ରତନ ଟାଟାଙ୍କୁ ଧର୍ମେନ୍ଦ୍ରଙ୍କ ଅପିଲ; ଇମ୍ଫା ଅଚଳାବସ୍ଥା ସମ୍ପର୍କରେ ରାଜ୍ୟସରକାରଙ୍କ ସହ କଥା ହୁଅନ୍ତୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାୟଗଡ଼ା ଜିଲ୍ଲା ଥେରୁବାଲିସ୍ଥିତ ଇମ୍ଫା କାରଖାନାରେ ଜାରି ରହିଥିବା ଅଚଳାବସ୍ଥା ପ୍ରସଙ୍ଗରେ ବିଶିଷ୍ଟ ଶିଳ୍ପପତି ରତନ ଟାଟାଙ୍କୁ ଟ୍ୱିଟ୍‌ ଜରିଆରେ ଅପିଲ୍ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ ମୁଖ୍ୟମନ୍ତ୍ରୀ ଓ ପ୍ରଶାସନକୁ ପ୍ରଭାବିତ କରି ଇମ୍ଫା କମ୍ପାନୀରେ ଚାଲିଥିବା ଅଚଳାବସ୍ଥା ଦୂର କରନ୍ତୁ ବୋଲି ଧର୍ମେନ୍ଦ୍ର ଅପିଲ୍ କରିଛନ୍ତି। ଅଚଳାବସ୍ଥା ଯୋଗୁଁ ପ୍ଲାଣ୍ଟ ବନ୍ଦ ହୋଇଥିବାରୁ ଲୋକଙ୍କ ଜୀବିକା ପ୍ରଭାବିତ ହୋଇଛି। ଏହାଦ୍ୱାରା ଶିଳ୍ପାୟନ ପାଇଁ ଏକ ନକରାତ୍ମକ ବାର୍ତ୍ତା ଯିବ ବୋଲି ଧର୍ମେନ୍ଦ୍ର ଦର୍ଶାଇଛନ୍ତି।

ଏହି ଅବସରରେ ପଶ୍ଚିମବଙ୍ଗର ସିଙ୍ଗୁର ଘଟଣା ମନେ ପକାଇଦେଇଛନ୍ତି ଧର୍ମେନ୍ଦ୍ର। କହିଛନ୍ତି, ଆପଣଙ୍କୁ ମଧ୍ୟ ବିରୋଧ ଯୋଗୁଁ, ନାନୋ କାର୍ ତିଆରି କାରଖାନା ପ୍ରତିଷ୍ଠା ଲାଗି ଟାଟାକୁ ସିଙ୍ଗୁର ଛାଡ଼ିବାକୁ ବାଧ୍ୟ କରାଯାଇଥିଲା। । ସେହିପରି ପ୍ରତିଶୋଧ ପରାୟଣତା ଓ ସାମୟିକ ସ୍ୱାର୍ଥ ହାସଲ ଲାଗି କିଛି ଲୋକଙ୍କ ‌ଆନ୍ଦୋଳନ ଯୋଗୁଁ ଇମ୍ଫାରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ଅଘଟଣ ଆଶଙ୍କାରେ ପ୍ଲାଣ୍ଟ ବନ୍ଦ କରି ଦେଇଛନ୍ତି କର୍ତ୍ତୃପକ୍ଷ। ଏଭଳି ପରିସ୍ଥିତି ଶିଳ୍ପାୟନ ପ୍ରକ୍ରିୟା ପ୍ରତି ଏକ ନକରାତ୍ମକ ସଂକେତ ଦେବା ସହ ରାୟଗଡ଼ା ଜିଲ୍ଲାରେ ମାଓ ଗତିବଧି ବଢ଼ିବାରେ ସହାୟକ ହେବ।ଏ ସଂପର୍କରେ ସେ ମୁଖ୍ୟମନ୍ତ୍ରୀଙ୍କୁ ବୁଝାଇବାକୁ ଚେଷ୍ଟା କରନ୍ତୁ, ମୁଖ୍ୟମନ୍ତ୍ରୀ ଓ ପ୍ରଶାସନକୁ ପ୍ରଭାବିତ କରି ଅଚଳାବସ୍ଥା ଦୂର କରିବାକୁ ଧର୍ମେନ୍ଦ୍ର ଅପିଲ୍ କରିଛନ୍ତି।

ଇମ୍ଫା ସମ୍ପର୍କରେ ରତନ ଟାଟାଙ୍କୁ ଧର୍ମେନ୍ଦ୍ରଙ୍କ ଅପିଲ ପ୍ରସଙ୍ଗରେ ବୈଜୟନ୍ତ ପଣ୍ଡାଙ୍କ ଅଫିସ ପକ୍ଷରୁ  ଟ୍ୱିଟ୍‌ କରାଯାଇଛି। ରତନ ଟାଟାଙ୍କ ଭୂମିକା ନେଇ ବୈଜୟନ୍ତ ଆଶା ପ୍ରକାଶ କରିଛନ୍ତି। ସେ କେହିଛନ୍ତି,-ଇମ୍ଫାରେ ଅଚଳାବସ୍ଥା ଦୂର ପାଇଁ ରତନ ପଦକ୍ଷେପ ନେଇପାରିବେ ବୋଲି ମୁଁ ଆଶା କରୁଛି। ଏହାଦ୍ୱାରା ହଜାର ହଜାର ଲୋକଙ୍କ ଜୀବନ ଜୀବିକା ସ୍ୱଭାବିକ୍‌ ହୋଇପାରିବ ବୋଲି ଆଶା କରୁଛି।

ଇମ୍ଫାରେ ଅଚଳାବସ୍ଥା ଯୋଗୁ ହସ୍ପିଟାଲ, ସ୍କୁଲ, ପ୍ଲାଣ୍ଟ ବନ୍ଦ ରହିବା ସହିତ ଓଡ଼ିଶାର ଛବି ମଧ୍ୟ ପ୍ରଭାବିତ ହେଉଛି। ରାଜ୍ୟର ସାମାଜିକ ଓ ଆର୍ଥିକ ପରିବେଶ ମଧ୍ୟ ପ୍ରଭାବିତ ହେଉଛି ବୋଲି ସେ ଲେଖିଛନ୍ତି।

 

 

 

Previous ArticleNext Article

Send this to a friend