ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନାଁରେ ଠକେଇ: ଘର ଦେବାର ଲୋଭ ଦେଖାଇ ଗରିବଙ୍କୁ ଲୁଟି ନେଲା ଜାଲ୍ କମ୍ପାନୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଘର କା ସପନା, ସଚ୍ଚ ହୋଗା। ଝାରସୁଗୁଡ଼ା ସହର ମଝିରେ ଏ ସାଇନ୍ ବୋର୍ଡ ଯେମିତି ଏଠାକାର ଆର୍ଥିକ ପଛୁଆ ବର୍ଗର ଲୋକଙ୍କୁ ଉପହାସ କଲା ଭଳି ମନେ ହେଉଛି। କାରଣ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଏଠି ସୂଲଭ ମୂଲ୍ୟରେ ଘର ଯୋଗାଇ ଦେବାକୁ କହି ଶହ ଶହ ଲୋକଙ୍କୁ ଚୂନ ଲଗାଇଛି NACS ଲିମିଟେଡ୍ ନାମକ ଏକ ସଂସ୍ଥା। ରାଉରକେଲାରେ ବି ଲୋକଙ୍କଠୁ ଟଙ୍କା ନେଇ ଠକ କମ୍ପାନୀ ପାର୍। ହେଲେ ରାଉରକେଲା ସେକ୍ଟର ୫ ବସ୍ତି ଅଞ୍ଚଳର ଅଟୋ ଚାଳକ ରମେଶ ଚନ୍ଦ୍ର ରଥ ପତ୍ନୀ ମିତାରାଣୀଙ୍କ ନାଁରେ ପ୍ରଧାନମନ୍ତ୍ରୀ ଆବାସ ପାଇଁ ଆବେଦନ କରିବାକୁ ଏଜେଣ୍ଟକୁ ରେଜିଷ୍ଟ୍ରେସନ ବାବଦରେ ଦେଇଛନ୍ତି ୨ ହଜାର ଟଙ୍କା। ସେହିପରି  ଆଉ ଜଣେ ହେଲେ ବିକାଶ ଦାସ। ସେ ମଧ୍ୟ ସମାନ ପରିମାଣର ଟଙ୍କା ଏଜେଣ୍ଟକୁ ଦେଇ ଏବେ ଚିନ୍ତାରେ। ଏମିତିକି ଝାରସୁଗୁଡ଼ାରେ ସଂପୃକ୍ତ ଠକ କମ୍ପାନୀ ଘର ଯୋଗାଇବାକୁ ଜିଲ୍ଲାପାଳଙ୍କଠାରୁ ସ୍ୱୀକୃତି ପାଇଥିବା ଦର୍ଶାଇ ଲୋକଙ୍କୁ ଭୂଆଁ ବୁଲାଇଛି। ଏ ନେଇ କମ୍ପାନୀ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ ପାଇଁ ୱେବସାଇଟରେ ଦିଆଯାଇଥିବା ଦୁଇଟି (955633760, 904006868) ନମ୍ବରରେ ଯୋଗାଯୋଗ କରିଲେ ମଧ୍ୟ ନମ୍ବର ସୁଇଚ୍‌ ଅଫ୍‌ ଦେଖାଉଛି।

NACS ସଂସ୍ଥାର ୱେବସାଇଟରେ ମୁଖ୍ୟ ଅଫିସ ଭୁବନେଶ୍ୱରର ଜୟଦେବ ବିହାରର ପ୍ଲଟ ନମ୍ବର-ଏନ୍ ୬/ ୩୧୩, ଦ୍ୱିତୀୟ ମହଲାରେ ଥିବା ଦର୍ଶାଯାଇଛି। ହେଲେ ସେଠି ସେମିତି କୌଣସି ଅଫିସ ନଥିବା ଅନୁସନ୍ଧାନରୁ ଜଣାପଡିଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଟଙ୍କା ନେଇ ରସିଦ୍ ମଧ୍ୟ କଟାଯାଉଛି। ଯେମିତି ସନ୍ଦେହ ନ ହେବ ସଂସ୍ଥାର ଦଲାଲ ଏଥିପାଇଁ ୨ ହଜାର ଟଙ୍କା ଲେଖାଏଁ ନେଇ ରସିଦ ବି ଦଉଛି। ସେପଟେ ଝାରସୁଗୁଡା ଜିଲ୍ଲାପାଳ ସଫା ସଫା କହିଛନ୍ତି, ଜିଲ୍ଲା ପ୍ରଶାସନ ଏଭଳି କୌଣସି ସଂସ୍ଥାକୁ ଟଙ୍କା ଆଦାୟ ପାଇଁ ଅନୁମତି ଦେଇନାହିଁ।

ଏବେ ପ୍ରଶ୍ନ ଘର ଯୋଗାଇବା ନାଁରେ ଗରିବ ଲୋକଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ନେଇଥିବା ଜାଲ୍ ସଂସ୍ଥାର ଏ କାରନାମା ପଛରେ କୌଣସି ସରକାରୀ ଅଫିସର କି ରାଜନେତାଙ୍କ ଆର୍ଶୀବାଦ ନାହିଁ ତ ?

Previous ArticleNext Article

Leave a Reply

Send this to a friend