ଶପଥ ନେବେ ୟେଦ୍ୟୁରପ୍ପା, କିନ୍ତୁ ଆସନ୍ତାକାଲି ଅସଲ ପରୀକ୍ଷା

supremecourt

ନୂଆଦିଲ୍ଲୀ: ଆଜି ଶପଥ ନେବେ ବିଜେପି ନେତା ବି.ଏସ୍ ୟେଦ୍ୟୁରପ୍ପା। ତାଙ୍କ ଶପଥ ଉପରେ ସୁପ୍ରିମ୍‌କୋର୍ଟ ରୋକ୍ ଲଗାଇ ନାହାଁନ୍ତି। ତେବେ ତାଙ୍କ ପଛରେ ଯେଉଁ ବିଧାୟକମାନଙ୍କ ସମର୍ଥନ ରହିଛି ତା’ର ତାଲିକା ଦେବା ପାଇଁ କୋର୍ଟ ବିଜେପିକୁ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ଗତ ୧୫ ଓ ୧୬ ତାରିଖର ସେହି ଚିଠିକୁ କୋର୍ଟଙ୍କ ନିକଟରେ ଦାଖଲ କରିବାକୁ ପଡ଼ିବ ଯାହାକୁ ୟେଦୁରପ୍ପା କର୍ଣ୍ଣାଟକ ରାଜ୍ୟପାଳଙ୍କୁ ଦେଇଥିଲେ। ସେଇ ଚିଠିରେ ସେ ସରକାର ଗଠନ କରିବାକୁ ଦାବି ଜଣାଇଥିଲେ ଓ ସେଥିରେ ତାଙ୍କ ପଛରେ କେତେ ବିଧାୟକଙ୍କ ସମର୍ଥନ ରହିଛି ତାହା ଉଲ୍ଲେଖ କରାଯାଇଥିଲା। ଆଜି ଦିନ ଦୁଇଟା ସୁଦ୍ଧା ଏହି ଚିଠି ଦାଖଲ କରିବାକୁ ପଡ଼ିବ। ଆସନ୍ତାକାଲି ସାଢ଼େ ୧୦ଟାରେ କୋର୍ଟ ପରବର୍ତ୍ତୀ ଶୁଣାଣି କରିବେ।

କୁହାଯାଉଛି, କୋର୍ଟ ଉକ୍ତ ଚିଠି ଦୁଇଟିକୁ ଅନୁଧ୍ୟାନ କରିବେ। ଆବଶ୍ୟକ ପଡ଼ିଲେ ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଥିବା ୟେଦ୍ୟୁରପ୍ପାଙ୍କୁ ଆସନ୍ତାକାଲି ପଦମୁକ୍ତ କରି ଦିଆଯାଇପାରେ।

କଂଗ୍ରେସ ନେତା ତଥା କୋର୍ଟରେ ଦଳ ପାଇଁ ଯୁକ୍ତି ବାଢ଼ିଥିବା ଅଭିଷେକ ସିଙ୍ଘଭି କହିଛନ୍ତି, ୟେଦ୍ୟୁରପ୍ପାଙ୍କ ଶପଥ ଅସ୍ଥାୟୀ। ଆସନ୍ତାକାଲି କାଗଜପତ୍ର ଦେଖିଲା ପରେ କୋର୍ଟ ତାଙ୍କ ଫଇସଲା ବଦଳାଇ ଦେଇପାରନ୍ତି।

ବହୁମତ ସାବ୍ୟସ୍ତ କରିବା ପାଇଁ କର୍ଣ୍ଣାଟକ ରାଜ୍ୟପାଳ ୟେଦ୍ୟୁରପ୍ପାଙ୍କୁ ୧୫ ଦିନ ସମୟ ଦେଇଥିବା ବେଳେ କଂଗ୍ରେସ ଏହା ଉପରେ ପ୍ରଶ୍ନ ଉଠାଇଛି। ଏହା ଉପରେ ବି କୋର୍ଟ ଆସନ୍ତାକାଲି ଶୁଣାଣି କରିବେ।

ଆଜି ରାତିରେ ଶୁଣାଣି ବେଳେ କୋର୍ଟ ଆଟର୍ଣ୍ଣି ଜେନେରାଲ କେ କେ ଭେନୁଗୋପାଳଙ୍କୁ ପଚାରିଥିଲେ, ବହୁମତ ସାବ୍ୟସ୍ତ କରିବା ପାଇଁ ବିଜେପିକୁ ୧୫ ଦିନ କାହିଁକି ଦରକାର। ଏହାର ଉତ୍ତରରେ ସେ କହିଥିଲେ, ଏହା ରାଜ୍ୟପାଳଙ୍କ ବିବେକ ଉପରେ ନିର୍ଭର କରେ। ତା’ପରେ କୋର୍ଟ ପଚାରିଥିଲେ ତା’ହେଲେ ବିଜେପି ବହୁମତ ସାବ୍ୟସ୍ତ କରିବାରେ ଫେଲ୍ ହେବ। ସେ କହିଥିଲେ ଯେ ଏ କଥା ତାଙ୍କୁ ଜଣାନାହିଁ। କୋର୍ଟ ତା’ପରେ ପଚାରିଥିଲେ ଆପଣଙ୍କ (ବିଜେପିର) ସଂଖ୍ୟା ତ ସେଭଳି କହୁଛି। ଏହାର ଜବାବର ଭେନୁଗୋପାଳ କହିଥିଲେ ଯେ ଏବେଠୁ କିଛି କହି ହେବ ନାହିଁ।

Previous ArticleNext Article

Send this to a friend