ଦଶାବତାର ମୂର୍ତ୍ତି ବିବାଦ ତୁଟୁନି, ମୁକୁଳା ପଡିଛି ସିଂହଦ୍ୱାର ଗୁମୁଟ

ପୁରୀ(ଓଡିଶା ରିପୋର୍ଟର): ଶ୍ରୀମନ୍ଦିର ସିଂହଦ୍ୱାର ଗୁମୁଟରେ ନାହିଁ ଦଶାବତାର ମୂର୍ତ୍ତି। ଗୁମୁଟ ମରାମତି ବେଳେ ଭଗ୍ନ ମୂର୍ତ୍ତି ମରାମତି ଓ ଏହାକୁ ପୁନଃ ସଂସ୍ଥାପନ ଲାଗି ବ୍ୟବସ୍ଥା କରାଯାଉଥିବା ବେଳେ ବିବାଦ ଉପୁଜିବାରୁ ଏବେ ମନ୍ଦିର ମୁହଁ ମୁକୁଳା ପଡିଛି। ଏହି ମୂର୍ତ୍ତି କେବେ ସ୍ଥାପନ ହେବ ସେ ନେଇ ବାଦ ବିବାଦ ଲାଗି ରହିଥିବା ବେଳେ ସାଧାରଣ ଭକ୍ତଙ୍କ ମଧ୍ୟରେ ଏହାକୁ ନେଇ ଅସନ୍ତୋଷ ପ୍ରକାଶ ପାଉଛି।

ଭକ୍ତମାନ ଶ୍ରୀମନ୍ଦିରକୁ ପ୍ରବେଶ କରିବା ପୂର୍ବରୁ ଅରୁଣ ସ୍ତମ୍ଭକୁ ମୁଣ୍ଡିଆ ମାରିଥାଆନ୍ତି। ପରେ ଗୁମୁଟ ଉପରେ ଥିବା ଦଶାବତାର ମୂର୍ତ୍ତୀର ସାନ୍ନିଧ୍ୟ ନେଇ ବାଇଶିପାହାଚ ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରିଥାଆନ୍ତି। ହେଲେ ବିଡମ୍ବନାର ବିଷୟ ୨୦୧୨ରୁ ସିଂହଦ୍ୱାର ମରାମତି ନାଁରେ ଦଶାବତାର ମୂର୍ତ୍ତୀଙ୍କୁ ଭାଙ୍ଗି ଦିଆଯାଇଥିଲା। ଏନେଇ ବିବାଦ ଦେଖା ଦେଇଥିବାରୁ ଏଏସ୍ଆଇ ପକ୍ଷରୁ ଖଣ୍ଡୋଲାଇଟ ପଥରରେ ଦଶାବତାର ମୂର୍ତ୍ତି ନିର୍ମାଣ କାମ ଆରମ୍ଭ ହୋଇଥିଲା।

ନବମ ଅବତାର ବୁଦ୍ଧ ହୋଇଥିବାରୁ ଗବେଷକମାନେ ବୁଦ୍ଧଙ୍କ ମୂର୍ତ୍ତି ସ୍ଥାନିତ କରିବା ପାଇଁ ଦାବି କରିଥିଲେ। ଯାହାକୁ ନେଇ ପୁଣି ନୂଆ ବିବାଦ ମୁଣ୍ଡ ଟେକିଥିଲା। ସେଥିପାଇଁ ଆଜି ପର୍ଯ୍ୟନ୍ତ ମୁକୁଳା ପଡିଛି ସିଂହଦ୍ୱାର। ଭକ୍ତଙ୍କ ଆଧ୍ୟାତ୍ମିକ ଭାବନକୁ ବଞ୍ଚାଇ ରଖିବା ପାଇଁ ବିବାଦରୁ ଊର୍ଦ୍ଧ୍ୱକୁ ଯାଇ ଯେଉଁ ମୂର୍ତ୍ତୀ ରହିଥିଲା, ତାହା ଲଗାଯାଉ ବୋଲି ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଦାବି କରିଛନ୍ତି। କିନ୍ତୁ ଏହି ବିବାଦ କୋର୍ଟରେ ବିଚାରାଧୀନ ଥିବାରୁ କୌଣସି ସୂଚନା ଦେଇହେବ ନାହିଁ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି ।

Previous ArticleNext Article

Send this to a friend