ଦିନକୁ କେତେଖଣ୍ଡ ପାନ ଖାଆନ୍ତି କାଳିଆ ସାଆନ୍ତ ?

ଭୁବନେଶ୍ୱର(ଓଡିଶା ରିପୋର୍ଟର): ମାନବୀୟ ଲୀଳାର ପ୍ରତୀକ ହେଉଛନ୍ତି ଜଗନ୍ନାଥ ମହାପ୍ରଭୁ। ଯଥା ଦେହେ ତଥା ଦେବେ ନ୍ୟାୟରେ ମହାପ୍ରଭୁଙ୍କ ପାଖରେ ନିତ୍ୟ ସେବା ସମର୍ପଣ କରାଯାଇଥାଏ। ଶ୍ରୀମନ୍ଦିରରେ ଆରାଧିତ ବିଗ୍ରହମାନଙ୍କ ପାଇଁ ୩୬ ନିଯୋଗରେ ସେବା ବଣ୍ଟନ କରାଯାଇଛି। ତନ୍ମଧ୍ୟରୁ ଗୋଟିଏ ସେବା ହେଉଛି ହଡ଼ପ ନାୟକ ସେବା। ହଡ଼ପ ଅର୍ଥ ହେଉଛି ତାମ୍ବୁଳ ସାମଗ୍ରୀ ବା ପାନ। ଏହାକୁ ଯୋଗାଉଥିବା ବ୍ୟକ୍ତିଙ୍କ ପଦବୀ ହେଉଛି ନାୟକ। ସାଧାରଣ ଭାବେ କହିବାକୁ ଗଲେ ଜଗନ୍ନାଥ ମହାପ୍ରଭୁଙ୍କ ନିତ୍ୟ […]

Pana

Pana

Rakesh Mallick
  • Published: Monday, 30 April 2018
  • Updated: 30 April 2018, 03:50 PM IST

Sports

Latest News

ଭୁବନେଶ୍ୱର(ଓଡିଶା ରିପୋର୍ଟର): ମାନବୀୟ ଲୀଳାର ପ୍ରତୀକ ହେଉଛନ୍ତି ଜଗନ୍ନାଥ ମହାପ୍ରଭୁ। ଯଥା ଦେହେ ତଥା ଦେବେ ନ୍ୟାୟରେ ମହାପ୍ରଭୁଙ୍କ ପାଖରେ ନିତ୍ୟ ସେବା ସମର୍ପଣ କରାଯାଇଥାଏ। ଶ୍ରୀମନ୍ଦିରରେ ଆରାଧିତ ବିଗ୍ରହମାନଙ୍କ ପାଇଁ ୩୬ ନିଯୋଗରେ ସେବା ବଣ୍ଟନ କରାଯାଇଛି। ତନ୍ମଧ୍ୟରୁ ଗୋଟିଏ ସେବା ହେଉଛି ହଡ଼ପ ନାୟକ ସେବା। ହଡ଼ପ ଅର୍ଥ ହେଉଛି ତାମ୍ବୁଳ ସାମଗ୍ରୀ ବା ପାନ। ଏହାକୁ ଯୋଗାଉଥିବା ବ୍ୟକ୍ତିଙ୍କ ପଦବୀ ହେଉଛି ନାୟକ। ସାଧାରଣ ଭାବେ କହିବାକୁ ଗଲେ ଜଗନ୍ନାଥ ମହାପ୍ରଭୁଙ୍କ ନିତ୍ୟ ତାମ୍ବୁଳ ସମର୍ପଣ କରୁଥିବା ସେବକ ହେଉଛନ୍ତି ହଡ଼ପ ନାୟକ। ଏହି ସେବକ ସକାଳ ଧୂପ ବଲ୍ଲଭଠାରୁ ବଡ ସିଂହାର ପର୍ଯ୍ୟନ୍ତ ମହାପ୍ରଭୁଙ୍କ ସେବାରେ ନିୟୋଜିତ ଥାଆନ୍ତି ଓ ତାମ୍ବୁଳ ବା ବିଡିଆ ପାନ ଅର୍ପଣ କରିଥାନ୍ତି।

ପ୍ରତିଦିନ କେତାଟି ପାନ ଖାଆନ୍ତି ମହାପ୍ରଭୁ

ଜଗନ୍ନାଥ ମହାପ୍ରଭୁଙ୍କ ପାଖରେ ପ୍ରତ୍ୟେହ ୩୦ ଖଣ୍ଡ ବିଡିଆ ପାନ ଲାଗି ହୋଇଥାଏ। ସକାଳ ଧୂପ, ମଧ୍ୟାହ୍ନ ଧୂପ, ସନ୍ଧ୍ୟା ଧୂପରେ ୭ଟି ବିଡିଆ ମଣୋହୀ ହେଉଥିବା ବେଳେ ବଡ ସିଂହାରରେ ଅତିରିକ୍ତ ଭାବେ ୧୦ଟି ବିଡିଆ ମଣୋହୀ ହୁଏ। ସେହିପରି ରାତ୍ର ବଡସିଂହାର ପରେ ରୂପା ବଟାରେ ରତ୍ନସିଂହାସନ ଉପରେ ୬୦ଟି ବିଡିଆ ରଖାଯାଇଥାଏ। ରତ୍ନପଲଙ୍କରେ ମହାପ୍ରଭୁ ବିଜେ କରିବା ପରେ ଠାକୁରମାନଙ୍କ ଶେଯ ତଳେ ଏହି ବିଡିଆ ଖୋସି ଦିଆଯାଏ।

