ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବନ୍ଦର ନଗରୀ ପାରାଦୀପରେ ନିର୍ମାଣ ହେବ ଏୟାରପୋର୍ଟ। ଏହାଛଡ଼ା ୪୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ନିର୍ମାଣ ନେଇ ନୂଆଦିଲ୍ଲୀରେ ବସିଥିବା ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ନିଷ୍ପତ୍ତି ନିଆଯାଇଛି। ସାଗରମାଳା ପ୍ରୋଜେକ୍ଟରେ ପାରାଦୀପ ବନ୍ଦର ଉନ୍ନତି ନେଇ ବୈଠକରେ ଆଲୋଚନା ହୋଇଛି।
ନୂଆଦିଲ୍ଲୀ ଟ୍ରାନ୍ସପୋର୍ଟ ଭବନରେ ବସିଥିବା ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ କେନ୍ଦ୍ର ଜାହାଜ ଚଳାଚଳ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ। ବୈଠକରେ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରୀ ହରିଷମିତ୍ କୌର ଓ ପାରାଦୀପ ବନ୍ଦର ଅଧ୍ୟକ୍ଷ ପ୍ରମୁଖ ଉପସ୍ଥିତ ଥିଲେ। ଏଥିରେ ପାରାଦୀପ ବନ୍ଦର ବିଭିନ୍ନ ଉନ୍ନତିକରଣ କାର୍ଯ୍ୟ ନେଇ ଆଲୋଚନା ହୋଇଛି। ଏହି ଅବସରରେ ପାରାଦୀପକୁ ଦେଶର ଅନ୍ୟତମ ସ୍ମାର୍ଟ ସିଟି କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହାଛଡ଼ା ପାରାଦୀପ ଓ ଏହାର ଆଖପାଖରେ ୪୦ଟି ପ୍ରୋଜେକ୍ଟ ନେଇ ଯୋଜନା ହୋଇଥିବା ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ସେହିଭଳି ମହାନଦୀ ପରିବର୍ତ୍ତେ ସମୁଦ୍ର ଜଳକୁ ବିଶୁଦ୍ଧିକରଣ କରି ବ୍ୟବହାର ଲକ୍ଷ୍ୟ ରଖାଯାଇଥିବା ବେଳେ ଏଥିପାଇଁ ମୋଟ ୯୨ ହଜାର କୋଟି ଟଙ୍କା ବ୍ୟୟବରାଦ ହେବ ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।