ଟଙ୍କା, ମଦ, ମାଂସକୁ ସାବଧାନ୍‌ !

ଭୁବନେଶ୍ୱର(ଓଡିଶା ରିପୋର୍ଟର): ପାହିଲେ ପୁଣି ଚଳଚଞ୍ଚଳ ହେବ ବିଜେପୁର। ଦୀର୍ଘଦିନର ପ୍ରଚାର, ଆରୋପ, ପ୍ରତ୍ୟାରୋପ, କନ୍ଦଳ ଭିତରେ ୨ ଦିନ ଧରି ସ୍ତବ୍ଧ ହୋଇଯାଇଥିବା ବିଜେପୁରରେ ହେବ ଭୋଟ୍‌। ପୁଣି ଚାଲିବ ଗହଳଚହଳ। ପୁଲିଂ ବୁଥ୍‌ରେ ନିଜ ମତାଧିକାର ସାବ୍ୟସ୍ତ କରିବେ ବିଜେପୁରବାସୀ। ଏଣେ ୩ ପ୍ରମୁଖ ଦଳ ଭିତରେ ଲଢେଇ ଜୋରଦାର ହେବ ବୋଲି ଚାରିଆଡେ ଚର୍ଚ୍ଚା। ବିଜେଡିର ପୂର୍ବତନ ବିଧାୟକ ମୃତ ସୁବଳ ସାହୁଙ୍କ ପତ୍ନୀ ରୀତା ସାହୁ ସିମ୍ପାଥି ଭୋଟ୍‌ ପାଇ ବିଜେଡିକୁ […]

Khela

Khela

Rakesh Mallick
  • Published: Friday, 23 February 2018
  • Updated: 23 February 2018, 10:04 PM IST

Sports

Latest News

ଭୁବନେଶ୍ୱର(ଓଡିଶା ରିପୋର୍ଟର): ପାହିଲେ ପୁଣି ଚଳଚଞ୍ଚଳ ହେବ ବିଜେପୁର। ଦୀର୍ଘଦିନର ପ୍ରଚାର, ଆରୋପ, ପ୍ରତ୍ୟାରୋପ, କନ୍ଦଳ ଭିତରେ ୨ ଦିନ ଧରି ସ୍ତବ୍ଧ ହୋଇଯାଇଥିବା ବିଜେପୁରରେ ହେବ ଭୋଟ୍‌। ପୁଣି ଚାଲିବ ଗହଳଚହଳ। ପୁଲିଂ ବୁଥ୍‌ରେ ନିଜ ମତାଧିକାର ସାବ୍ୟସ୍ତ କରିବେ ବିଜେପୁରବାସୀ। ଏଣେ ୩ ପ୍ରମୁଖ ଦଳ ଭିତରେ ଲଢେଇ ଜୋରଦାର ହେବ ବୋଲି ଚାରିଆଡେ ଚର୍ଚ୍ଚା। ବିଜେଡିର ପୂର୍ବତନ ବିଧାୟକ ମୃତ ସୁବଳ ସାହୁଙ୍କ ପତ୍ନୀ ରୀତା ସାହୁ ସିମ୍ପାଥି ଭୋଟ୍‌ ପାଇ ବିଜେଡିକୁ ମହିମାନ୍ୱିତ କରିବେ ନା ବିଜେଡି ଛାଡି ପଦ୍ମ ଧରିଥିବା ଅଶୋକ ପାଣିଗ୍ରାହୀ ମୋଦିଙ୍କ ନାଁରେ ବିଜେପୁରକୁ ହାତେଇ ନେବେ ସେ କଥାର ନିଷ୍ପତ୍ତି କରିବେ ଜନତା। ଆଉ ଏହି ୨ ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀଙ୍କ ପାଇଁ କଣ୍ଟା ହୋଇ ଛିଡା ହୋଇଥିବା ଗାଇସିଲଟ୍‌ ବ୍ଲକର କଂଗ୍ରେସ ଅଧ୍ୟକ୍ଷ ପ୍ରଣୟ ସାହୁଙ୍କ ଲାଗି ଏଠାକର ରାଜନୈତିକ ପାଣିପାଗରେ କି ପରିବର୍ତ୍ତନ ହେବ ସବୁ କହିବ କାଲି ସକାଳ।

ଏହି ପ୍ରସଙ୍ଗରେ ଲେଖିବା ବେଳେ ମହାଭାରତ ଯୁଦ୍ଧର ଗୋଟିଏ କଥା ଆମେ ଆପଣଙ୍କୁ କହୁଛୁ। ଯୁଦ୍ଧରେ ଜଣେ ପ୍ରମୁଖ ଯୋଦ୍ଧା ଥିଲେ ମଦ୍ରରାଜ ଶଲ୍ୟ। ପଣ୍ଡୁଙ୍କ ଦ୍ବୀତିୟ ପତ୍ନୀ ମାଦ୍ରୀଙ୍କ ଭ୍ରାତା ତଥା ନକଳୁ ଓ ସହଦେବଙ୍କ ମାମୁ ହେଉଛନ୍ତି ଶଲ୍ୟ।  ପ୍ରଚଣ୍ଡ ରଥିଯୋଦ୍ଧା ଭାବେ ଶଲ୍ୟଙ୍କ କୀର୍ତ୍ତି ଥିଲା ଅଭୁତପୂର୍ବ। ହେଲେ ଏମିତି ଗୋଟିଏ ରାତି ତାଙ୍କୁ ବଦଳାଇ ଦେଇଥିଲା। ଧର୍ମର ବିପକ୍ଷରେ ଯୁଦ୍ଧ କରିବାକୁ ସେ ବିବଶ ହୋଇଗଲେ। ଦୁର୍ଯ୍ୟୋଧନ ଜାଣିଥିଲେ ଶଲ୍ୟ ହେଉଛନ୍ତି ବଚନ ରକ୍ଷାକାରୀ ଜଣେ ବୀର ଯୋଦ୍ଧା ଆଉ ଚରିତ୍ରରେ ଲମ୍ପଟ। ଏଣୁ ସେ ନିଜ ପକ୍ଷକୁ ଶଲ୍ୟଙ୍କୁ ଆଣିବା ପାଇଁ ମାତ୍ର ଗୋଟିଏ ରାତିରେ ଯୋଜନା କରିଥିଲେ। ଶେଷରେ ମଦ୍ରରାଜ ଜଣେ ନାରୀଙ୍କ ରୂପରେ ମୋହଗ୍ରସ୍ତ ହୋଇ ନିଶାଶକ୍ତ ଅବସ୍ଥାରେ ବଚନ ଦେଇ ବସିଲେ ଦୁର୍ଯ୍ୟୋଧନଙ୍କ ପକ୍ଷରୁ ଯୁଦ୍ଧ କରିବାକୁ। ସେଇ ରାତି ସବୁ ବଦଳାଇ ଦେଲା।

ଆମେ ଏଠାରେ ମହାଭାରତର ଏହି କାହାଣୀଟି ଆପଣଙ୍କୁ ମନେପକାଇବାର କାହାଣ କ’ଣ ଜାଣନ୍ତି। ଆପଣ ହୁଏତ ବୁଝିପାରୁ ନ ଥିବେ। ଠିକ୍‌ ସେହି ରାତି ପରି ଆଜି ରାତିରେ ବିଜେପୁର ଚିତ୍ର ଚରିତ୍ରରେ କିଛି ପରିବର୍ତ୍ତନ ହେବନି ତ? ଏ ପ୍ରଶ୍ନର ଉତ୍ତର ଆମେ ନୁହେଁ ଆପଣ ବି ଖୋଜୁଥାଇ ପାରନ୍ତି। କାରଣ ମନକୁ ହରାଇଦେବାକୁ  ଲୋଭ ଏକ ଅମୋଘ ଅସ୍ତ୍ର। ସ୍ବଳ୍ପ ସମୟରେ ଏହି କାର୍ଯ୍ୟଟିକୁ କରି ଦେଖାଇବାର ଦକ୍ଷତା କେବଳ ‘ଲୋଭ’ର ହିଁ ରହିଛି। ଢୋକେ ମଦ ଅଥବା ଖଡ୍‌ଖଡିଆ ନୋଟ୍‌ ସବୁ ବଦଳାଇବାକୁ ସମର୍ଥ। ଏ କଥା ହୁଏତ ଆପଣ ଅବିଶ୍ୱାସ କରିବେନି। ଏଣୁ ମଦ, ମାଂସ ଆଉ ଅର୍ଥ ଲୋଭରେ କଂଗ୍ରେସିଆ ସମର୍ଥକ ବିଜେପିର ଆଉ ବିଜେଡିବାଲା ସମର୍ଥକ କଂଗ୍ରେସିଆ ହୋଇପାରନ୍ତି, ଏ କଥା କେବେ ଅସମ୍ଭବ ନୁହେଁ। ସବୁ ଦଳ ସ୍ବଚ୍ଛ ନୁହଁନ୍ତି, ଆଉ ସବୁ ରାଜନେତେ ମଧ୍ୟ ଦୁର୍ନୀତିଗ୍ରସ୍ତ ନୁହଁନ୍ତି। ଏଣୁ ବିବେକାନୁମୋଦନ କରି ଭୋଟ ଖଣ୍ଡକ ଦେବା ପ୍ରକୃତରେ ଜଣେ ଭଲ ମତଦାତାର ଲକ୍ଷଣ। ଏହାକୁ ବିଜେପୁରର ସଚେତନ ନାଗରିକ ନିଶ୍ଚିତ ଭାବେ ହୃଦୟଙ୍ଗମ୍‌ କରିଥିବେ ବୋଲି ଆଶା। ତଥାପି ଅନେକ ସ୍ଥାନରେ ଗୋପନରେ ଆୟୋଜନ ହେଉଥିବା ମଦ ଓ ମଟନ ଭୋଜିକୁ ବା କ’ଣ ଭରଷା। କିଏ କହିବ ଏଠି କ’ଣ ନ ହେବ ବୋଲି।

ଆଜି ରାତିକୁ ସମସ୍ତଙ୍କ ଭୟ। ରାଜେନେତାଙ୍କ ଛାତି ଧଡକୁଥିବା ବେଳେ ପୋଲିସ ବି ଡରି ଡରି ସଜାଗ ହୋଇଯାଇଛି। ଛକ ଛକରେ ଛାଉଣୀ। ଗାଡିଟିଏ ଜୋରରେ ହର୍ଣ୍ଣମାରିଲେ ଧରାହେବ। ସନ୍ଧିଗ୍ଧ ଅବସ୍ଥାରେ କେହି ବୁଲୁଥିଲେ ତନ୍ନ ତନ୍ନ କରି ତା ପକେଟ ସବୁ ଅଣ୍ଡାଳିବ ପୋଲିସ। ସତେ ଯେମିତି ଆଜି ରାତିଟା ପୁରା ଭୟଙ୍କର। ଅବଶ୍ୟ ଏ କଥାକୁ ପୂର୍ବରୁ ହୃଦୟଙ୍ଗମ କରିଥିଲା ପୋଲିସ୍‌। ସେଇଥିପାଇଁ ତ ବଣ୍ଟାଯାଇଥିଲା ପାମ୍ପ୍ଲେଟ୍‌। ଆଉ ଯୋଉଥିରେ ଲେଖାଥିଲା “ଭୋଟକେ କହ ହଁ, ନୋଟ୍‌କେ କହ ନାଇଁ”। ବୁଝିପାରୁଛନ୍ତି ତ ! ଏଣୁ ନିଷ୍ପତି ଆପଣଙ୍କର କାହା ଚାପ କାହା ଲୋଭରେ ପଡି ନିଜ ଗୁରୁତ୍ବ ହରାନ୍ତୁ ନାହିଁ। ଭାବନ୍ତୁ ଆପଣ ଏ ଦେଶର ଜଣେ ମୂଲ୍ୟବାନ୍‌ ଭୋଟର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos