୍ଯ୍ୟ ହୋଟେଲ୍‌ରେ ଏପ୍ରିଲ୍ ୧୮ ତାରିଖରେ ଦୁହିଁଙ୍କର ନିର୍ବନ୍ଧ ଧାର୍ଯ୍ୟ ହୋଇଛି। କଥାଟା ଶୁଣି ଆଶ୍ଚର୍ଯ୍ୟ ହେଉଥିବେ। ଐଶ୍ୱର୍ଯ୍ୟା ତ ବିବାହିତ। ସେ ପୁଣି ବଚ୍ଚନ ଘରର ବୋହୂ। ଏମିତି କେତେ କ’ଣ ଭାବନା ଆପଣଙ୍କ ମନକୁ ଆସୁଥିବ। ଟିକେ ରହିଯାଆନ୍ତୁ। କଥାଟା ସେମିତି କିଛି ନୁହେଁ।

ତେଜ ପ୍ରତାପ ବିହାରର ପୂର୍ବତନ ପରିବହନ ମନ୍ତ୍ରୀ ଚନ୍ଦ୍ରିକା ପ୍ରସାଦ ରାୟଙ୍କ ବଡ଼ ଝିଅ ଐଶ୍ୱର୍ଯ୍ୟ ରାୟଙ୍କୁ ବିବାହ କରିବେ। ଉଭୟଙ୍କ ବାହାଘର ମେ ୧୨ ତାରିଖରେ ହୋଇପାରେ।

ତେଜ ପ୍ରତାପ ଯାଦବଙ୍କ ପରିବାରରେ ସମସ୍ତେ ରାଜନୀତିରେ  ଥିବା ବେଳେ ୨୫ ବର୍ଷୀୟା ଐଶ୍ୱର୍ଯ୍ୟା କିନ୍ତୁ ରାଜନୀତିରେ କୌଣସି ଧାର ଧାରନ୍ତି ନାହିଁ। ତେଜ୍‌ ପ୍ରତାପଙ୍କ ଶିକ୍ଷାଗତ ଯୋଗ୍ୟତା ଯୁକ୍ତ ଦୁଇ ଥିବା ବେଳେ ଐଶ୍ୱର୍ଯ୍ୟା କିନ୍ତୁ ତାଙ୍କଠାରୁ ଢେର ଅଧିକ ପାଠ ପଢ଼ିଛନ୍ତି।

ସେ ପାଟନାର ନୋଟ୍ରି ଡେମ୍‌ ଆକାଡେମୀ ସ୍କୁଲରେ ପାଠ ପଢ଼ା ସାରିବା ପରେ ଦିଲ୍ଲୀର ମିରାଣ୍ଡା ହଉସ୍‌ରୁ ଇତିହାସରେ ବିଏ ପାସ୍‌ କରିଛନ୍ତି। ଏଥିସହିତ ଏମିଟି ବିଶ୍ୱବିଦ୍ୟାଳୟରୁ ଏମ୍‌ବିଏ ଡିଗ୍ରୀ ମଧ୍ୟ ହାସଲ କରିଛନ୍ତି। ଐଶ୍ୱର୍ଯ୍ୟା ରାଜନୀତିରେ ଇଚ୍ଛା ରଖୁ ନ ଥିଲେ ମଧ୍ୟ ତାଙ୍କ ବାପା ଓ ଜେଜେବାପା ଜଣେ ଜଣେ ନେତା। ତାଙ୍କ ଜେଜେବାପା ଦାରୋଗା ପ୍ରସାଦ ରାୟ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ। ପୁଅର ବିବାହ ଉତ୍ସବରେ ଯୋଗ ଦେବା ପାଇଁ ଲାଲୁ ଯାଦବ ବେଲ୍‌ ପାଇଁ ଆବେଦନ କରିଥିବା ଶୁଣିବାକୁ ମିଳୁଛି।

Previous ArticleNext Article

Send this to a friend