ନିଜେ ଲୁଟି ଏତଲା ଦେଇଥିଲା, ଧରାପଡ଼ିଲା

କଟକ(ଓଡ଼ିଶା ରିପୋର୍ଟର): ଡାହାଣୀ ହୋଇ ଲାଗିଲେ, ଗୁଣିଆ ହୋଇ ଝାଡ଼ିଲେ।  ଏପରି ଅଭିନବ ଢଙ୍ଗରେ ଲୁଟ୍ କରିଥିବା ଏକ ଘରୋଇ କମ୍ପାନୀର କର୍ମଚାରୀଙ୍କୁ ଗିରଫ କରିଛି କମିଶନରେଟ ପୋଲିସ। କଟକ ଆଲାହାବାଦ ବ୍ୟାଙ୍କ ସାମ୍ନାରୁ ୨୭ ଲକ୍ଷ ଟଙ୍କା ଲୁଟ୍ ଘଟଣାରେ ପର୍ଦ୍ଦାଫାସ କରିଛି ପୋଲିସ। ଲୁଟ୍‌ରେ ସମ୍ପୃକ୍ତ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ୨୬ ଲକ୍ଷ ୪୮ ହଜାର ଟଙ୍କା ଜବତ କରିଛି ପୋଲିସ।

ଲୁଟ୍ ନେଇ ଏତଲା ଦେଇଥିବା ନଳିନୀକାନ୍ତ ତ୍ରିପାଠୀ ହିଁ ମୁଖ୍ୟ ଲୁଟେରା ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ କଟକ ଡିସିପି ଅଖିଳେଶ୍ୱର ସିଂ ସୂଚନା ଦେଇଛନ୍ତି । ନଳିନୀକାନ୍ତ ହେଉଛନ୍ତି ଟଙ୍କା ଲୁଟ୍ ହୋଇଥିବା ଏକ ଘରୋଇ ସଂସ୍ଥାର କର୍ମଚାରୀ।  ଗତ ମାସ ୩୧ତାରିଖରେ ସେ ଚାକିରି କରୁଥିବା କମ୍ପାନୀର ଟଙ୍କା ବ୍ୟାଙ୍କରୁ ଉଠାଇ ଆସୁଥିଲେ। ଏହି ସମୟରେ ତାଙ୍କଠାରୁ ଦୁର୍ବୃତ୍ତ ଟଙ୍କା ଲୁଟି ନେଇଥିବା ନେଇ ଥାନାରେ ନଳିନୀକାନ୍ତ ଅଭିଯୋଗ କରିଥିଲେ। ଦୁଇ ଦୁର୍ବୃତ୍ତ ବାଇକ୍‌ରେ ଆସି ଟଙ୍କା ଭର୍ତ୍ତି ବ୍ୟାଗ୍ ଲୁଟି ନେଇ ପଳାଇଥିବା ସେ ଅଭିଯୋଗ କରିଥିଲେ।  ହେଲେ ଏବେ ସେ ନିଜେ ହିଁ ଏହି ଲୁଟ୍‌ର ମୁଖ୍ୟ ଅଭିଯୁକ୍ତ ବୋଲି ପୋଲିସ ସୂଚନା ଦେଇଛି।

Previous ArticleNext Article

Send this to a friend