ନୂଆଦିଲ୍ଲୀ: ବର୍ତ୍ତମାନ ଦେଶର ଅନେକ ରାଜ୍ୟରେ ଅର୍ଥର ଅଭାବ ଦେଖାଦେଇଛି। ଏଟିଏମ୍ ଗୁଡ଼ିକରେ ଟଙ୍କା ନ ମିଳିବାରୁ ଲୋକମାନେ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ଏପରି କ୍ଷେତ୍ରରେ ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲି ପରିସ୍ଥିତିର ସମୀକ୍ଷା କରିଛନ୍ତି ବୋଲି ଟ୍ୱିଟ୍ କରି ଜଣାଇଛନ୍ତି। ଦେଶରେ ଟଙ୍କାର ଅଭାବ ନାହିଁ। କେତେକ ସ୍ଥାନରେ ହଠାତ୍ ଟଙ୍କାର ଅଧିକ ଆବଶ୍ୟକତା ପଡ଼ିବାରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ମନ୍ତ୍ରୀ କହିଛନ୍ତି।
ଏପଟେ କିନ୍ତୁ କେତେକ ସ୍ଥାନରେ ଟଙ୍କାର ଅଭାବ ଥିବା ସ୍ୱୀକାର କରିଛି ରିଜର୍ଭ ବ୍ୟାଙ୍କ। ଦେଶରେ ଡିଜିଟାଲ ଇକୋନୋମି ସୃଷ୍ଟି କରିବା ଚାପରେ ଏପରି ହୋଇଛି ବୋଲି ଆରବିଆଇ ବ୍ୟାଙ୍କ ଅଫିସର କନଫିଡେରେସନ୍ ଦାବି କରିଛି। ଏଥିପାଇଁ ଦେଶରେ ୩୦ରୁ ୪୦ ପ୍ରତିଶତ ଟଙ୍କା କମ୍ ହୋଇଥିବା ଜଣାପଡ଼ିଛି। ଏହାର ମୁକାବିଲା ପାଇଁ ଆନ୍ତଃରାଜ୍ୟ କମିଟି ଗଠନ କରିଛି ଆର୍ବିଆଇ। ଖୁବଶୀଘ୍ର ଅନ୍ୟ ରାଜ୍ୟଗୁଡ଼ିକରୁ ଟଙ୍କା ଆଣି ଅର୍ଥ ସଙ୍କଟ ଉପୁଜିଥିବା ରାଜ୍ୟରେ ଭରଣା କରାଯିବ ବୋଲି ବ୍ୟାଙ୍କ କହିଛି। କେନ୍ଦ୍ର ସରକାର ଏଫ୍ଆର୍ଡିଆଇ(ଫାଇନାନ୍ସିଆଲ୍ ରିଜୋଲ୍ୟୁସନ ଆଣ୍ଡ ଡିପୋଜିଟ୍ ଇନ୍ସୁରାନ୍ସ) ବିଲ୍ ଆଣିବାକୁ ଯୋଜନା କରୁଥିବାରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଥିବା ଚର୍ଚ୍ଚା ହେଉଛି। ଏଫ୍ଆର୍ଡିଆଇ ବିଲ୍ ଭୟରେ ଲୋକେ ବ୍ୟାଙ୍କରେ ଟଙ୍କା ଜମା ନ କରି ନିଜ ପାଖରେ ରଖୁଛନ୍ତି। ଏଥିପାଇଁ ବ୍ୟଙ୍କଗୁଡ଼ିକରେ ଅର୍ଥ ସଙ୍କଟ ଦେଖା ଦେଉଛି। ତେବେ କ’ଣ ଏହି ଏଫଆରଡିଆଇ ବିଲ୍ ଆସନ୍ତୁ ଜାଣିବା।
FRDI (Financial Resolution and Deposit Insurance ) ବିଲ୍ କ‘ଣ ଓ ଏହା କିପରି କାମ କରିଥାଏ ?
