ଭାରତ ଓ ଚୀନକୁ ଜାତିସଂଘର ପରାମର୍ଶ- ଶାନ୍ତିପୂର୍ଣ୍ଣ ଉପାୟରେ ଡୋକଲାମ ବିବାଦର ସମାଧାନ କର

UN

ନୂଆଦିଲ୍ଲୀ: ପ୍ରାୟ ତିନି ମାସ ହେବ ଡୋକଲାମକୁ ନେଇ ଭାରତ ଓ ଚୀନ ମଧ୍ୟରେ ବିବାଦ ଥମିବାର ନାଁ ନେଉ ନାହିଁ। ଡୋକଲାମରେ ଏବେବି ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ଏଭଳି ସ୍ଥିତିରେ ଜାତିସଂଘ ପକ୍ଷରୁ ପରାମର୍ଶ ଦିଆଯାଇଛି ଯେ ଦୁଇ ଦେଶ ଶାନ୍ତିପୂର୍ଣ୍ଣ ଉପାୟରେ ଏ ବିବାଦର ସମାଧାନ କରନ୍ତୁ।

ଡୋକଲାମକୁ ନେଇ ଚୀନ ପକ୍ଷରୁ ବାରମ୍ୱାର ଭାରତକୁ ଯୁଦ୍ଧ ଧମକ ଦିଆଯାଉଥିବା ବେଳେ ଜାତିସଂଘ ପ୍ରଥମ ଥର ପାଇଁ ଏଭଳି ମନ୍ତବ୍ୟ ଦେଇଛନ୍ତି।

ଜାତିସଂଘ ମହାସଚିବଙ୍କ ବିଶେଷ ଦୂତ ଜାର୍ଜ ଚେଡିକ୍ କହିଛନ୍ତି,“ ଉଭୟ ଦେଶ ମଧ୍ୟରେ ଭଲ ସମ୍ପର୍କ ରହିବା ଆବଶ୍ୟକ। ସଂଘର୍ଷ ବଦଳରେ ସହଯୋଗ ସବୁବେଳେ ଭଲ।  ଆମେ ଆଶା କରୁଛୁ ଯେ ଏହି ଦୁଇ ଦେଶ ନିଜ ମଧ୍ୟରେ ଥିବା ମତଭେଦକୁ ଶାନ୍ତିପୂର୍ଣ୍ଣ ଉପାୟରେ ସମାଧାନ କରିବେ। ଏହାସହିତ ଉଭୟ ଦେଶ ବାରମ୍ୱାର ପରସ୍ପରକୁ ସହଯୋଗର ହାତ ବଢ଼ାଇବା ଆବଶ୍ୟକ। ଡୋକଲାମକୁ ନେଇ ଭାରତ ଓ ଚୀନ ମଧ୍ୟରେ ସୃଷ୍ଟି ହେଉଥିବା ଉତ୍ତେଜନା ଉପରେ ଜାତିସଂଘ ସବୁବେଳେ ନଜର ରଖିଛି। ଏହି ବିବାଦ ହେବା ପରେ  ଲାଇନ୍ ଅଫ୍ ଆକଚ୍ୟୁଅଲ କଣ୍ଟ୍ରୋଲ୍(ଏଲ୍‌ଏସି)ର ଅନ୍ୟ ଅଞ୍ଚଳ ଗୁଡ଼ିକର ପରିସ୍ଥିତି ଜଟିଳ ହେବାରେ ଲାଗିଛି। ଏହାର ଫଳସ୍ୱରୂପ ଲଦାଖରେ ଭାରତୀୟ ଓ ଚୀନ ସୈନିକଙ୍କ ମଧ୍ୟରେ ବିସ୍ଫୋରକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି ଦୁଇ ମହାନ୍ ଦେଶ ମଧ୍ୟରେ ଏପରି ପରିସ୍ଥିତି ସୃଷ୍ଟି ହେବା ଠିକ୍ ନୁହେଁ।”

ଚୀନ ଏହି ମାମଲାରେ ସମାଧାନ କରିବା ପାଇଁ କିଛି ‘ସକାରାତ୍ମକ କାର୍ଯ୍ୟାନୁଷ୍ଠାନ’ ନେବ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂ ଆଶା ରଖିଥିଲେ। ସେ କହିଥିଲେ,“ଡୋକଲାମ୍‌କୁ ନେଇ ସୃଷ୍ଟି ହୋଇଥିବା ବିବାଦର ଖୁବ୍‌ଶୀଘ୍ର ସମାଧାନର ରାସ୍ତା ବାହାରିବ।ଭାରତ କେବେ ବି  କୌଣସି ଦେଶ ଉପରେ ଆକ୍ରମଣ କରି ନାହିଁ।” ଅନ୍ୟପକ୍ଷରେ ଚୀନ ଚାହୁଁଛି ଭାରତ ବିନା କୌଣସି ସର୍ତ୍ତରେ ତା’ର ସେନାକୁ ଡୋକଲାମରୁ ପଛକୁ ହଟାଉ।

Previous ArticleNext Article

Send this to a friend