ଆଶାରାମ ବାପୁଙ୍କୁ ହୋଇପାରେ ୧୦ ବର୍ଷ ଜେଲ: କୋର୍ଟରେ ଚାଲିଛି ଶୁଣାଣି, ୩ ରାଜ୍ୟରେ ହାଇଆଲର୍ଟ

ଜୟପୁର: ଆତ୍ମଘୋଷିତ ଭଗବାନ ତଥା ବାବା ଆଶାରାମ ବାପୁଙ୍କ ବିରୋଧରେ ଥିବା ବଳାତ୍କାର ମାମଲା ନେଇ ଆଜି ଚୂଡ଼ାନ୍ତ ଶୁଣାଣି ହୋଇପାରେ। ଯୋଧପୁର ଜେଲ୍‌ର ସ୍ୱତନ୍ତ୍ର କୋର୍ଟରେ ଶୁଣାଣି ଆରମ୍ଭ ହୋଇଯାଇଛି।  ଏନେଇ ଆଜି ରାଜସ୍ଥାନ, ଗୁଜରାଟ ଓ ହରିୟାଣାରେ ହାଇଆଲର୍ଟ ଜାରି କରାଯାଇଛି। ସେହିପରି ଯୋଧପୁର ଜେଲ୍‌ର ସ୍ୱତନ୍ତ୍ର କୋର୍ଟରେ ୧୪୪ ଧାରା ଜାରି କରାଯାଇଛି। ରାଜସ୍ଥାନ ପୋଲିସ ଆଇନ ଶୃଙ୍ଖଳା ଦୃଷ୍ଟିରୁ ୩୭୮ ଜଣଙ୍କୁ ଆଗୁଆ ଗିରଫ କରିଛି ।  ମୁଖ୍ୟତଃ ରାଜସ୍ଥାନ, ଗୁଜରାଟ ଏବଂ ହରିୟାଣାରେ ଆଶାରାମଙ୍କ ଅଧିକ ସମର୍ଥକ ଥିବାରୁ ହିଂସାକାଣ୍ଡ ଘଟିବାର ଆଶଙ୍କା ରହିଛି।  ତେଣୁ ପରିସ୍ଥିତିକୁ ଲକ୍ଷ୍ୟ କରି ପୋଲିସ ପକ୍ଷରୁ ଆଗୁଆ ସତର୍କମୂଳକ ପଦକ୍ଷେପ ନିଆଯାଇଛି।

ଅଶାରାମଙ୍କ ବିରୋଧରେ ପସ୍କୋ ଆକ୍ଟ,ଏସିଏସଟି ନିର୍ଯାତନା ନିରୋଧୀ ଆକ୍ଟ ଏବଂ ଶିଶୁ ଅପରାଧ ଆଇନ ସମ୍ପର୍କିତ ଆଇପିସିର ବିଭିନ୍ନ ଧାରା ମୁତାବକ ଦଫା ରହିଛି। ତେବେ ଯଦି ଆଶାରାମ ଦୋଷୀ ସାବ୍ୟସ୍ତ ହୁଅନ୍ତି ତେବେ ତାଙ୍କୁ ୧୦ ବର୍ଷ ଜେଲ ହୋଇପାରେ ବୋଲି ଆଇନ ବିଶାରଦମାନେ କହିଛନ୍ତି।  ଏହି ମାମଲା ଯୋଧପୁର ସେଣ୍ଟ୍ରାଲ୍‌ ଜେଲ୍‌ ପରିସରରେ ରାୟ ଶୁଣାଇବା ପାଇଁ ରାଜସ୍ଥାନ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ  ଆଶାରାମ ଗିରଫ ହୋଇ ଯୋଧପୁର ସେଣ୍ଟ୍ରାଲ ଜେଲ୍‌ରେ ଅଛନ୍ତି। ୭୭ ବର୍ଷୀୟ ଆଶାରାମ ୨୦୧୩ରେ  ଉତ୍ତରପ୍ରଦେଶର ସାହାଜାହାନପୁରର ଜଣେ ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯାଗ ହୋଇଥିଲା। ଏହି ଘଟଣାରେ ତାଙ୍କୁ ୨୦୧୩ ସେପ୍ଟେମ୍ବର୧ ତାରିଖରେ ଇନ୍ଦୋରରୁ ଗିରଫ କରାଯାଇଥିଲା।

Previous ArticleNext Article

Send this to a friend