ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୋଲିସ ବେଫିକର। ରାଜ୍ୟ ସରକାର ସ୍ଥାଣୁ। ଯୌନ ପିପାସୁଙ୍କ ଚରା ଭୂଇଁ ପାଲଟିଛି ଓଡ଼ିଶା। କେତେବେଳେ ନାବାଳିକାଙ୍କୁ ଗଣବଳାତ୍କାର ହେଲାଣି ତ ଆଉ କେତେବେଳେ ଯୁବତୀଙ୍କ ଇଜ୍ଜତ ସୋସିଆଲ ମିଡ଼ିଆରେ ନିଲାମ ହେଲାଣି। ଖାଲି ସେତିକି ନୁହେଁ ଯୌନ ପିପାସୁଙ୍କ ଲୋଲୁପ ଦୃଷ୍ଟିରେ ନାବାଳିକା। ପ୍ରତିଦିନ ବଜାରରେ ନିଲାମ ହେଉଛି ସେମାନଙ୍କ ଇଜ୍ଜତ। ସୋସିଆଲ୍ ମିଡ଼ିଆରେ ଘୂରି ବୁଲୁଛି ସେମାନଙ୍କ ଫୁଙ୍ଗୁଳା ଦେହ। ପୋଲିସ ଡିଜିଙ୍କ କଡ଼ା ନିର୍ଦ୍ଦେଶକୁ ଖାତିର ନକରି ଯୌନ ପିପାସୁମାନେ ଭାଇରାଲ କରୁଛନ୍ତି ଗୋଟିଏ ପରେ ଗୋଟିଏ ଅଶ୍ଲୀଳ ଭଡ଼ିଓ ଓ ଫଟୋ। ଗତକାଲି ଗୋଟିଏ ଦିନରେ ଦୁଇ ଜଣ ନାବାଳିକାଙ୍କୁ ଯୌନ ପିପାସୁମାନେ ଶିକାର କରିଛନ୍ତି। ଗୋଟିଏ ଘଟଣା ଜଗତସିଂହପୁରରେ ଘଟିଥିବା ବେଳେ ଅନ୍ୟଟି ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅଞ୍ଚଳରେ। ଯାହା ଆଜିର ସଭ୍ୟ ସମାଜକୁ ବିଚଳିତ କରିଦେଇଛି। ଏପରିକି ପୋଲିସର ପାରିବା ପଣିଆକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଗତକାଲି ଏପରି ଏକ ଲୋମହର୍ଷକାରୀ ଘଟଣା ଜଗତସିଂହପୁର ଏରସମାର ଗଡ଼ହରିଶପୁର ଗାଁ କାଜୁ ଜଙ୍ଗଲରେ ଘଟିଛି। ନାବାଳିକା ଜଣକ ରାତିରେ ଶୌଚ ପାଇଁ ଯାଇଥିଲେ। ଏହି ସମୟରେ ଦୁର୍ବୃତ୍ତମାନେ ତାଙ୍କୁ ଟେକି ନେଇ ଦୁଷ୍କର୍ମ କରିବା ପରେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୁଖ୍ୟଅଭିଯୁକ୍ତକୁ କଟକ ବାଦାମବାଡ଼ି ଥାନା ଅଞ୍ଚଳରୁ ପୋଲିସ ଗିରଫ କରିଛି। ସେହିପରି ବାଲେଶ୍ୱର ଜିଲ୍ଲା ନୀଳଗିରି ପୁଟିବନ୍ଧ ଗାଁରେ ନାବାଳିକାକୁ ଗଣଦୁଷ୍କର୍ମ ପରେ ଗାୟବ କରି ଦିଆଯାଇଥିବା ଅଭିଯୋଗ ହୋଇଛି। କେବଳ ଗତକାଲି କାଲି ନୁହେଁ, ଗତ ୧୭ ତାରିଖରେ ଜଗତସିଂହପୁର କୁଜଙ୍ଗରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହେଉ କି ୧୩ ତାରିଖରେ ସାଲେପୁରରେ ଦୁଷ୍କର୍ମ ପୀଡ଼ିତା ନାବାଳିକାଙ୍କ ଆତ୍ମହତ୍ୟା ଘଟଣା ଅତି ଉଦ୍ବେଗଜନକ ଭାବେ ରାଜ୍ୟରେ ଏଭଳି ଘଟଣା ବଢିଚାଲଛି।
ଗତ ୮ ତାରିଖରେ ଦେବଗଡ଼ ବାରକୋଟ୍ରେ ଏକ ଢାବାରେ ନାବାଳିକାକୁ ଯୌନଶୋଷଣ, ବାଲେଶ୍ୱର ନୀଳଗିରି ଧବବତିରେ ନାବାଳିକାକୁ ଦୁଷ୍କର୍ମ ଓ ସୁନ୍ଦରଗଡ ବଣାଇ ଥାନା କଟାଖଣ୍ଡି ବସ୍ତିରେ ଦିବ୍ୟାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ ଆସିଥିଲା। ଦିନକୁ ଏମିତି ୨ରୁ ୩ଟି ଦୁଷ୍କର୍ମ ଓ ହତ୍ୟା ଘଟଣା ନଜରକୁ ଆସିଛି। ତେବେ ଏଭଳି ଆହୁରି ଅନେକ ଘଟଣା ଘଟୁଛି, ଯାହା ନଜର ଆଢୁଆଳରେ ରହିଯାଉଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।