ଡିସିପିଙ୍କୁ ସାଲ୍ୟୁଟ୍: ମୃତ ଟ୍ରକ୍ ଡ୍ରାଇଭରଙ୍କ ପରିବାରକୁ ଦେଉଛନ୍ତି ଅଧା ଦରମା

driver

ନୂଆଦିଲ୍ଲୀ: ସର୍ଦାର ମାନ ସିଂହ ଜଣେ ଟ୍ରକ୍‌ ଡ୍ରାଇଭର ଥିଲେ। କଠିନ ପରିଶ୍ରମ କରି ୮୦,୦୦୦ ଟଙ୍କା ସଞ୍ଚୟ କରିଥିଲେ। ସେହି ଟଙ୍କା ଧରି ଦିନେ ରାତିରେ ଘରକୁ ଫେରୁଥିଲେ। ଅନେକ ମାସ ପରେ ସେ ଘରକୁ ଫେରୁଥିଲେ। ତେଣୁ ପତ୍ନୀ, ଦୁଇ ଝିଅ ଓ ପୁଅକୁ ଭେଟିବାକୁ ସେ କେତେ ଖୁସି ଥିବେ, ତାହା ଆପଣମାନେ ନିଶ୍ଚୟ ଅନୁମାନ କରିପାରୁଥିବେ। ଖୁସି ହେବା ପାଇଁ ତାଙ୍କ ପାଖରେ ଆଉ ଏକ କାରଣ ମଧ୍ୟ ଥିଲା। ତାଙ୍କ ଭଣଜାଙ୍କ ବାହାଘର ଠିକ୍ ହୋଇଯାଇଥିଲା। ସେଥିରେ ବି ସେ ଯୋଗ ଦେଇ ଥାଆନ୍ତେ। ବୋଧହୁଏ ଏ ସବୁ ବିଷୟରେ ଭାବୁ ଭାବୁ କେତେ ବେଳେ ଯେ ସେ ଟ୍ରକ୍‌କୁ ଭୁଲ୍ ରାସ୍ତାରେ ନେଇ ଯାଇଥିଲେ, ତାହା ଜାଣିପାରିଲେ ନାହିଁ। ରାସ୍ତାଟି ଅଜଣା ଅଜଣା ଲାଗିବା ପରେ ସେ ଗୋଟିଏ ସ୍ଥାନରେ ଟ୍ରକ୍ ଅଟକାଇଲେ। ବାଟ ପଚାରିବା ପାଇଁ ସେ ଟ୍ରକ୍‌ରୁ ଓହ୍ଲାଇଥିଲେ। ତେବେ ସେ ଜାଣି ନଥିଲେ ଯେ ଡକାୟତଙ୍କ ହାବୁଡ଼ରେ ପଡ଼ିଯିବେ। ସେମାନେ ତାଙ୍କୁ ଟଙ୍କା ମାଗିଥିଲେ। ତେବେ ମାନ ସିଂହ ଦେଇ ନଥିଲେ। ତା’ପରେ ସେମାନେ ଟଙ୍କା ଛଡ଼ାଇ ନେବା ଉଦ୍ଦେଶ୍ୟରେ ତାଙ୍କୁ ଆକ୍ରମଣ କରିଥିଲେ। ଏଥିରେ ଗୁରୁତର ଆହତ ହୋଇଥିଲେ ଓ ସେହି ରାତିରେ ରାଜପଥ ଉପରେ ତାଙ୍କର ଜୀବନ ଚାଲି ଯାଇଥିଲା। ଘଟଣାଟି ଚଳିତ ବର୍ଷ ଜାନୁଆରୀ ମାସ ୯ ତାରିଖ ରାତିର।

ଜମ୍ମୁ ଓ କାଶ୍ମୀରର ଜମ୍ମୁ ଜିଲ୍ଲାରେ ଭାରତ-ପାକିସ୍ତାନ ସୀମାରୁ ମାତ୍ର ଦୁଇ କିଲୋମିଟର ଦୂରରେ ଫ୍ଲୋରା ନାମକ ଏକ ଗାଁରେ ରହୁଥିବା ତାଙ୍କ ପରିବାର ଲୋକେ ତା’ପର ଦିନ ତାଙ୍କୁ ହତ୍ୟା କରାଯାଇଥିବା ନେଇ ଖବର ପାଇଥିଲେ। ଘରେ ତାଙ୍କ ସ୍ତ୍ରୀ ଦର୍ଶନ କୌର, ଦୁଇ ଝିଅ ବଲଜୀତ୍ କୌର ଓ ଜସମୀତ୍ କୌର ଏବଂ ପୁଅ ଅସ୍‌ମିତ କୌର ରହନ୍ତି। ତାଙ୍କ ମାଆ ବି ବଞ୍ଚିଛନ୍ତି। ତା’ପର ଦିନ ଖବର ପାଇ ପରିବାର ଲୋକେ ଦିଲ୍ଲୀ ଯାଇଥିଲେ।

