କଲ୍ୟାଣସିଂହପୁର (ମାଉଡି ବାରିକ): ରାୟଗଡ଼ା ଜିଲ୍ଲା ଥେରୁବାଲି ଇମ୍ଫା କମ୍ପାନୀ ଆଗରେ ଆନ୍ଦୋଳନ ଚାଲିଛି। ଜିତୁ ଜାକାସିକାଙ୍କ ନେତୃତ୍ୱରେ ଚାଲିଥିବା ଏହି ଆନ୍ଦୋଳନ ହିଂସାକାଣ୍ଡ ବି ଦେଖିବାକୁ ମିଳିଥିଲା। ଜିତୁ ଚଳାଇଥିବା ଏହି ଆନ୍ଦୋଳନକୁ ତାଙ୍କ ଜାତିଭାଇ ବିରୋଧ କରିଛନ୍ତି। ନିୟମଗିରି ସୁରକ୍ଷା ମଞ୍ଚ ସଭାପତି ସିକକା ଲୋଦା କହିଛନ୍ତି, “ଜିତୁ ଡଙ୍ଗରିଆ କନ୍ଧ ନୁହଁନ୍ତି କି ନିୟମଗିରିର ନୁହଁନ୍ତି। ଆମ ନାଁ ଧରି ଥେରୁବାଲିରେ ଆନ୍ଦୋଳନ କରୁଛନ୍ତି। ସେ ବିଜେଡିର ପଇସା ଖାଇ ଆନ୍ଦୋଳନ ଚଳାଇଛନ୍ତି। ତାଙ୍କୁ ମୃତ୍ୟୁଦଣ୍ଡ ଦେବୁ।”
ସେ ଆହୁରି କହିଛନ୍ତି ଯେ, “ଆମେ ବେଦାନ୍ତରେ ଆନ୍ଦୋଳନ କଲେ ପୋଲିସ ଲାଠିଚାର୍ଜ କରୁଛି। ସେମାନେ ଥେରୁବାଲିରେ ଭଙ୍ଗାରୁଜା କଲେ ପୋଲିସ ଅନାଇ ବସିଛି।”
ଗତକାଲି ଇମ୍ଫା ଆନ୍ଦୋଳନର ସମାଧାନ ପାଇଁ କମ୍ପାନୀ କର୍ତ୍ତୃପକ୍ଷ, ଜିଲ୍ଲା ପ୍ରଶାସନ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ହୋଇଥିବା ତ୍ରିପାକ୍ଷିକ ଆଲୋଚନା ବିଫଳ ହୋଇଥିଲା। ଇମ୍ଫାର କନିଷ୍ଠ ଅଧିକାରୀମାନେ କୌଣସି ନିଷ୍ପତ୍ତି ନେଇ ପାରୁ ନାହାନ୍ତି ବୋଲି ଜିଲ୍ଲାପାଳ ଓ ଆନ୍ଦୋଳନକାରୀ କହିଥିଲେ। ଆନ୍ଦୋଳନକାରୀଙ୍କ ଦାବି ସମ୍ପର୍କରେ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଯିବା ବୋଲି ଆଲୋଚନାରେ ଭାଗ ନେଇଥିବା ଇମ୍ଫା ଅଧିକାରୀମାନେ କହିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।