ଭୁବନେଶ୍ୱର: ଏଲପିଜି ସିଲିଣ୍ଡରରୁ ସବ୍ସିଡି ପ୍ରତ୍ୟାହାର ନିଷ୍ପତ୍ତି ନିହାତି ଦୁର୍ଭାଗ୍ୟଜନକ। ଏହା ମହିଳାଙ୍କ ପ୍ରତି ଅସମ୍ମାନ। କେନ୍ଦ୍ର ସରକାରଙ୍କର ଏପରି ନିଷ୍ପତ୍ତିକୁ ଆମେ ବିରୋଧ କରିବୁ। ଏହାର ପ୍ରତିବାଦରେ ବିଜୁ ମହିଳା ଜନତା ଦଳ ପକ୍ଷରୁ ପ୍ରତି ଜିଲ୍ଲା ସଦର ମହକୁମାରେ ଆନ୍ଦୋଳନ କରାଯିବ ବୋଲି ବିଜେଡି ନେତା ସମୀର ଦାଶ କହିଛନ୍ତି।
ସେ କହିଛନ୍ତି-“ନିର୍ବାଚନ ପୂର୍ବରୁ ବିଜେପି ତା’ ଇସ୍ତାହାରରେ ଯାହା କହିଥିଲା ତାହା ଆଜିପର୍ଯ୍ୟନ୍ତ କାର୍ଯ୍ୟକାରୀ କରିନାହିଁ। ବରଂ ଯେଉଁ ସବୁ ଯୋଜନା ଚାଲିଥିଲା ସେଗୁଡ଼ିକୁ ବନ୍ଦ କରିବାକୁ ବସିଲାଣି। ମହିଳାଙ୍କୁ ସମ୍ମାନର କଥା ସେମାନେ କହୁଥିଲେ। ଗ୍ୟାସରୁ ସବ୍ସିଡି ପ୍ରତ୍ୟାହାର କରିବା ପାଇଁ ନିଷ୍ପତ୍ତି ନେଇ ମହିଳାଙ୍କୁ ଅସମ୍ମାନୀତ କରିଛନ୍ତି। ଏହାକୁ ବିଜେଡି ବିରୋଧ କରୁଛି।”
ଏଲ୍ପିଜି ଘରୋଇ ସିଲିଣ୍ଡର ଉପରୁ ସବ୍ସିଡି ପ୍ରତ୍ୟାହାର ନେଇ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି-“କୌଣସି ଗରିବ ଲୋକଙ୍କ ସବ୍ସିଡି କଟାଯିବ ନାହିଁ। କେବଳ ସବ୍ସିଡି ପାଇବାକୁ ଯୋଗ୍ୟ ନଥିବା ବ୍ୟକ୍ତିଙ୍କର କଟାଯିବ। ଏନେଇ ତତ୍କାଳୀନ ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ନିଷ୍ପତ୍ତି ନିଆଯାଇଥିଲା।”
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।