ବଢ଼ିଲା ଖରା ଛୁଟି: ଜାଣନ୍ତୁ କେବେ ଖୋଲିବ ସ୍କୁଲ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ ପୁଣି ଥରେ ବଢ଼ିଛି ସ୍କୁଲ ଛୁଟି ଅବଧି। ଜୁନ୍ ୨୧ ବଦଳରେ ଜୁନ୍ ୨୬ ତାରିଖରେ ଖୋଲିବ ସ୍କୁଲ। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଘୋଷଣା କରିଛନ୍ତି। ପ୍ରବଳ ଖରାକୁ ଦେଖି ଛୁଟି ବୃଦ୍ଧି କରାଯାଇଛି।

ପୂର୍ବରୁ ଜୁନ୍‌ ୧୮ ଯାଏଁ ଖରାଛୁଟି ଘୋଷଣା ହୋଇଥିଲା। ହେଲେ ଜୁନ ୧୬ ତାରିଖରେ ଏହାକୁ ୩ଦିନ ବୃଦ୍ଧି କରାଯାଇ ୨୧ ତାରିଖ ପର୍ଯ୍ୟନ୍ତ କରି ଦିଆଯାଇଥିଲା। ଆଜି ଏହି ଛୁଟିକୁ ଆହୁରି ୪ଦିନ ବୃଦ୍ଧି କରାଯାଇଛି।

ସୂଚନାଯୋଗ୍ୟ, ସପ୍ତାହରୁ ଅଧିକ ହେବ ରାଜ୍ୟରେ ଗ୍ରୀଷ୍କ ପ୍ରବାହ ଜାରି ରହିଛି। ଖରା ନୁହେଁ ତ, ଆକାଶରୁ ଅଗ୍ନିବର୍ଷା ହେଉଛି, ନିଆଁ ଝୁଲ ଖସୁଛି। ପ୍ରଚଣ୍ଡ ତାତି ସାଙ୍ଗକୁ ଅସହ୍ୟ ଗୁଳୁଗୁଳିରେ ଆଉଟୁ ପାଉଟୁ ହେଉଛି ସାରା ଓଡ଼ିଶା।

ଉପକୂଳରୁ ନେଇ ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶା, ସବୁଠି ଅସମ୍ଭାଳ ଖରା। ୪୨.୨ ଡିଗ୍ରୀ ତାପମାତ୍ରା ସହ ରାଜଧାନୀ ଭୁବନେଶ୍ୱର ଗତକାଲି ବି ରାଜ୍ୟର ସବୁଠୁ ଉତ୍ତପ୍ତ ସହର ଥିଲା।  ଏହାସହ ୧୫ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଗୁଆ ଆସିଥିଲେ ବି ହଠାତ୍‌ ଉଭାନ ହୋଇଯାଇଛି। ଫଳରେ ବର୍ଷା ହେଉ ନଥିବାରୁ ଖରା ତାତି  ବଢ଼ି ଚାଲିଛି।

Previous ArticleNext Article

Send this to a friend