ବାପା ଲଣ୍ଡନରୁ ଡାକି ଶିଳ୍ପପତି କରିଥିଲେ, ପୁଅ ଶେଷଶଯ୍ୟା ପାଖକୁ ବି ଆସିଲେନି

ଭୁବନେଶ୍ୱର (ଅମରେଶ ବିଶ୍ୱାଳ): ରାଜ୍ୟରେ ଶାସନ କରୁଥିବା ବିଜେଡି ସରକାର ଶିଳ୍ପର ବିକାଶ ପାଇଁ ବହୁତ କିଛି କରିଛନ୍ତି। ଶିଳ୍ପ ପ୍ରତିଷ୍ଠା ପାଇଁ ବାହାରୁ ଶିଳ୍ପପତିଙ୍କୁ ଡାକିହାକି ବନ୍ଦୋଉଛନ୍ତି। ତାଙ୍କୁ ଜମି, ଜଳ, ଖଣି ମାଗଣାରେ ଦେଉଛନ୍ତି। କିନ୍ତୁ ଗାଁ କନିଆଁ ସିଙ୍ଗାଣୀନାକି ପରି, ନବୀନବାବୁ ଓ ବିଜେଡିକୁ ‘ଓଡ଼ିଆ ଶିଳ୍ପପତି’ମାନେ ଗନ୍ଧୋଉଛନ୍ତି। ଆଜି ଏହାର ଆଉଏକ ପ୍ରମାଣ ମିଳିଛି। ବିଜେଡି ନେତା କୁଆଡ଼େ ଗଲେ?: ଓଡ଼ିଶା ଶିଳ୍ପର ଭୀଷ୍ମ ପୀତାମହ ଭାବେ ପରିଚିତ ଶିଳ୍ପପତି ବଂଶୀଧର ପଣ୍ଡାଙ୍କର […]

65

65

Ordigital Desk
  • Published: Tuesday, 22 May 2018
  • Updated: 22 May 2018, 09:30 PM IST

Sports

Latest News

ଭୁବନେଶ୍ୱର (ଅମରେଶ ବିଶ୍ୱାଳ): ରାଜ୍ୟରେ ଶାସନ କରୁଥିବା ବିଜେଡି ସରକାର ଶିଳ୍ପର ବିକାଶ ପାଇଁ ବହୁତ କିଛି କରିଛନ୍ତି। ଶିଳ୍ପ ପ୍ରତିଷ୍ଠା ପାଇଁ ବାହାରୁ ଶିଳ୍ପପତିଙ୍କୁ ଡାକିହାକି ବନ୍ଦୋଉଛନ୍ତି। ତାଙ୍କୁ ଜମି, ଜଳ, ଖଣି ମାଗଣାରେ ଦେଉଛନ୍ତି। କିନ୍ତୁ ଗାଁ କନିଆଁ ସିଙ୍ଗାଣୀନାକି ପରି, ନବୀନବାବୁ ଓ ବିଜେଡିକୁ ‘ଓଡ଼ିଆ ଶିଳ୍ପପତି’ମାନେ ଗନ୍ଧୋଉଛନ୍ତି। ଆଜି ଏହାର ଆଉଏକ ପ୍ରମାଣ ମିଳିଛି।

