ମାଲକାନଗିରି (ଓଡ଼ିଶା ରିପୋର୍ଟର): ଟିକେ ଅଧିକ ବୁଦ୍ଧି ଲଗାଇ ଦେଇଥିଲେ। ଭାବିଥିଲେ ଦାମୀ ଗାଡ଼ିରେ ନୀଳବତି ଲଗାଇ ଦେଲେ ଆଉ କେହି ଅଟକାଇବେନି। ଆଉ ତାଙ୍କ କାମ ସହଜରେ ହୋଇଯିବ। କିନ୍ତୁ ସେମିତି ହେଲା ନାହିଁ। ପୋଲିସ୍ ନଜରରୁ ଖସି ପାରିଲେନି। ଧରା ପଡ଼ିଲେ ଓ ନୀଳବତି ଗାଡ଼ି ଭିତରୁ ଜବତ ହେଲା ବସ୍ତା ବସ୍ତା ଗଞ୍ଜେଇ। ମାଲକାନଗିରି ଜିଲ୍ଲା ବାଲିମେଳା ଥାନା ଅଞ୍ଚଳରେ ଏମିତି ଅଭିନବ ଢଙ୍ଗରେ ଗଞ୍ଜେଇ ଚାଲାଣ ହେଉଥିଲା।
ଗତକାଲି ରାତିରେ ବାଲିମେଳା ଥାନା ପୋଲିସ୍ ଚିତ୍ରକୋଣ୍ଡା ଛକ ନିକଟରେ ନାକାବନ୍ଦୀ କରି ତିନୋଟି ଗଞ୍ଜେଇ ବୋଝେଇ ଗାଡ଼ି ଜବତ କରିଥିଲା। ତା’ମଧ୍ୟରେ ଥିଲା ଏହି ନୀଳବତି ଗାଡ଼ି। ଏହା ସହିତ ପୋଲିସ୍ ଗୋଟିଏ ଟିପର ଓ ଗୋଟିଏ ମିନି ଟ୍ରକକୁ ମଧ୍ୟ ଜବତ କରିଛି। ଏଇ ତିନୋଟି ଗାଡ଼ିରେ ମୋଟ ୧୪ କୁଇଣ୍ଟାଲ ଗଞ୍ଜେଇ ଥିଲା। ପୋଲିସ୍ ଏ ଘଟଣାରେ ୩ ଜଣଙ୍କୁ ଗିରଫ କରିଛି। ଏହି ସବୁ ଗଞ୍ଜେଇକୁ ଚିତ୍ରକୋଣ୍ଡାରୁ ଛତିଶଗଡ଼କୁ ଚାଲାଣ ହେଉଥିଲା।