ବିଜେପୁର ଭୋଟ୍ ଇତିହାସ: ଜାଣନ୍ତୁ କିଏ କେତେ ଥର ଜିତିଛି, କିଏ ଥିଲେ ପ୍ରଥମ ବିଧାୟକ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେପୁର ଉପ-ନିର୍ବାଚନ ପାଇଁ ମଇଦାନ ଏବେ ପୂରା ପ୍ରସ୍ତୁତ ବୋଲି କୁହାଯାଇ ପାରିବ। କାରଣ ପ୍ରାର୍ଥିପତ୍ର ଯାଞ୍ଚ ପରେ ବୁଧବାର ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇଛି। ୧୭ଟି ନାମାଙ୍କନରୁ ୩ଟି ଖାରଜ ହୋଇଛି। ଅତଏବ ବର୍ତ୍ତମାନ ଏହି ଲଢ଼େଇରେ ଅଛନ୍ତି ୧୪ ଜଣ ପ୍ରାର୍ଥୀ। ଅବଶ୍ୟ ନାମାଙ୍କନ ପତ୍ର ପ୍ରତ୍ୟାହାର କରିବା ପାଇଁ ଚାହୁଁଥିବା ପ୍ରାର୍ଥୀମାନେ ଏବେ ବି ତାହା କରିପାରିବେ। କାରଣ ସେମାନଙ୍କ ପାଇଁ ଆସନ୍ତାକାଲି (ଫେବ୍ରୁଆରୀ ୯, ଶୁକ୍ରବାର) ପର୍ଯ୍ୟନ୍ତ […]

Bijepurimage

Bijepurimage

Rakesh Mallick
  • Published: Thursday, 08 February 2018
  • Updated: 08 February 2018, 07:28 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେପୁର ଉପ-ନିର୍ବାଚନ ପାଇଁ ମଇଦାନ ଏବେ ପୂରା ପ୍ରସ୍ତୁତ ବୋଲି କୁହାଯାଇ ପାରିବ। କାରଣ ପ୍ରାର୍ଥିପତ୍ର ଯାଞ୍ଚ ପରେ ବୁଧବାର ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇଛି। ୧୭ଟି ନାମାଙ୍କନରୁ ୩ଟି ଖାରଜ ହୋଇଛି। ଅତଏବ ବର୍ତ୍ତମାନ ଏହି ଲଢ଼େଇରେ ଅଛନ୍ତି ୧୪ ଜଣ ପ୍ରାର୍ଥୀ। ଅବଶ୍ୟ ନାମାଙ୍କନ ପତ୍ର ପ୍ରତ୍ୟାହାର କରିବା ପାଇଁ ଚାହୁଁଥିବା ପ୍ରାର୍ଥୀମାନେ ଏବେ ବି ତାହା କରିପାରିବେ। କାରଣ ସେମାନଙ୍କ ପାଇଁ ଆସନ୍ତାକାଲି (ଫେବ୍ରୁଆରୀ ୯, ଶୁକ୍ରବାର) ପର୍ଯ୍ୟନ୍ତ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବାକୁ ସମୟ ଅଛି। ଯଦି ଆସନ୍ତାକାଲି ସୁଦ୍ଧା କେହି ପ୍ରାର୍ଥିପତ୍ର ପ୍ରତ୍ୟାହାର ନ କରନ୍ତି ତା’ହେଲେ ଏହି ବହୁ ଚର୍ଚ୍ଚିତ ଉପନିର୍ବାଚନରେ ୧୪ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ଲଢ଼େଇ ହେବ।

ପ୍ରାର୍ଥୀ

ବିଜେଡିରୁ ଏହି ଉପ-ନିର୍ବାଚନରେ ପ୍ରାର୍ଥୀ ହୋଇଛନ୍ତି ରୀତା ସାହୁ। ସେ ପ୍ରଥମ ଥର ପାଇଁ ନିର୍ବାଚନୀ ମଇଦାନରେ ଓହ୍ଲାଇଛନ୍ତି। ଏହି ଆସନରୁ ତାଙ୍କ ସ୍ୱାମୀ ସୁବଳ ସାହୁ କଂଗ୍ରେସ ଟିକେଟ୍‌ରେ ବିଧାୟକ ହୋଇଥିଲେ। ତେବେ ତାଙ୍କର ପରଲୋକ ପରେ ତାଙ୍କ ପରିବାର କଂଗ୍ରେସ ଛାଡ଼ି ବିଜେଡିରେ ମିଶିଲେ ଓ ବିଜେଡି ତାଙ୍କୁ ଏହି ଉପ-ନିର୍ବାଚନ ପାଇଁ ପ୍ରାର୍ଥୀ କରିଛି।