ବିଜେଡି ନେତା କୁଆଡ଼େ ଗଲେ?: ଓଡ଼ିଶା ଶିଳ୍ପର ଭୀଷ୍ମ ପୀତାମହ ଭାବେ ପରିଚିତ ଶିଳ୍ପପତି ବଂଶୀଧର ପଣ୍ଡାଙ୍କର ଆଜି ପରଲୋକ ହୋଇଯାଇଛି। ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ରାଜ୍ୟର କେଉଁ କେଉଁ କୋଣରୁ ଲୋକେ ଆସି ତାଙ୍କ ଭୁବନେଶ୍ୱରସ୍ଥ ବାସଭବନରେ ପହଞ୍ଚିଥିଲେ। ବିଭିନ୍ନ କ୍ଷେତ୍ରର ପ୍ରତିଷ୍ଠିତ ବ୍ୟକ୍ତିମାନେ ବଂଶୀଧରଙ୍କ ମରଶରୀରରେ ଫୁଲ ଚଢ଼େଇଥିଲେ। କଂଗ୍ରେସ, ବିଜେପି, କମ୍ୟୁନିଷ୍ଟ ଓ ଅନ୍ୟଦଳର ଲୋକେ ଆସି ଘରେ ପହଞ୍ଚିଥିଲେ। ହେଲେ ଶାସକ ବିଜେଡିର ଜଣେ ହେଲେ ନେତାଙ୍କୁ ସେଠି ଦେଖିବାକୁ ମିଳିନଥିଲା। ନା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ନା ତାଙ୍କ ମନ୍ତ୍ରିମଣ୍ଡଳର କୌଣସି ମନ୍ତ୍ରୀ, ନା କୌଣସି ଛୋଟବଡ଼ ନେତା, କାହାକୁ ବି ବଂଶୀଧରଙ୍କ ଶେଷଶଯ୍ୟା ନିକଟରେ ଦେଖିବାକୁ ମିଳିନଥିଲା। କେହି କେହି କଥା ହେଉଥିବା ଶୁଣିବାକୁ ମିଳିଥିଲା ଯେ, ଭୁବନେଶ୍ୱରର ପ୍ରାୟ ସବୁ କାର୍ଯ୍ୟକ୍ରମରେ ଦୁଇଜଣ ଲୋକ ନିଶ୍ଚୟ ପହଞ୍ଚନ୍ତି, ମେୟର ଅନନ୍ତ ଜେନା ଓ ଭୁବନେଶ୍ୱର ସାଂସଦ ପ୍ରସନ୍ନ ପାଟ୍ଟଶାଣୀ। କିନ୍ତୁ ସେମାନେ ବି ଆସିନଥିଲେ। ବିଜେଡି ନେତାଙ୍କ ଭିତରେ କ’ଣ ଅସହିଷ୍ଣୁତା ଏତେ ବଢ଼ି ଯାଇଛି? ଏହା ଅସହିଷ୍ଣୁତା ନା ଭୟ? ବିଜେଡି ନେତାଙ୍କ ସୌଜନ୍ୟ କ’ଣ ଏଇଆ?

[caption id="attachment_238450" align="aligncenter" width="856"] ବାପା ବଂଶୀଧର ପଣ୍ଡାଙ୍କ ସହ ବୈଜୟନ୍ତ ପଣ୍ଡା[/caption]

ବୈଜୟନ୍ତଙ୍କ ଭୟରେ କେହି ଆସିଲେନି କି?: ଏ ସବୁର କାରଣ ହେଲା, ବଂଶୀଧରଙ୍କ ବଡ଼ପୁଅ ବୈଜୟନ୍ତ ପଣ୍ଡାଙ୍କ ସହ ବିଜେଡିର ରାଜନୈତିକ ଶତ୍ରୁତା। ବୈଜୟନ୍ତଙ୍କୁ ଦଳରୁ ସସ୍‌ପେଣ୍ଡ କରାଯାଇଛି। ଖାଲି ସସ୍‌ପେଣ୍ଡ ନୁହେଁ, ତାଙ୍କ ବିରୋଧରେ ଓ ତାଙ୍କ ପରିବାର ବିରୋଧରେ ପୂରା ବିଜେଡି ଓ ରାଜ୍ୟ ସରକାର ଲାଗିଛନ୍ତି। ତୃତୀୟ ମହଲା ନିର୍ଦ୍ଦେଶରେ ତାଙ୍କୁ ଅସୁବିଧାରେ ପକାଇବାକୁ ଷଡ଼ଯନ୍ତ୍ର କରାଯାଉଛି। ତେଣୁ ବିଜେଡିର ଏବେ ସବୁଠାରୁ ବଡ଼ ଶତ୍ରୁ କଂଗ୍ରେସ କି ବିଜେପି ନୁହେଁ, ବରଂ ବୈଜୟନ୍ତ ପଣ୍ଡା। ଲାଗୁଛି, ବଂଶୀଧର ପଣ୍ଡାଙ୍କ ଦେହାନ୍ତରେ ନବୀନ ବାବୁ, ବିଜେଡି ଓ ରାଜ୍ୟ ସରକାର କାହାର ଦୁଃଖ ନାହିଁ। କାଳେ ତାଙ୍କ ଘରେ ପହଞ୍ଚି ଗଲେ, ସେପଟେ ତୃତୀୟ ମହଲାରୁ ଅଣଓଡ଼ିଆ ବାବୁ ଚେର କାଟିଦେବେ, ସେଇ ଭୟରେ ସମସ୍ତେ ଲୁଚିଲେ।

ବିଜୁବାବୁ ଡାକିଥିଲେ, ନବୀନ ବାବୁ ମୃତ୍ୟୁଶଯ୍ୟା ପାଖକୁ ବି ଗଲେନି: ସୂଚନାଯୋଗ୍ୟ ଯେ, ୧୯୬୨ ମସିହାରେ ଏବେକା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାପା ତଥା ସେତେବେଳର ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ, ବିଦେଶରେ ବୈଜ୍ଞାନିକ ଭାବେ କାମ କରୁଥିବା ବଂଶୀଧରଙ୍କୁ ଡାକି ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା ପାଇଁ ଆହ୍ୱାନ ଦେଇଥିଲେ। ବିଜୁବାବୁଙ୍କ ଡାକରେ ଇଂଲଣ୍ଡରେ ଥିବା ବଂଶୀଧର ମୋଟା ଦରମାର ସମ୍ମାନଜନକ ଚାକିରି ଛାଡ଼ି ଓଡ଼ିଶା ପଳେଇ ଆସିଥିଲେ ଓ ତତ୍କାଳୀନ କୋରାପୁଟ ଜିଲ୍ଲାର ବଣଜଙ୍ଗଲ ଘେରା ଥେରୁବାଲିରେ ଶିଳ୍ପ ପ୍ରତିଷ୍ଠା ପାଇଁ କାମ ଆରମ୍ଭ କରିଥିଲେ। କିନ୍ତୁ ପରିତାପର ବିଷୟ ହେଲା, ସେଇ ବିଜୁବାବୁଙ୍କ ପୁଅ ନବୀନ ପଟ୍ଟନାୟକ, ଯିଏକି ତାଙ୍କ ୧୮ ବର୍ଷର ମୁଖ୍ୟମନ୍ତ୍ରିତ୍ୱ କାଳରେ କେବଳ ଶିଳ୍ପ ଶିଳ୍ପ ବାଉଳି ହେଇଛନ୍ତି, ସେ କିନ୍ତୁ ଓଡ଼ିଶାରେ ଶିଳ୍ପର ଜନକ ବୋଲି କୁହାଯାଉଥିବା ବଂଶୀଧର ପଣ୍ଡାଙ୍କୁ ମୃତ୍ୟଶଯ୍ୟାରେ ଟିକିଏ ଦେଖିବାକୁ ମଧ୍ୟ ଆସିଲେନି। ନବୀନ ବାବୁ କ’ଣ ଏଇ ସଂସ୍କାର ପାଇଛନ୍ତି ତାଙ୍କ ବାପାଙ୍କଠାରୁ?

[caption id="attachment_238453" align="aligncenter" width="814"] ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ସହ ବଂଶୀଧର ପଣ୍ଡା[/caption]

ରାଜନୈତିକ ଅସହିଷ୍ଣୁତା ନା ସୌଜନ୍ୟର ଅଭାବ?: ଥରେ ଓଡ଼ିଶାର ଜଣେ ପୂର୍ବତନ ମୁଖ୍ୟ ଶାସନ ସଚିବଙ୍କୁ ଭେଟିବାର ସୁଯୋଗ ମିଳିଥିଲା। କଥାବାର୍ତ୍ତା ଛଳରେ, ଏବେକାର ରାଜନୈତିକ ଅସହିଷ୍ଣୁତାକୁ ନେଇ ସେ ଖୁବ୍ ବ୍ୟସ୍ତ ହୋଇ ପଡ଼ିଲେ। କହୁକହୁ ସେ ପୁରୁଣା ସମୟରେ ରାଜନୈତିକ ବନ୍ଧୁତା ଓ ବ୍ୟକ୍ତିଗତ ବନ୍ଧୁତାର ଏକ ସୁନ୍ଦର ଉଦାହରଣ ଦେଇଥିଲେ। ସେତେବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରେନ ମିତ୍ରଙ୍କର ସ୍ୱାସ୍ଥ୍ୟ ଖରାପ ଥିବାରୁ ତାଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଚିକିତ୍ସା ପାଇଁ ଅଧିକ ଟଙ୍କାର ଆବଶ୍ୟକତା ପଡିଲା। ସେ ସମୟରେ ମୁଖ୍ୟମନ୍ତ୍ରୀ ଥାଆନ୍ତି ନନ୍ଦିନୀ ଶତପଥୀ। ବୀରେନ ମିତ୍ର ଓ ବିଜୁ ପଟ୍ଟନାୟକଙ୍କ ବନ୍ଧୁତା ଖୁବ୍ ଅଧିକା। ଏ ଦୁହେଁ ଥିଲେ ନନ୍ଦିନୀ ଶତପଥୀଙ୍କ ରାଜନୈତିକ ଶତ୍ରୁ। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଲା, ସେ ସମୟରେ ନିଜେ ନନ୍ଦିନୀ ଦେବୀ, ବୀରେନ ମିତ୍ରଙ୍କର ସମସ୍ତ ଚିକିତ୍ସା ଖର୍ଚ୍ଚ ସରକାରୀ ଭାବେ କରାଇଲେ ଓ ନିଜେ ଯାଇ ତାଙ୍କ ଚିକିତ୍ସା ତଦାରଖ କରିଥିଲେ।

ରାଜନୀତି କଲେ ଶତ୍ରୁତା ଓ ମିତ୍ରତା ରହେ। କିନ୍ତୁ ତାହା ବ୍ୟକ୍ତିଗତ ସ୍ତରକୁ ସଂଚରି ନଯାଉ। ଯଦି ବୈଜୟନ୍ତଙ୍କ ସହ ଶତ୍ରୁତା ଅଛି, ତେବେ ତାହା ତାଙ୍କ ବାପାଙ୍କୁ କାହିଁକି ଭୋଗିବାକୁ ପଡ଼ିବ? ବରଂ ନବୀନ ବାବୁ ଯଦି ସେଠି ପହଞ୍ଚିଥାନ୍ତେ, ତେବେ ରାଜ୍ୟବାସୀଙ୍କ ପାଖରେ ତାଙ୍କର ଭାବମୂର୍ତ୍ତି ଆହୁରି ବଢ଼ି ଯାଇଥାନ୍ତା। କେବଳ ଗୋଟିଏ ଟ୍ୱିଟ୍ କରି ସେ ଚୁପ୍ ରହିଲେ। ସେ ଟ୍ୱିଟ୍ ବି ସେ ନିଜେ କରିନଥିବେ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ସୋସିଆଲ୍ ମିଡିଆ ଟିମ୍ କରିଥିବ। ତେଣୁ ଏବେ ସନ୍ଦେହ ବି ଆସୁଛି ଯେ, ବଂଶୀଧର ପଣ୍ଡାଙ୍କ ଦେହାନ୍ତ ଖବର ନବୀନ ବାବୁଙ୍କୁ ତାଙ୍କ ପାରିଷଦମାନେ ଜଣେଇଛନ୍ତି ତ?

[caption id="attachment_238443" align="aligncenter" width="1366"] ସ୍ୱର୍ଗଦ୍ୱାରରେ ବିଜୁବାବୁଙ୍କ ମରଶରୀର ନିକଟରେ ବୈଜୟନ୍ତ[/caption]

ଶେଷକଥା: ଯେବେ ନବୀନ ପଟ୍ଟନାୟକଙ୍କ ବାପା ବିଜୁବାବୁ ଚାଲିଗଲେ, ସେତେବେଳେ ଆମେ ସବୁ ସାମ୍ବାଦିକତାରେ ନୂଆ ନୂଆ। ସେ ସମୟରେ ବିଜୁବାବୁ ବହୁ ଲୋକଙ୍କର ଆଦର୍ଶ ଓ ପ୍ରିୟ ଥିଲେ। ବିଜୁବାବୁ ସ୍ୱର୍ଗତ ଶିଳ୍ପପତି ବଂଶୀଧର ପଣ୍ଡାଙ୍କ ବଡ଼ପୁଅ ବୈଜୟନ୍ତ ପଣ୍ଡାଙ୍କୁ, ଯାହାଙ୍କୁ କି ଏବେ ବିଜେଡି ପରମଶତ୍ରୁ ବୋଲି ବିଚାର କରୁଛି, ତାଙ୍କୁ ବହୁତ ଭଲ ପାଉଥିଲେ। ବୈଜୟନ୍ତ ପଣ୍ଡା ବି ବିଜୁବାବୁଙ୍କୁ ଆଦର୍ଶ କରି ରାଜନୀତିରେ ପଶିଥିଲେ। ବିଜୁବାବୁ ଯେତେବେଳେ ଚାଲିଗଲେ, ସେତେବେଳେ ସ୍ୱର୍ଗଦ୍ୱାରରେ ଯେଉଁ କେତେଜଣ ବିଜୁବାବୁଙ୍କ ମରଶରୀରକୁ କାନ୍ଧ ଦେଇଥିଲେ, ତାଙ୍କ ଭିତରେ ବୈଜୟନ୍ତ ବି ଥିଲେ। କିନ୍ତୁ ସେଇ ବୈଜୟନ୍ତଙ୍କ ବାପା ଶିଳ୍ପପତି ବଂଶୀଧର ପଣ୍ଡାଙ୍କୁ ଶେଷଶଯ୍ୟା ନିକଟକୁ ଆସିବାକୁ ଉଚିତ ମଣିଲେନି ନବୀନ ପଟ୍ଟନାୟକ। ଏଥିରୁ ଓଡ଼ିଶାବାସୀ ଯାହା ବୁଝିବେ ବୁଝନ୍ତୁ।

[caption id="attachment_238444" align="aligncenter" width="1366"] ସ୍ୱର୍ଗଦ୍ୱାରରେ ବିଜୁବାବୁଙ୍କ ମରଶରୀରକୁ କାନ୍ଧ ଦେଉଛନ୍ତି ବୈଜୟନ୍ତ[/caption]

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos