ଭୁବନେଶ୍ୱର(ଓଡିଶା ରିପୋର୍ଟର): ଜୟୀ ରାଜଗୁରୁଙ୍କ ସମ୍ପର୍କରେ ଦାମଙ୍କ ମନ୍ତବ୍ୟକୁ ନେଇ ସୃଷ୍ଟି ହୋଇଥିବା ଝଡ଼ ଥମିବାର ନା ନେଉନି । ଆଜି ବି ଦାମ ନିଜ ମନ୍ତବ୍ୟରେ କାଏମ୍ ରହିବା ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିବାଦ ଭିତରକୁ ଟାଣିଛନ୍ତି । ପ୍ରତି ଉତ୍ତରରେ ଧର୍ମେନ୍ଦ୍ର ଦାମଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଦାମଙ୍କୁ ଉଦ୍ଦେଶ୍ୟରେ ସେ କହିଛନ୍ତି ଯେ, “ଯଦି ଦେଶର କୌଣସି ମହାମନିଷି ବା ସ୍ୱାଧୀନତା ସଂଗ୍ରାମୀଙ୍କୁ ସମ୍ମନ ଦେବା ଜଣା ନାହିଁ ତା ହେଲେ ଅନ୍ତତଃ ସେମାନଙ୍କୁ ଅସମ୍ମାନୀତ କରା ନ ଯାଉ ।”
ଖୋର୍ଦ୍ଧା ଲୋକ ମହୋତ୍ସବରେ ଜୟୀ ରାଜଗୁରୁଙ୍କ ସମ୍ପର୍କରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ କୃଷିମନ୍ତ୍ରୀ ଦାମୋଦର ରାଉତ । ଜୟୀ ରାଜଗୁରୁ ଜଣେ ମହାନ୍ ବ୍ୟକ୍ତିତ୍ୱ ହୋଇଥିବା ହେଁ ସେ କେବେହେଲେ ଜଣେ ସ୍ୱାଧୀନତା ସଂଗ୍ରାମୀ ନୁହନ୍ତି ବୋଲି ସେ ମତ ରଖିଥିଲେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ କରି ଦାମ ଯୁକ୍ତି ରଖିଛନ୍ତି ଯଦି ୧୮୦୪ରୁ ପାଇକ ବିଦ୍ରୋହ ଆରମ୍ଭ ହୋଇଥିଲା ତାହେଲେ ଧର୍ମେନ୍ଦ୍ରଙ୍କ ଉଦ୍ୟମରେ ୨୦୧୭କୁ ଧରି ୨ଶହ ବର୍ଷ ପୂର୍ତ୍ତି ପାଳନ ହେଲା କେମିତି?
ସୂଚନାଯାଗ୍ୟ, ୨୦୦୩ରେ ସହିଦ ଜୟୀ ରାଜଗୁରୁଙ୍କ ଉପରେ ପ୍ରକାଶ ପାଇଥିବା ଏକ ସ୍ମରଣିକାରେ ତତ୍କାଳୀନ ସଂସ୍କୃତି ମନ୍ତ୍ରୀ ଦାମୋଦର ରାଉତ ଜୟୀ ରାଜଗୁରୁଙ୍କୁ ଜାତୀୟ ସ୍ୱାଧୀନତା ସଂଗ୍ରାମର ପ୍ରଥମ ସହିଦ ବୋଲି ବର୍ଣ୍ଣନା କରିଛନ୍ତି । ହେଲେ ଏହାର ୧୪ ବର୍ଷ ପରେ ଏବେ କୃଷିମନ୍ତ୍ରୀ ଥିବା ବେଳେ ତାଙ୍କ ପାଇଁ ଇତିହାସ ବଦଳିଗଲା କେମିତି ବୋଲି ପ୍ରଶ୍ନ ଉଠିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।