ଏଣିକି ବିକାଶ ପାଇଁ ବାଧକ ହେବନି ଜଙ୍ଗଲ ଜମି, ସରକାର ନେଉଛନ୍ତି ଏହି ନିଷ୍ପତ୍ତି

forest

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ଜଙ୍ଗଲ ଓ ପରିବେଶ ବିଭାଗ ଗଠନ କରିବ ଲ୍ୟାଣ୍ଡ ବ୍ୟାଙ୍କ୍। ବର୍ତ୍ତମାନ ସମୟରେ ଜଙ୍ଗଲ ଓ ପରିବେଶ ବିଭାଗର ଅନୁମୋଦନ ପାଇଁ ଅଟକି ଯାଉଥିବା ବିଭିନ୍ନ ପ୍ରକଳ୍ପର କାର୍ଯ୍ୟ ଏହାଦ୍ୱାରା ତ୍ୱରାନ୍ୱିତ ହୋଇପାରିବ। ଏଥିସହ ବିଭିନ୍ନ ପ୍ରକଳ୍ପ ପାଇଁ ଆସୁଥିବା ଜଙ୍ଗଲ ବିଭାଗ ଅନୁମୋଦନକୁ ତ୍ୱରାନ୍ୱିତ ପାଇଁ ସମସ୍ତ ବନଖଣ୍ଡ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ଅପିଲ୍ କରିଛନ୍ତି।

ରାଉରକେଲାରେ ଦ୍ୱିତୀୟ ବ୍ରାହ୍ମଣୀ ବ୍ରିଜ୍ ହେଉ କିମ୍ବା ଜାତୀୟ ରାଜପଥ ଦୋହରୀକରଣ କାର୍ଯ୍ୟ ଜଙ୍ଗଲ ଓ ପରିବେଶ ବିଭାଗର ଅନୁମୋଦନ ଅପେକ୍ଷାରେ ଅଟକି ରହିଛି ଏଭଳି ଅନେକ ଉନ୍ନତିମୂଳକ କାମ। ତେଣୁ ଏହି ସମସ୍ୟାର ସମାଧାନ ପାଇଁ ନୂଆ ଯୋଜନା କରୁଛି ବନ ବିଭାଗ। ବିଭିନ୍ନ ଡିଭିଜନରେ ଥିବା ଅବକ୍ଷୟ ମୁଖୀ ଜଙ୍ଗଲ ତଥା ରାଜସ୍ୱ ବିଭାଗ ଜଙ୍ଗଲକୁ ନେଇ ଏକ ଲ୍ୟାଣ୍ଡ ବ୍ୟାଙ୍କ ପ୍ରତିଷ୍ଠା କରିବାକୁ ଡିଏଫ୍ଓମାନଙ୍କୁ ପରାମର୍ଶ ଦିଆଯାଇଛି। ଏହି ବ୍ୟାଙ୍କ ପ୍ରତିଷ୍ଠା ହେବା ଦ୍ୱାରା ଯେ କୌଣସି ପ୍ରକଳ୍ପ ପାଇଁ ଦରକାର ପଡୁଥିବା ଜଙ୍ଗଲ ଜମି ସମସ୍ୟାର ସମାଧାନ ହୋଇପାରିବ। ଫଳରେ ବିକାଶ କାର୍ଯ୍ୟ ତ୍ୱରାନ୍ୱିତ ହୋଇପାରିବ ବୋଲି କୁହାଯାଇଛି।

କିଛି ବର୍ଷ ପରେ ସଚିବାଳୟରେ ହୋଇଥିବା ଡିଏଫ୍ଓ ସମ୍ମିଳନୀରେ ଏନେଇ ଆଲୋଚନା ହୋଇଛି। ବନ ବିଭାଗର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକୁ କିଭଳି ଅଗ୍ରାଧିକାର ଦିଆଯିବ। ଯେଉଁ ସମସ୍ୟା ରହିଛି ତାର ସମାଧାନ ଆଦି ଉପରେ ଆଲୋଚନା ହୋଇଛି। ଜଙ୍ଗଲ ସଂରକ୍ଷଣରେ କିଭଳି ଅଧିକ ଲୋକଙ୍କ ଭାଗିଦାରୀ ରହିପାରିବ ତା ଉପରେ ଜୋର ଦିଆଯାଇଛି। ଏଭଳି ସମ୍ମିଳନୀ ଦ୍ୱାରା ବିଭିନ୍ନ କାର୍ଯ୍ୟ ତ୍ୱରାନ୍ୱିତ ହୋଇପାରିବ ବୋଲି ସମ୍ମିଳନୀରେ ଉପସ୍ଥିତ ଅଧିକାରୀମାନେ ମତ ଦେଇଛନ୍ତି।

ସମଗ୍ର ଦେଶରେ ଏବେ ହାରାହାରି ୩୩ ପ୍ରତିଶତ ଅଞ୍ଚଳରେ ଜଙ୍ଗଲ ରହିଥିବା ବେଳେ ଓଡ଼ିଶାରେ ୩୪.୯ ପ୍ରତିଶତ ଅଞ୍ଚଳ ଜଙ୍ଗଲରେ ଆଚ୍ଛାଦିତ।  ସେହିଭଳି ବିଗତ ଦୁଇ ଦଶନ୍ଧିରେ ଓଡ଼ିଶାରେ ୩ ଲକ୍ଷ ୪୦ ହଜାର ହେକ୍ଟର ନୂତନ ଜଙ୍ଗଲ ସୃଷ୍ଟି ହୋଇଛି। ବର୍ତ୍ତମାନ ସମୟରେ କିଭଳି ଜୀବଜନ୍ତୁ ବଞ୍ଚି ରହିବା ସହ ଜଙ୍ଗଲର ଶୋଭାବର୍ଦ୍ଧନ ହେବ ସେ ନେଇ ସମ୍ମିଳନୀରେ ବାହାରିଥିବା ନିଷ୍କର୍ସ ଅନୁଯାୟୀ ପଦକ୍ଷେପ ନେବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

Previous ArticleNext Article

Send this to a friend