ଏଫଆରଡିଆଇ ବିଲ୍ ସାହାଯ୍ୟରେ ସରକାର ବ୍ୟାଙ୍କ, ଇନ୍ସୁରାନ୍ସ କମ୍ପାନୀ ଓ ଅନ୍ୟ ଆର୍ଥିକ ସଂସ୍ଥାଗୁଡ଼ିକର ଦେଖା ଦେଇଥିବା ଆର୍ଥିକ ସଙ୍କଟର ନିରାକରଣ କରିବାକୁ ଚାହୁଁଛନ୍ତି। ଯେଉଁ ବ୍ୟାଙ୍କ କିମ୍ବା କମ୍ପାନୀଗୁଡ଼ିକ ଋଣ ଖିଲାପି ଯୋଗୁଁ ଦେବାଳିଆ ହୋଇଯାଇଛନ୍ତି ସେମାନଙ୍କ ପୂର୍ବ ସ୍ଥିତି ଫେରାଇ ଆଣିବାକୁ ସରକାର ଏହି ବିଲ୍ ଆଣିବାକୁ ଯାଉଛନ୍ତି। ଏଥିରେ ଏକ ରିଜୋଲ୍ୟୁସନ କର୍ପୋରେସନ ପ୍ରାବଧାନ ରହିବ। ଏହାକୁ ଡିପୋଜିଟ୍ ଇନ୍ସୁରାନ୍ସ କ୍ରେଡିଟ୍ ଗ୍ୟାରେଣ୍ଟି କର୍ପୋରେସନ ସ୍ଥାନରେ ବ୍ୟବହାର କରାଯିବ। ଏହା ସଂସ୍ଥା କିମ୍ବା ବ୍ୟାଙ୍କକୁ ଦେବାଳିଆପଣରୁ ରକ୍ଷା କରିବ।
୨୦୦୮ରେ ଆର୍ଥିକ ସଙ୍କଟ ପରେ ପ୍ରଥମ କରି ଏହି ବିଲ୍ର ଆବଶ୍ୟକତା ପଡ଼ିଥିଲା। ଏଥିପାଇଁ ବ୍ୟାଙ୍କଗୁଡ଼ିକର ସ୍ଥିତି ସୁଧାରିବା ପାଇଁ ସରକାର ଜନଧନ ଯୋଜନା ଓ ବିମୁଦ୍ରାକରଣ ଭଳି ଅନେକ ବ୍ୟବସ୍ଥା ଆପଣାଇଥିଲେ। କାରଣ ଅଧିକମାତ୍ରାରେ ଲୋକ ବ୍ୟାଙ୍କ ବ୍ୟବସ୍ଥା ସହିତ ଯୋଡ଼ି ହେଲେ ବ୍ୟାଙ୍କରେ ଟଙ୍କାର ଅଭାବ ଦୂର ହେବ। ଫଳରେ ଦେବାଳିଆ ସ୍ଥିତିରେ ସୁଧାର ଆସିବ।
ଏହି ବିଲ୍କୁ କାହିଁକି ଡରୁଛନ୍ତି ଲୋକେ ?
ଏଫଆରଡିଆଇ ବିଲ୍ ଅନୁସାରେ ରିଜୋଲ୍ୟୁସନ କର୍ପୋରେସନ ଆର୍ଥିକ ସଂସ୍ଥାକୁ ଦେବାଳିଆରୁ ରକ୍ଷା କରିବା ପାଇଁ ବେଲ୍ ଇନ୍ ପଦକ୍ଷେପ ଗ୍ରହଣ କରିବ। ଏଥିରେ ସରକାର ବ୍ୟାଙ୍କରେ ଜମାଥିବା ଗ୍ରାହକଙ୍କ ଟଙ୍କାକୁ ନେଇ ଦେବାଳିଆ ହୋଇଯାଇଥିବା କମ୍ପାନୀରେ ବିନିଯୋଗ କରି କମ୍ପାନୀର ଆର୍ଥିକ ସଙ୍କଟକୁ ଦୂର କରିବେ। ବ୍ୟାଙ୍କ ମଧ୍ୟ ଗ୍ରାହକଙ୍କ ଟଙ୍କାରେ ନିଜର ଆର୍ଥିକ ସ୍ଥିତି ସୁଧାରିବ। ଏପରି ସ୍ଥଳେ ଯଦି କମ୍ପାନୀ ସ୍ଥିତି ସୁଧାରିବାରେ ବିଫଳ ହୁଏ କିମ୍ବା ବ୍ୟାଙ୍କର ଆର୍ଥିକ ସଙ୍କଟ ଦୂର ନ ହୁଏ ତାହେଲେ ଗ୍ରାହକଙ୍କ ଟଙ୍କା ବୁଡ଼ିଯିବାର ଭୟ ରହିଛି।
ବର୍ତ୍ତମାନର ନିୟମ ଅନୁସାରେ ଯଦି ବ୍ୟାଙ୍କ ଦେବାଳିଆ ହୋଇ ବୁଡ଼ିଯିବାର ସ୍ଥିତି ଦେଖା ଦିଏ ତାହେଲେ ଗ୍ରାହକ ବ୍ୟାଙ୍କରେ ଜମାଥିବା ମୋଟ ରାଶିର ମାତ୍ର ୧ ଲକ୍ଷ ଟଙ୍କା ଫେରିପାଇବେ। ବାକିଥିବା ସମସ୍ତ ଟଙ୍କା ଫେରିପାଇବାର କୌଣସି ଗ୍ୟାରେଣ୍ଟି ନାହିଁ। କିନ୍ତୁ ପ୍ରସ୍ତାବିତ ଏପ୍ଆର୍ଡିଆଇ ବିଲ୍ରେ ଏହି ନିୟମ ଉପରେ ଏପର୍ଯ୍ୟନ୍ତ କୌଣସି ଆଲୋଚନା ହୋଇ ନାହିଁ। ଏ ବିଷୟରେ ଅଧିକ ପଢ଼ନ୍ତୁ