ଦୈନନ୍ଦିନ ଚନ୍ଦନଲାଗି ସମୟରେ ଜଗନ୍ନାଥଙ୍କୁ ୪ଟି, ବଳଭଦ୍ରଙ୍କୁ ୪ଟି, ସୁଭଦ୍ରାଙ୍କୁ ୪ଟି ଓ ସୁଦର୍ଶନଙ୍କୁ, ଭୂଦେବୀ, ଶ୍ରୀଦେବୀଙ୍କୁ ଗୋଟିଏ ଲେଖାଏଁ ସର୍ବମୋଟ ୧୬ଟି ବିଡିଆ ମଣୋହୀ ହୋଇଥାଏ।

ସ୍ୱତନ୍ତ୍ର ତାମ୍ବୁଳ ସେବା

ଚନ୍ଦନଲାଗି ବା ଚାପ ସମୟରେ ଏବଂ ଆଲଟ ଲାଗି ବେଳେ ଏହି ସେବା ଓ ସେବକଙ୍କ କାର୍ଯ୍ୟ ଗୁରୁତ୍ୱପୂର୍ଣ୍ଣ। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଚନ୍ଦନଲାଗି ଓ ଆଲଟଲାଗି ସମୟରେ ହଡ଼ପ ନାୟକ ଅବିରାମ ଭାବେ ତାମ୍ବୁଳ ସମର୍ପଣ କରିଥାନ୍ତି। ଆଲଟ ଲାଗି ବେଳେ ମନ୍ଦିର ଗର୍ଭଗୃହ ସମ୍ପୂର୍ଣ୍ଣ ଅନ୍ଧକାର କରାଯାଇ ଠାକୁରମାନଙ୍କୁ ଗୋଟିଏ ବସ୍ତ୍ର ପିନ୍ଧାଇ ଦିଆଯାଇଥାଏ। ଏହି ସମୟରେ ଆଲଟ ବା ବିଞ୍ଚଣାରେ ଶ୍ରୀଅଙ୍ଗକୁ ବିଞ୍ଚା ଯାଉଥିବା ବେଳେ ୪ଟି କରି ୧୬ଟି ବିଡିଆ ମହାପ୍ରଭୁଙ୍କ ସେବାରେ ସମର୍ପିତ ହୋଇଥାଏ।

ସେହିପରି ମହାପ୍ରଭୁ ଚାପରେ ବସି ନୌକା ବିହାର କରୁଥିବା ବେଳେ ମଧ୍ୟ ହଡ଼ପ ନୟକ ତାମ୍ବୁଳ ପ୍ରଦାନ କରିଥାନ୍ତି। ଦିନ ଚାପରେ ୩୦ଟି ବିଡିଆ ମଣୋହୀ ହେଉଥିବା ବେଳେ ରାତି ଚାପରେ ୫୦ଟି ବିଡିଆ ମଣୋହି ହୋଇଥାଏ। କେବଳ ଏହିଠାରେ ହିଁ ତାମ୍ବୁଳ ସମର୍ପଣ ବିଧିକୁ ସାଧାରଣ ଭକ୍ତ ଦେଖିବାକୁ ସୁଯୋଗ ପାଇଥାନ୍ତି। ହଡ଼ପ ନାୟକ ନିଜ କାନ୍ଧରେ ଏକ ନାଲି ରଙ୍ଗର ପଟି

ପକାଇଥାନ୍ତି। ଏହି ପଟିରେ ରୁପା ମୁଦ୍ରାରେ ଦଶାବତାର ଚିତ୍ର ଅଙ୍କିତ ହୋଇଥାଏ। ହଡପ ନାୟକ ଅଣ୍ଟାରେ ବାନ୍ଧିଥିବା ମୁଣିରୁ ପାନ ବା ବିଡିଆ ଖଣ୍ଡ କାଢି ଏହି ପଟିରେ ଘସି ଠାକୁରମାନଙ୍କ ଶ୍ରୀମୁଖରେ ଦେଖାଇଥାନ୍ତି। ମନ୍ତ୍ରୋଚ୍ଚାରଣ କରି ବିଡିଆ ପାନ ଲାଗି କରିବା ପରେ ତଳେ ରହିଥିବା ସ୍ୱତନ୍ତ୍ର ରୂପା ବଟାରେ ଏହାକୁ ପକାଇଥାନ୍ତି।

କ’ଣ ଥାଏ ବିଡିଆରେ: ୪ ଚଉତା ହୋଇ ଭଙ୍ଗା ହୋଇଥିବା ଏହି ପାନରେ ଚନ୍ଦନ, କର୍ପୁର, ଜାଇଫଳ, ଗୁଆ, ଅଳେଇଚ ଭଳି ସୁଗନ୍ଧିତ ମସଲା ଦିଆଯାଇ ଉପରେ ଏକ ଖଣ୍ଡ ଲବଙ୍ଗ ଖୁଞ୍ଚି ଦିଆଯାଇଥାଏ। ଯାହାକୁ ଶ୍ରୀମନ୍ଦିର ପରିଭାଷାରେ ବିଡିଆ ପାନ କୁହାଯାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos