ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ରଙ୍କ ବିରୋଧରେ କାହିଁକି ବିଷୋଦଗାର ? ଜାଣନ୍ତୁ ଭିତରି ଗୁମର  

SC

ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର): କ’ଣ ପାଇଁ ସର୍ବସାଧାରଣକୁ ଆସିଲେ ସୁପ୍ରିମକୋର୍ଟର ୪ ବରିଷ୍ଠ ବିଚାରପତି? କାହିଁକି ସେମାନେ ପ୍ରଧାନ ବିଚାରପତିଙ୍କ ବିରୋଧରେ ବିଷୋଦଗାର କଲେ? ସେମାନଙ୍କ ମନରେ ଥିବା ଅସନ୍ତୋଷ ଏବର ନୁହେଁ ଦୀର୍ଘଦିନ ଧରି ଏହା ଜମାଟ ବାନ୍ଧି ରହିଥିଲା।  ଆଉ ଶେଷରେ ଗତକାଲି ତାହା ବିସ୍ଫୋରଣର ରୂପ ନେଇଥିଲା।   ବିଭିନ୍ନ କାରଣକୁ ନେଇ ପ୍ରଧାନ ବିଚାରପତିଙ୍କ ସହ  ମୁହାଁମୁହିଁ ହୋଇଥିଲେ ୪ ବରିଷ୍ଠ ବିଚାରପତି ।  ଆସନ୍ତୁ ଜାଣିବା ସର୍ବୋଚ୍ଚ ଅଦାଲତରେ ସୃଷ୍ଟି ହୋଇଥିବା ଫାଟର କିଛି କାରଣ।

କାରଣ ନମ୍ବର ୧- ମେଡିକାଲ କଲେଜ ଆଡମିଶନ୍ ସ୍କାମ ମାମଲା

ମେଡିକାଲ କଲେଜ ଆଡମିଶନ ଦୁର୍ନୀତି ମାମଲାକୁ ନେଇ ପ୍ରଥମ ଥର ମୁହାଁମୁହିଁ ହୋଇଥିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ର ଏବଂ ଚାରି ବରିଷ୍ଠ ବିଚାରପତି।   ଏହି ମାମଲାରେ ଓଡ଼ିଶା ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍ ଆଇ.ଏମ୍. କୁଦ୍ଦୁସୀ ପ୍ରମୁଖ ଅଭିଯୁକ୍ତ ଥିଲେ।   ଜଷ୍ଟିସ କୁଦ୍ଦୁସୀଙ୍କ ବିରୋଧରେ ଲାଞ୍ଚ ନେଇଥିବା ଅଭିଯୋଗ ଥିଲା।   ଗତ ବର୍ଷ ଏକ ଏନ୍‌ଜିଓ ସଂସ୍ଥା ପକ୍ଷରୁ ଏ ସମ୍ପର୍କିତ ଏକ ଜନସ୍ୱାର୍ଥ୍ୟ ମାମଲାର ବିଚାର ପାଇଁ ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ଚେଲାମେଶ୍ୱରଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ବେଞ୍ଚଙ୍କ ନିକଟକୁ ଆସିଥିଲା।   ଜଷ୍ଟିସ ଚେଲାମେଶ୍ୱର ମାମଲାର ଶୁଣାଣିକୁ ପରଦିନକୁ ନିର୍ଦ୍ଧାରିତ  କରିଥିଲେ।    ତେବେ ସୁପ୍ରିମକୋର୍ଟର ବ୍ୟବସ୍ଥା ଅନୁସାରେ ପ୍ରଧାନ ବିଚାରପତି  ଜଷ୍ଟିସ ଦୀପକ ମିଶ୍ର ଏହାକୁ ଜଷ୍ଟିସ ଏ.କେ. ସିକ୍ରୀଙ୍କ ବେଞ୍ଚକୁ ପଠାଇ ଦେଇଥିଲେ।   ଅନ୍ୟପକ୍ଷରେ ବରିଷ୍ଠ ଆଇନଜୀବୀ କାମିନୀ ଜୟସ୍ୱାଲଙ୍କ ପକ୍ଷରୁ ଏ ସମ୍ପର୍କିତ ଅନୁରୂପ ମାମଲାର ତୁରନ୍ତ ଶୁଣାଣି ପାଇଁ ଅନୁରୋଧ ହୋଇଥିଲା   ତେଣୁ ଜଷ୍ଟିସ ଚେଲାମେଶ୍ୱର ମାମଲାକୁ ପ୍ରଧାନ ବିଚାରପତି ଓ ସର୍ବୋଚ୍ଚ ଅଦାଲତର ୪ ବରିଷ୍ଠ ବିଚାରପତିଙ୍କୁ ନେଇ ଗଠିତ ସାମ୍ବିଧାନିକ ଖଣ୍ଡପୀଠ ଶୁଣାଣି କରିବେ ବୋଲି ଆଦେଶ ଦେଇଥିଲେ ।

ହେଲେ ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ର  ଜଷ୍ଟିସ ଚେଲାମେଶ୍ୱରଙ୍କ ଆଦେଶକୁ ଖାରଜ କରି ଦେବା ସହ ମାମଲାକୁ ଜୁନିୟର ବିଚାରପତିଙ୍କୁ ନେଇ ଗଠିତ ବେଞ୍ଚକୁ ପଠାଇ ଦେଇଥିଲେ।  ଏଥିସହ କେଉଁ ମାମଲାର ଶୁଣାଣି କେଉଁ ବେଞ୍ଚ କରିବେ ଓ ସେଥିରେ କେଉଁ ବିଚାରପତି ରହିବେ ତାହା ନିର୍ଦ୍ଧାରଣ କରିବା ଅଧିକାର କେବଳ  ପ୍ରଧାନ ବିଚାରପତିଙ୍କର ବୋଲି ଜଷ୍ଟିସ  ମିଶ୍ର ସ୍ପଷ୍ଟ କରିଥିଲେ।   ଏହାକୁ ନେଇ ମୁହାଁମୁହିଁ ହୋଇଥିଲେ ଜଷ୍ଟିସ ମିଶ୍ର ଓ ୪ ବରିଷ୍ଠ ବିଚାରପତି।

କାରଣ ନମ୍ବର ୨- ଜଷ୍ଟିସ ଲୋୟାଙ୍କ ରହସ୍ୟଜନକ ମୃତ୍ୟୁ ମାମଲା

ସୋହରାବୁଦ୍ଦିନ ଏନ୍‌କାଉଣ୍ଟର ମାମଲାର ଶୁଣାଣି କରୁଥିବା ସ୍ପେଶାଲ ସିବିଆଇ ଜଜ୍ ବି. ଏଚ୍ ଲୋୟାଙ୍କ ରହସ୍ୟଜନକ ମୃତ୍ୟୁ ମାମଲାକୁ ନେଇ ମଧ୍ୟ ଦୀପକ ମିଶ୍ରଙ୍କ ବିରୋଧରେ ଅସନ୍ତୋଷ ଦେଖିବାକୁ ମିଳିଥିଲା ।   ସୋହରାବୁଦ୍ଦିନ ଏନ୍‌କାଉଣ୍ଟର ମାମଲାର  ଶୁଣାଣି କରୁଥିବା ବିଚାରପତି ବି.ଏଚ୍. ଲୋୟାଙ୍କ ରହସ୍ୟଜନକ ମୃତ୍ୟୁ ହୋଇଥିଲା।  ତେବେ ଏହି ମାମଲାକୁ ଜୁନିଅର ବିଚାରପତି ଜଷ୍ଟିସ ଅରୁଣ କୁମାର ମିଶ୍ରଙ୍କ ବେଞ୍ଚକୁ ଦିଆଯିବାକୁ ନେଇ କ୍ଷୁବ୍ଧ ହୋଇଥିଲେ ଚାରି ବିଚାରପତି।   ଏହା ଏକ ରାଜନୈତିକ ଏବଂ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିବାରୁ ମାମଲାକୁ ଅନ୍ୟ ଏକ ଖଣ୍ଡପୀଠ ନିକଟକୁ ହସ୍ତାନ୍ତର କରିବାକୁ ସେମାନେ ଅନୁରୋଧ କରିଥିଲେ।  କିନ୍ତୁ ଏମାନଙ୍କ ଅନୁରୋଧକୁ ଖାରଜ କରି ଦେଇଥିଲେ ଦୀପକ ମିଶ୍ର।

କାରଣ ନମ୍ବର ୩-ଆଧାର ମାମଲାର ଶୁଣାଣି

ଜଷ୍ଟିସ ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ  ଆସନ୍ତା ୧୭ରୁ ଆଧାର କେସର ବୈଧତା ନେଇ  ଶୁଣାଣି କରିବେ।   ତେବେ ଖଣ୍ଡପୀଠରେ ଜଣେ ହେଲେ ବି ବରିଷ୍ଠ ବିଚାରପତି ନାହାନ୍ତି।  ମୂଳ ଆଧାର ମାମଲାର ଶୁଣାଣି କରିଥିଲେ ଜଷ୍ଟିସ ଚେଲାମେଶ୍ୱରଙ୍କ ବେଞ୍ଚ । ଆଧାର କାର୍ଡ ଯୋଗୁଁ ମୌଳିକ ଅଧିକାର କ୍ଷୁର୍ଣ୍ଣ ହେଉଛି କି ନାହିଁ ତାହା ପରୀକ୍ଷା ହେବା ଉଚିତ୍ ବୋଲି ତାଙ୍କ ବେଞ୍ଚ କହିବା ସହ ଏହା ପାଞ୍ଚ ଜଣିଆ ଖଣ୍ଡପୀଠ ନିକଟକୁ ପଠାଇଥିଲେ। କିନ୍ତୁ ବର୍ତ୍ତମାନର ଖଣ୍ଡପୀଠରେ ସେ କିମ୍ବା ଅନ୍ୟ ବରିଷ୍ଠ ବିଚାରପତିମାନେ ସ୍ଥାନ ପାଇ ନାହାନ୍ତି।  ତେଣୁ ଏହାକୁ ନେଇ ଚାରି ବିଚାରପତି ଅସନ୍ତୋଷ ପ୍ରକାଶ କରିଥାଇପାରନ୍ତି ।

ସୂଚନାଯୋଗ୍ୟ ଯେ, ଗତକାଲି ସୁପ୍ରିମକୋର୍ଟର ଚାରି ଜଣ ବିଚାରପତି ପ୍ରଥମ ଥର ପାଇଁ ଗଣମାଧ୍ୟମ ସାମ୍ନାକୁ ଆସିଥିଲେ  । ସେମାନେ ସାମ୍ବାଦିକ ସମ୍ମିଳନୀ କରି ସୁପ୍ରିମ୍‌କୋର୍ଟରେ ପ୍ରଶାସନିକ କାର୍ଯ୍ୟ ଠିକ୍ ଢଙ୍ଗରେ ହେଉ ନଥିବା ଅଭିଯୋଗ କରିଥିଲେ। ଜଷ୍ଟିସ୍ ଜେ ଚେଲାମେଶ୍ୱର, ଜଷ୍ଟିସ୍ ରଞ୍ଜନ ଗୋଗୋଇ, ଜଷ୍ଟିଲ ମଦନ ଲୋକୁର ଓ ଜଷ୍ଟିସ୍ କୁରିୟନ ଜୋଶେଫ ଗଣମାଧ୍ୟମ ସମ୍ମୁଖକୁ ଆସିଥିଲେ।

Previous ArticleNext Article

Send this to a friend