ଭୁବନେଶ୍ୱର: ରାଜ୍ୟରେ ମାଗଣା ଆମ୍ବୁଲାନ୍ସ ସେବା ପ୍ରଦାନ କରୁଥିବା ୧୦୮ର କର୍ମଚାରୀମାନେ ଆଜିଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଫଳରେ ସମଗ୍ର ରାଜ୍ୟରେ ୧୦୮ ଆମ୍ବୁଲାନ୍ସ ସେବା ଠପ୍ ହୋଇଯାଇଛି। ରାଜ୍ୟ ସରକାରଙ୍କ ନୂଆ ଶ୍ରମ ଆଇନ ଅନୁଯାୟୀ ଦରମା ପ୍ରଦାନ, ୧୨ ଘଣ୍ଟା ବଦଳରେ ୮ ଘଣ୍ଟାଟିଆ ସିଫ୍ଟ ବ୍ୟବସ୍ଥା, ଓଭର ଟାଇମ୍ ପ୍ରଦାନ, ବିନା କାରଣରେ ବାହାର କରାଯାଇଥିବା କର୍ମଚାରୀମାନଙ୍କୁ ପୁନଃ ଥଇଥାନ ଭଳି ୧୦ ଦଫା ଦାବି ନେଇ ଆମ୍ବୁଲାନ୍ସ କର୍ମଚାରୀମାନେ ଆନ୍ଦୋଳନ କରିଛନ୍ତି। ଏଥିରେ କଟକ ଜିଲ୍ଳାର ୧୫୦ କର୍ମଚାରୀଙ୍କ ସହ ରାଜ୍ୟରେ କାର୍ଯ୍ୟ କରୁଥିବା ପ୍ରାୟ ୩ ହଜାର କର୍ମଚାରୀ ସାମିଲ ହୋଇଛନ୍ତି। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ ବୋଲି ୧୦୮ ଆମ୍ବୁଲାନ୍ସ କର୍ମଚାରୀମାନେ ପ୍ରକାଶ କରିଛନ୍ତି।
ଜାତୀୟ ସ୍ୱାସ୍ଥ୍ୟ ମିଶନ (ଏନଏଚଏମ) ନିର୍ଦ୍ଦେଶକ ରୁପା ମିଶ୍ର କହିଛନ୍ତି ଯେ ରାଜ୍ୟର ୧୪ଟି ଜିଲ୍ଲାରେ ୨୦୫ଟି ଆମ୍ବୁଲାନ୍ସର କର୍ମଚାରୀ ଆଜି କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିଛନ୍ତି। ସେମାନଙ୍କ ମଧ୍ୟରେ ଅନେକ ଆନ୍ଦୋହଳନରୁ ଓହରି ଗଲେଣି। ଆଉ କିଛି ଆନ୍ଦୋଳନ ଜାରି ରଖିଛନ୍ତି। ଆନ୍ଦୋଳନ ପ୍ରତ୍ୟାହାର କରି ନେବାକୁ ସେମାନଙ୍କ ସହିତ ଆଲୋଚନା ହେଉଛି। ତାହା ସହିତ ବିକଳ୍ପ ବ୍ୟବସ୍ଥା କରିବା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।