ଦିନେ ଆସିଲା ଡିସିପିଙ୍କ ଫୋନ୍ 

ମାନ ସିଂହଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ଚିନ୍ତାରେ ପଡ଼ିଯାଇଥିଲା। ଛୁଆମାନେ କେମିତି ପାଠ ପଢ଼ିବେ ସେ ନେଇ ଚିନ୍ତାରେ ପଡ଼ିଯାଇଥିଲେ ସ୍ତ୍ରୀ ଦର୍ଶନ କୌର। ଛୁଆଙ୍କ ପଢ଼ା କଥା ଦୂରେ ଥାଉ ପରିବାରକୁ ଦୁଇ ଓଳି ଦୁଇ ମୁଠା ଖାଦ୍ୟ କେଉଁଠୁ ଆଣି ଦେବେ ସେ ନେଇ ଚିନ୍ତାରେ ପଡ଼ି ଯାଇଥିଲେ ସେ। ତେବେ ଏ ଭଳି କଠିନ ସମୟରେ ଦିନେ ତାଙ୍କ ଘରକୁ ଦିଲ୍ଲୀରୁ ଏକ ଫୋନ୍ କଲ୍ ଆସିଲା। ଫୋନ୍ କରିଥିଲେ ଡିସିପି ଅସଲାମ ଖାନ୍‌। ପ୍ରତି ମାସରେ ସେ ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ଟଙ୍କା ପଠାଇ ଦେବେ ବୋଲି କହିଥିଲେ। ଛୁଆଙ୍କ ପଢ଼ା ଖର୍ଚ୍ଚ ମଧ୍ୟ ବହନ କରିବେ ବୋଲି ମଧ୍ୟ କହିଥିଲେ। ତା’ସହିତ ସରକାରୀ ସ୍ତରରେ କିପରି ସହାୟତ ମିଳିପାରିବ ସେ ନେଇ ବ୍ୟବସ୍ଥା କରି ଦେବେ ବୋଲି କହିଥିଲେ।

ମାନ ସିଂହଙ୍କ ବଡ଼ ଝିଅ ବଲଜୀତ କହିଛନ୍ତି,“ଏହା ଆମ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସମୟ ଥିଲା। ଆମେ ପ୍ରଥମେ ଡିସିପି ମାଡାମ୍‌ଙ୍କଠାରୁ ସାହାଯ୍ୟ ନେବାକୁ ମନା କରି ଦେଇଥିଲୁ। କିନ୍ତୁ ସେ କିଛି ଶୁଣି ନ ଥିଲେ। ଆମ ଜୀବନ ଓ ଆମ ପାଠପଢ଼ା ଏବେ ତାଙ୍କ ପାଇଁ ଚାଲିଛି।”

ସେହି ଦିନଠାରୁ ପ୍ରତି ମାସରେ ଡିସିପି ଅସଲାମ ଖାନ୍ ପ୍ରତି ମାସରେ ତାଙ୍କ ଦରମାରୁ ଅଧା ମାନ ସିଂହଙ୍କ ଘରକୁ ପଠାଉଛନ୍ତି। କେବଳ ସେତିକି ନୁହେଁ, ପ୍ରତିଦିନ ସେ ମୋବାଇଲ୍‌ରେ ମେସେଜ୍ କରି ହାଲଚାଲ ପଚାରନ୍ତି। ତିନି ଚାରି ଦିନରେ ଥରେ ଫୋନ୍ କରି ସେ ମାନ ସିଂହଙ୍କ ପରିବାର ଲୋକଙ୍କ ସହିତ କଥା ହୁଅନ୍ତି। ସେ ପୂରା ତାଙ୍କ ପରିବାରର ଜଣେ ସଦସ୍ୟ ଭଳି ସେମାନଙ୍କ ସହ କଥା ହୁଅନ୍ତି।

କେବେ ଦେଖା ହୋଇନି

ମାନ ସିଂହଙ୍କ ପରିବାର ଲୋକ ଓ ଡିସିପି ଅସଲାମ ଖାନଙ୍କ ମଧ୍ୟରେ କେବେ ସାକ୍ଷାତ ହୋଇନାହିଁ। ବଲଜୀତ କହିଛନ୍ତି,“ଆମେ କେବେ ପରସ୍ପରକୁ ଭେଟି ନାହୁଁ। କିନ୍ତୁ ସେ ଆମକୁ ଫୋନ୍ କରନ୍ତି ଓ ଭଲମନ୍ଦ ପଚାରନ୍ତି। ବିଶେଷ କରି ମୋ ପଢ଼ାପଢ଼ି ବିଷୟରେ ପଚାରନ୍ତି। ମୋ ଭାଇକୁ ଜମ୍ମୁର ଏକ ଭଲ ସ୍କୁଲ୍‌ରେ ନାମ ଲେଖାଇବା ପାଇଁ ଆମେ କଥା ହୋଇଛୁ।”

ବଲଜୀତ ଆଇପିଏସ୍ ହେବାକୁ ସ୍ୱପ୍ନ ଦେଖୁଛନ୍ତି

ଡିସିପି ଅସଲାମ ଖାନଙ୍କ ଭଳି ଆଇପିଏସ୍ ଅଫିସର ହୋଇ ଦିଲ୍ଲୀ ପୋଲିସ୍‌ରେ କାର୍ଯ୍ୟ କରିବାକୁ ସ୍ୱପ୍ନ ଦେଖୁଛନ୍ତି ମାନ ସିଂହଙ୍କ ବଡ଼ ଝିଅ ବଲଜୀତ। ଏଥିପାଇଁ ସେ ପାଠ ପଢ଼ାରେ ଟିକେ ବି ହେଳା କରୁ ନାହାଁନ୍ତି। ବୋଧହୁଏ ସେ ଏ ପ୍ରେରଣା ଡିସିପି ଅସଲାମ ଖାନଙ୍କଠାରୁ ପାଇଛନ୍ତି।

ସୌଜନ୍ୟ: The Better India

Previous ArticleNext Article

Send this to a friend