ଚିଲିକା ଡଙ୍ଗାବୁଡ଼ି ଘଟଣା: ସରିଲା ଉଦ୍ଧାର କାର୍ଯ୍ୟ, ୬ ମୃତଦେହ ଉଦ୍ଧାର

ଖୋର୍ଦ୍ଧା(ବଳରାମ ଲେଙ୍କା): ଚିଲିକା ଡଙ୍ଗାବୁଡ଼ି ଘଟଣାରେ ସମସ୍ତ ନିଖୋଜଙ୍କ ମୃତଦେହ ଉଦ୍ଧାର ହୋଇଛି। ଏହି ଘଟଣାରେ ମୋଟ ୬ ଜଣ ପ୍ରାଣ ହରାଇଛନ୍ତି। ଆଜି ୪ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସେମାନଙ୍କ ମଧ୍ୟରେ ଜଣେ ମହିଳା, ୨ ଯୁବତୀ ଓ ଜଣେ ଶିଶୁପୁତ୍ର ଅଛନ୍ତି। ଉଦ୍ଧାର କାର୍ଯ୍ୟରେ ୫୦ ଜଣ ଅଗ୍ନିଶମ କର୍ମଚାରୀ ନିୟୋଜିତ ଥିଲେ। ଏଥିସହ ୪୦ ଜଣିଆ ଓଡ୍ରାଫ୍‌ ଟିମ୍‌, ୬ ପାୱାର ବୋଟ୍‌ ଓ ୧୬ ଜଣ ବୁଡ଼ାଳି ସାମିଲ ହୋଇଥିବା ଚିଫ୍‌ ଫାୟାର ଅଫିସର ସୁକାନ୍ତ ସେଠୀ ସୂଚନା ଦେଇଥିଲେ।

ଗତକାଲି ୨ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ନିଖୋଜ ୪ ଜଣଙ୍କୁ ଉଦ୍ଧାର ଲାଗି ଚାଲିଥିଲା ଉଦ୍ୟମ। କାଲି ସଂଧ୍ୟାରେ ପର୍ଯ୍ୟଟକଙ୍କୁ ଧରି ଏକ ଡଙ୍ଗା କାଳିଜାଈରୁ ବାଲୁଗାଁ ଫେରୁଥିବା ବେଳେ ଏହି ଅଘଟଣ ଘଟିଥିଲା। ହଠାତ୍ ଝଡ଼ବର୍ଷା ହେବାରୁ ମଝି ଚିଲିକାରେ ଡଙ୍ଗାଟି ବୁଡ଼ି ଯାଇଥିଲା। ଏଥିରେ ନାଉରିଆକୁ ମିଶାଇ ମୋଟ୍ ୧୬ ଜଣ ଥିଲେ। ଉଦ୍ଧାର ହୋଇଥିବା ୧୨ ଜଣଙ୍କୁ ବାଲୁଗାଁ ହସ୍ପିଟାଲ୍‌ରେ ଭର୍ତ୍ତ କରାଯାଇଥିଲା ବେଳେ ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ଉଭୟଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ସମସ୍ତ ମୃତାହତ ନୟାଗଡ଼ ଓ ଭୁବନେଶ୍ୱରର ଅଞ୍ଚଳର ବୋଲି ଜଣାପଡ଼ିଛି।

ଅନ୍ୟପକ୍ଷରେ ଡଙ୍ଗାବୁଡ଼ି ଦୁର୍ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିବା ସହ ଉଦ୍ଧାର କାର୍ଯ୍ୟୁକୁ ତ୍ୱରାନ୍ୱିତ କରିବାକୁ SRC, ଖୋର୍ଦ୍ଧା ଓ ଗଞ୍ଜାମ ଜଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ଆଜି ମୁଖ୍ୟମନ୍ତ୍ରୀ ପ୍ରତି ମୃତକ ପରିବାରଙ୍କୁ ୪ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି। ଏହାସହ ଆହତଙ୍କୁ ମାଗଣା ଚିକିତ୍ସା କରାଯିବ ବୋଲି କହିଛନ୍ତି।

ସେହିପରି ଏହି ଘଟଣାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।

Previous ArticleNext Article

Send this to a friend