ଭୁବନେଶ୍ୱର(ଓଡିଶା ରିପୋର୍ଟର): ଥାନାକୁ ଆସିଥିବା ବେଳେ ଅଭିଯୋଗକାରୀଙ୍କୁ ପୋଲିସ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଛି। ଘଟଣାଟି ଘଟିଛି କେନ୍ଦୁଝର ଜିଲ୍ଲା ପଣ୍ଡାପଡା ଥାନାରେ। ଅଭିଯୋଗ ଅନୁଯାୟୀ, ବକ୍ସି ବାରିଗାଁର ଶରତ ଚନ୍ଦ୍ର ମଲ୍ଲିକ ଗତ ୧୨ ତାରିଖରେ ଜଙ୍ଘିରା ବ୍ୟାଙ୍କକୁ ଟଙ୍କା ଜମା କରିବାକୁ ଯାଇଥିଲେ। ହେଲେ ତାଙ୍କ ବାଇକ ଡିକିରୁ କେହି ଟଙ୍କା ଚୋରି କରି ନେଇଥିଲା। ଏନେଇ ସେ ପଣ୍ଡାପଡା ଥାନାକୁ ଏତଲା ଦେବାକୁ ଯାଇଥିଲେ। କିନ୍ତୁ ତାଙ୍କୁ ନ୍ୟାୟ ବଦଳରେ ଥାନା ଅଧିକାରୀ ଜଣକ ମାଡ଼ ମାରି ଲହୁଲୁହାଣ କରି ପକାଇଥିଲେ । ଏପରିକି ତାଙ୍କ ମାଆକୁ ମଧ୍ୟ ପୋଲିସ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏନେଇ ସଦର ଏସଡିପିଓଙ୍କୁ ଜଣାଇଛନ୍ତି ଶରତ। ଏପରିକି ନ୍ୟାୟ ପାଇଁ ତାଙ୍କ ମା’ ଏସ୍ଡିପିଓଙ୍କ ଗୋଡ଼ ଧରିପକାଇଥିଲେ। ତଦନ୍ତ ପରେ ଘଟଣାର ସତ୍ୟତା ଥିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଏସଡିପିଓ। ହେଲେ ମାଡ ମରାଯିବା ଘଟଣା ନେଇ ସମ୍ପୃକ୍ତ ପୋଲିସ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।