ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ସିବିଏସ୍ଇ ଦଶମ ଛାତ୍ରଛାତ୍ରୀଙ୍କୁ ଆଶ୍ୱସ୍ତି। ଦିଲ୍ଲୀ ଓ ହରିୟାଣା ବ୍ୟତୀତ ଅନ୍ୟ କୌଣସି ରାଜ୍ୟରେ ଆଉ ଥରେ ଦଶମ ଶ୍ରେଣୀ ଗଣିତ ପରୀକ୍ଷା ହେବନି। ତେବେ ପ୍ରଶ୍ନପତ୍ର ଲିକ୍ ଯୋଗୁଁ ସିବିଏସ୍ଇ ଦ୍ୱାଦଶ ଶ୍ରେଣୀର ପୁନଃ ପରୀକ୍ଷା ସାରା ଦେଶରେ ହେବ। ଆଜି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ଏହା ଘୋଷଣା କରାଯାଇଛି।
ଏପ୍ରିଲ ୨୫ରେ ଦ୍ୱାଦଶ ଶ୍ରେଣୀ ଅର୍ଥନୀତି ବିଷୟରେ ସାରା ଦେଶରେ ପୁଣି ପରୀକ୍ଷା ହେବ। ତେବେ ଦଶମ ଶ୍ରେଣୀ ଗଣିତ ବିଷୟରେ ପୁନଃ ପରୀକ୍ଷା ପ୍ରସଙ୍ଗରେ ବର୍ତ୍ତମାନ ସୁଦ୍ଧା କୌଣସି ନିଷ୍ପତ୍ତି ନିଆଯାଇନାହିଁ। ଯଦି ପୁନଃ ଦଶମ ଶ୍ରେଣୀ ଗଣିତ ପରୀକ୍ଷା ହୁଏ, ତେବେ କେବଳ ଦିଲ୍ଲୀ ଓ ହରିୟାଣାରେ କରାଯିବ। ଯଦି ଦଶମ ପୁନଃ ପରୀକ୍ଷା ହୁଏ, ତେବେ ଜୁଲାଇରେ କରାଯିବ। ଏନେଇ ୧୫ ଦିନ ମଧ୍ୟରେ ନିଷ୍ପତ୍ତି ହେବ ବୋଲି କେନ୍ଦ୍ର ଶିକ୍ଷା ସଚିବ ଅନୀଲ ସ୍ୱରୂପ ସୂଚନା ଦେଇଛନ୍ତି।
ସେପଟେ ସିବିଏସ୍ଇ ପ୍ରଶ୍ନପତ୍ର ଲିକ୍ ଘଟଣାକୁ ନେଇ ତେଜିବାରେ ଲାଗିଛି ବିରୋଧ। ବିକ୍ଷୋଭକାରୀ ଆଜି ଦିଲ୍ଲୀ ସ୍ଥିତ ସିବିଏସ୍ଇ ମୁଖ୍ୟାଳୟରେ ଧଶେଇ ପଶିବାକୁ ଉଦ୍ୟମ କରିଥିଲେ। ପଞ୍ଜାବ, ଉତ୍ତରପ୍ରଦେଶ ଓ ଅନ୍ୟାନ୍ୟ ସ୍ଥାନରେ ଛାତ୍ରଛାତ୍ରୀ ଏବଂ ଅଭିଭାବକ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ପରୀକ୍ଷାର ଦିନକ ପୂର୍ବରୁ ପ୍ରଶ୍ନ ଲିକ କଥା ଜାଣି ସୁଦ୍ଧା କାହିଁକି ପରୀକ୍ଷା କରାଗଲା ବୋଲି ପ୍ରଶ୍ନ ଉଠିବାରେ ଲାଗିଛି। ଏବେ ପୁଣି ଥରେ ପରୀକ୍ଷା କରାଯିବାକୁ ଆନ୍ଦୋଳନକାରୀମାନେ ବିରୋଧ କରିଛନ୍ତି। ଅନ୍ୟପଟେ ଆନ୍ଦୋଳନକୁ ଦୃଷ୍ଟିରେ ରଖି କେନ୍ଦ୍ର ମାନବସମ୍ବଳ ବିକାଶ ମନ୍ତ୍ରୀଙ୍କ ବାସଭବନ ଆଗରେ ୧୪୪ ଧାରା ଜାରି କରାଯାଇଛି।
ଓଡିଶା ଅଭିଭାବକ ମହାସଂଘ ମଧ୍ୟ ପ୍ରଶ୍ନପତ୍ର ଲିକ୍ ଘଟଣାକୁ ବିରୋଧ କରିଛି। ପ୍ରତିବାଦରେ ଆଜି ଭୁବନେଶ୍ୱରରେ ଅଭିଭାବକ ସମ୍ମିଳନୀର ଆୟୋଜନ କରାଯାଇଛି। ଘଟଣାରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ ପାଇଁ ଦାବି କରାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।