ବିଜେପି ଅଶୋକ ପାଣିଗ୍ରାହୀଙ୍କୁ ପ୍ରାର୍ଥୀ କରିଛି। ଦଳ ପାଇଁ ସେ ନୂଆ ମୁହଁ। କାରଣ ସେ ବିଜେଡିରେ ଥିଲେ। ରୀତା ସାହୁଙ୍କୁ ବିଜେଡି ପ୍ରାର୍ଥୀ କରିବାରୁ ଅଶୋକ କ୍ଷୁବ୍ଧ ହୋଇ ଦଳ ଛାଡ଼ି ବିଜେପିରେ ମିଶିଛନ୍ତି।

ବହୁ ମାନସ ମନ୍ଥନ ପରେ କଂଗ୍ରେସ ପ୍ରଣୟ ସାହୁଙ୍କୁ ପ୍ରାର୍ଥୀ କରିଛି। ସେ ଏବେ ଗାଇସିଲଟ୍ ବ୍ଲକ୍ ଉପାଧ୍ୟକ୍ଷ ଅଛନ୍ତି। ଏହି ତିନି ପ୍ରାର୍ଥୀଙ୍କ ମଧ୍ୟରେ ମୁଖତଃ ଲଢ଼େଇ ହେବ। ତେବେ ଏମାନଙ୍କ ବାଦ୍ ଏହି ଉପ-ନିର୍ବାଚନରେ କୁବେର ଜାଲ ଯାଦବ, ପ୍ରମୋଦ ଛତର, ରାଜେନ୍ଦ୍ର ପୁରୋହିତ, ଚୂଡ଼ାମଣି କେଶହରୀ, ରଥ ଖାଲ୍‌କୋ, ଜେହେରୁ ବାଗ୍ ଓ ଦେବାର୍ଚ୍ଚନ ନାୟକ ପ୍ରମୁଖ ସ୍ୱାଧୀନ ପ୍ରାର୍ଥୀ ଭାବେ ଛିଡ଼ା ହୋଇଛନ୍ତି। ସେହିପରି ଏପିଆଇର ପୂର୍ଣ୍ଣଚନ୍ଦ୍ର ପାଇକ, ପିବିଆଇର ଯୁଗଳ କିଶୋଣ ସାହୁ, ଆରପିଆଇ (ଏ)ର ଦେବହରି ହରପାଲ ଓ ସଦାଶିବ ନାଗ ପ୍ରମୁଖ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।

କଂଗ୍ରେସର ଗଡ଼ ବିଜେପୁର

ବିଜେପୁର ବିଧାନସଭା ନିର୍ବାଚନମଣ୍ଡଳୀ ୧୯୬୧ରେ ଗଠନ ହୋଇଥିଲା। ଏହି ନିର୍ବାଚନ ମଣ୍ଡଳୀରେ ବିଜେପୁର ବ୍ଲକ୍, ଗାଇସିଲଟ୍ ବ୍ଲକ୍ ଓ ବରପାଲି ବ୍ଲକ୍‌ ଅନ୍ତର୍ଭୁକ୍ତ। ୧୯୬୧ରୁ ୨୦୧୪ ମଧ୍ୟରେ ଏହି ଆସନ ପାଇଁ ୧୩ ଥର ନିର୍ବାଚନ ଅନୁଷ୍ଠିତ ହୋଇଛି। ସେଥିମଧ୍ୟରୁ ୭ ଥର କଂଗ୍ରେସର ପ୍ରାର୍ଥୀ ବାଜି ମାରିଛନ୍ତି। ୧୯୬୧ରେ ପ୍ରଥମେ ଏହି ଆସନରୁ ବିଜୟୀ ହୋଇଥିଲେ ମୋହନ ନାଗ। ସେ କଂଗ୍ରେସ ଟିକେଟ୍‌ରେ ନିର୍ବାଚନ ଲଢ଼ି ଜିତିଥିଲେ। ୧୯୬୭ରେ ସେ ପୁଣି ଜିତିଥିଲେ। ୧୯୭୧ରେ ଏହି ଆସନ ଚାଲି ଯାଇଥିଲା କଂଗ୍ରେସ (ଜେ) ପାଖକୁ। ଦଳୀୟ ପ୍ରାର୍ଥୀ ତ୍ରିବିକ୍ରମ୍‌ ମଲ୍ଲିକ ହୋଇଥିଲେ ବିଧାୟକ। ୧୯୭୪ ନିର୍ବାଚନରେ ଏହି ଆସନରେ ବିଜୟୀ ହୋଇଥିଲେ ଉତ୍କଳ କଂଗ୍ରେସ ପ୍ରାର୍ଥୀ ଗଣନାଥ ପ୍ରଧାନ। ୧୯୭୭ରେ ଜନତା ପାର୍ଟିର ନିତ୍ୟାନନ୍ଦ ଗଡ଼ତିଆ ଏହି ଆସନରୁ ଜିତିଥିଲେ। ୧୯୮୦ରେ ବିଜେପୁର ଆସନ ପୁଣି କଂଗ୍ରେସ ହାତକୁ ଫେରିଥିଲା। ସେ ବର୍ଷ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ରାଜୀବ ଲୋଚନ ହୋତା ବିଜୟୀ ହୋଇଥିଲେ। ୧୯୮୫ ଓ ୧୯୯୦ ନିର୍ବାଚନରେ ଜନତା ଦଳ ଏହି ଆସନ ହାତେଇ ଥିଲା। ଦୁଇ ଥର ଯାକ ନିକୁଞ୍ଜ ବିହାରୀ ସିଂହ ବିଜୟୀ ହୋଇ ବିଧାୟକ ହୋଇଥିଲେ। ୧୯୯୫ରେ କଂଗ୍ରେସର ରିପୁନାଥ ସେଠ ଏହି ଆସନରୁ ନିର୍ବାଚନ ଜିତିଥିଲେ। କିନ୍ତୁ ୨୦୦୦ରେ ବିଜେଡି ଏଠାରେ ବାଜି ମାରିଥିଲା। ବର୍ତ୍ତମାନ ବିଜେପିରୁ ପ୍ରାର୍ଥୀ ହୋଇଥିବା ଅଶୋକ ପାଣିଗ୍ରାହୀ ସେହିବର୍ଷ ନିର୍ବାଚନ ଜିତି ବିଧାୟକ ହୋଇଥିଲେ। କିନ୍ତୁ ୨୦୦୪ରୁ ସୁବଳ ସାହୁଙ୍କ ମୃତ୍ୟୁ ପର୍ଯ୍ୟନ୍ତ ଏହି ଆସନ କଂଗ୍ରେସ କବ୍‌ଜାରେ ରହିଆସିଛି। ସୁବଳ ସାହୁ ଏହି ଆସନରୁ କ୍ରମାଗତ ୨୦୦୪, ୨୦୦୯ ଓ ୨୦୧୪ରେ ନିର୍ବାଚନ ଜିତିଥିଲେ। ଏଥର ଦଳର ସ୍ଥିତି କ’ଣ ହେବ ତାହା ନିର୍ବାଚନ ଫଳାଫଳ ପରେ ଜଣାପଡ଼ିବ। କାରଣ ସୁବଳ ସାହୁଙ୍କ ପତ୍ନୀ ବିଜେଡିର ପ୍ରାର୍ଥୀ ହୋଇଛନ୍ତି।

୨୦୧୪ରେ ଅଳ୍ପକେ ଜିତିଥିଲା କଂଗ୍ରେସ

ଗତ ବିଧାନସଭା ନିର୍ବାଚନରେ ସ୍ୱର୍ଗତ ସୁବଳ ସାହୁ ଅଳ୍ପ ଭୋଟ୍‌ରେ ଜିତିଥିଲେ। ସେ ୫୩,୨୯୦ ଭୋଟ୍ ପାଇଥିଲେ। ତାଙ୍କୁ କଡ଼ା ଟକ୍କର ଦେଇଥିଲେ ବିଜେଡିର ପ୍ରସନ୍ନ ଆଚାର୍ଯ୍ୟ। ସେ ୫୨,୮୩୨ ଖଣ୍ଡ ଭୋଟ୍ ପାଇଥିଲେ। ଅର୍ଥାତ୍ ସେ ମାତ୍ର ୪୫୮ ଖଣ୍ଡ ଭୋଟ୍‌ରେ ହାରିଥିଲେ। ବିଜେପି ଜୟଶଙ୍କର ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିଥିଲା। ସେ ୩୦,୦୦୧ଟି ଭୋଟ୍ ପାଇଥିଲେ। ବିଜେଡି ପ୍ରାର୍ଥୀ ନ କରିବାରୁ ଅଶୋକ ପାଣିଗ୍ରାହୀ ସ୍ୱାଧୀନ ଭାବେ ଛିଡ଼ା ହୋଇଥିଲେ। ସେ ୧୮,୨୩୨ଟି ଭୋଟ୍ ପାଇଥିଲେ। ଓଜେଏମ୍‌ର କିଶୋର ଦପହଦାର ୨,୯୩୧ ଖଣ୍ଡ ଭୋଟ୍ ପାଇଥିବା ବେଳେ ଆପ୍‌ର ସୁରେଶ ତ୍ରିପାଠୀ ୧୬୫୯, ଆମ୍ବେଦକର ପାର୍ଟି ଅଫ୍ ଇଣ୍ଡିଆର ପୂର୍ଣ୍ଣଚନ୍ଦ୍ର ପାଇକ ୧୫୬୧, ବିଏସ୍‌ପିର ଜୟରାମ ବାଗ ୧୪୨୯, ତୃଣମୂଳ କଂଗ୍ରେସର ରୋହିତ କୁମାର ସାହୁ ୯୩୫, ରିପବ୍ଲିକାନ୍‌ ପାର୍ଟି ଅଫ୍‌ ଇଣ୍ଡିଆ (ଡେମୋକ୍ରାଟିକ୍) କୁମାର ନନ୍ଦ ୮୩୮ ଓ ଏଓପିର ସଚିଦାନନ୍ଦ ପାତ୍ର ୭୫୪ ଖଣ୍ଡ ଭୋଟ୍ ପାଇଥିଲେ।

ବିଜେପି ଓ ବିଜେଡିର ଭୋଟ୍ ଭାଗ ବଢ଼ିଥିଲା

କଂଗ୍ରେସର ସୁବଳ ସାହୁ ୨୦୦୯ରେ ୫୬,୮୬୪ ଭୋଟ୍ ପାଇଥିଲେ। ୨୦୧୪ରେ ତାଙ୍କ ଭୋଟ୍ କମି ଥିଲା। ୨୦୦୯ ଅପେକ୍ଷା ୨୦୧୪ରେ ବିଜେଡିର ଭୋଟ୍ ସଂଖ୍ୟା ବଢ଼ିଥିଲା। ୨୦୦୯ରେ ଏଠାରେ ବିଜେଡି ପ୍ରଭାତ ଆଦିତ୍ୟ ମିଶ୍ରଙ୍କୁ ପ୍ରାର୍ଥୀ କରିଥିଲା। ସେ ୪୭,୮୯୩ଟି ଭୋଟ୍ ପାଇଥିଲେ। ୨୦୧୪ରେ ଏହି ଆସନରେ ପ୍ରସନ୍ନ ଆଚାର୍ଯ୍ୟ ପ୍ରାର୍ଥୀ ହୋଇ ୫୨,୮୩୨ଟି ଭୋଟ୍ ପାଇଥିଲେ। ଅର୍ଥାତ୍‌ ଦଳ ୪୯୩୯ଟି ଅଧିକ ଭୋଟ୍ ପାଇଥିଲା। ୨୦୦୯କୁ ଦେଖିଲେ ୨୦୧୪ରେ ବିଜେପି ମଧ୍ୟ ଅଧିକ ଭୋଟ୍ ପାଇଥିଲା। ୨୦୦୯ରେ ଦଳ ଏହି ଆସନରେ ମହମ୍ମଦ ରଫିକ୍‌ଙ୍କୁ ପ୍ରାର୍ଥୀ କରିଥିଲା। ସେ ୧୯,୪୯୩ଟି ଭୋଟ୍ ପାଇଥିଲେ। ୨୦୧୪ରେ ଦଳୀୟ ପ୍ରାର୍ଥୀ ଜୟଶଙ୍କର ପଟ୍ଟନାୟକ ୩୦,୦୦୧ଟି ଭୋଟ୍ ପାଇଥିଲା। ଅର୍ଥାତ୍ ଦଳ ୧୦,୫୦୮ ଖଣ୍ଡ ଅଧିକ ଭୋଟ୍ ପାଇଥିଲା।

 

 

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos