ଡାହାଣ ଗୋଡ଼ ଯାଇଥିଲା, ଏବେ ଡାକ୍ତର କହୁଛନ୍ତି ବାମଗୋଡ଼ ବି କାଟିବେ...

କୁହାଯାଏ ବିପଦ ଯେତେବେଳେ ଆସେ, ସାଙ୍ଗରେ ଭାଇ ବନ୍ଧୁକୁ ଧରିକି ଆସେ। ଗୋଟିଏ ପରେ ଗୋଟିଏ ଅଘଟଣ ମଣିଷର ମେରୁଦଣ୍ଡ ଭାଙ୍ଗିଦିଏ। ଯଦି ଆର୍ଥିକ ପରିସ୍ଥିତି ଟିକିଏ ଭଲ ଥିବ, ତେବେ ଦୁର୍ଦ୍ଦିନର ମୁକାବିଲା କରିବା ସମ୍ଭବ ହୁଏ, ନହେଲେ ପୂରା ପରିବାର ଛାରଖାର ହୋଇଯାଏ। ଏମିତି ଦୁଃସମୟ ଏବେ ଆସିଛି ସହଦେବଙ୍କ ପାଇଁ। ଏବେ ପର ହାତଟେକାକୁ ହିଁ ଅପେକ୍ଷା କରିଛି ତାଙ୍କ ପରିବାର। କାମାକ୍ଷାନଗର (ରାକେଶ ଦେହୁରୀ): ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ଅନ୍ତର୍ଗତ […]

Rakesh

Rakesh

Ordigital Desk
  • Published: Thursday, 24 May 2018
  • Updated: 24 May 2018, 06:07 PM IST

କୁହାଯାଏ ବିପଦ ଯେତେବେଳେ ଆସେ, ସାଙ୍ଗରେ ଭାଇ ବନ୍ଧୁକୁ ଧରିକି ଆସେ। ଗୋଟିଏ ପରେ ଗୋଟିଏ ଅଘଟଣ ମଣିଷର ମେରୁଦଣ୍ଡ ଭାଙ୍ଗିଦିଏ। ଯଦି ଆର୍ଥିକ ପରିସ୍ଥିତି ଟିକିଏ ଭଲ ଥିବ, ତେବେ ଦୁର୍ଦ୍ଦିନର ମୁକାବିଲା କରିବା ସମ୍ଭବ ହୁଏ, ନହେଲେ ପୂରା ପରିବାର ଛାରଖାର ହୋଇଯାଏ। ଏମିତି ଦୁଃସମୟ ଏବେ ଆସିଛି ସହଦେବଙ୍କ ପାଇଁ। ଏବେ ପର ହାତଟେକାକୁ ହିଁ ଅପେକ୍ଷା କରିଛି ତାଙ୍କ ପରିବାର।

କାମାକ୍ଷାନଗର (ରାକେଶ ଦେହୁରୀ): ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ଅନ୍ତର୍ଗତ ସମାଟାଙ୍ଗୀ ଗାଁର ସହଦେବ ନାୟକ। ଖୁବ୍ ପରିଶ୍ରମୀ ସେ। ନିଜେ କାମଦାମ କରି ନିଜକୁ ଠିଆ କରାଇଥିଲେ। ବାହା ହୋଇ ପିଲା ପରିବାର କରିଥିଲେ। କିନ୍ତୁ ଭାଗ୍ୟ ଯେମିତି ତାଙ୍କ ସପକ୍ଷରେ ନଥିଲା। ତାଙ୍କ ଜୀବନ ଆକାଶରେ ଘୋଟି ଆସିଲା କଳା ବାଦଲ।

ସହଦେବ କଟକ ଅଞ୍ଚଳରେ କାମଧନ୍ଦା କରି ଭଲରେ ଚଳୁଥିଲେ। ଘରେ ତାଙ୍କର ସ୍ତ୍ରୀ ଅଞ୍ଜନା ନାୟକ ଓ ଗୋଟିଏ ପୁଅ ଗୁରୁଦେବ ନାୟକ (୨ବର୍ଷ) ଓ ଝିଅ ପ୍ରଭାସିନୀ ନାୟକ (୪ ବର୍ଷ)। ଏମାନଙ୍କୁ ନେଇ ବେଶ୍ ଭଲରେ ଚଳୁଥିଲେ ସହଦେବ। ହେଲେ ଦଇବ ସାଜିଲା ବଇରୀ। ହଠାତ୍ ତାଙ୍କ ଉପରକୁ ମାଡ଼ି ଆସିଲା ଏକ ଅଜଣା ବେମାରୀ। କ’ଣ ହେଇଛି ବୋଲି ସେ ବା ଜାଣିବେ କେମିତି? ଡାକ୍ତର ପାଖକୁ ଧାଇଁଲେ। ଟଙ୍କା ପଇସା ଖର୍ଚ୍ଚ କଲେ। ସ୍ଥିତି ଏମିତି ହେଲା ଯେ, ନିଜର ଚିକିତ୍ସା ପାଇଁ ସେ  ଜମିବାଡ଼ିଠାରୁ ଆରମ୍ଭ କରି ଘରେ ଥିବା ପତ୍ନୀଙ୍କ ସୁନା ବି ବିକ୍ରି କରିବାକୁ ପଡ଼ିଲା। ଦେହ ଖରାପ ହେବାରୁ ଆଉ କାମକୁ ବି ଗଲେନି। ତେଣୁ ଘର ଚଳିବା ବି ସମସ୍ୟା ହେଲା। ବାଧ୍ୟ ହୋଇ ସେ ହାତ ଉଧାରୀ କରି ଘର ଚଳାଇଲେ ଓ ନିଜର ଚିକିତ୍ସା କରାଇଲେ।

[caption id="attachment_238977" align="alignleft" width="1280"] ଏମିତି ଅସହାୟ ଅବସ୍ଥାରେ ଖଟରେ ପଡ଼ି ରହିଛନ୍ତି ସହଦେବ, ଟେକି ଟେକି ନେଲେ ହିଁ ନିତ୍ୟକର୍ମ କରୁଛନ୍ତି[/caption]

ହେଲେ ରୋଗ କମିବା ବଦଳରେ ବଢ଼ିବାରେ ଲାଗିଲା। ପରିସ୍ଥିତି ଏମିତି ହେଲା ଯେ, ସହଦେବଙ୍କ ଡାହାଣ ଗୋଡ଼ଟିକୁ କାଟିବାକୁ ପଡିଲା। ସେବେଠାରୁ ସହଦେବ ଅକର୍ମଣ୍ୟ ହୋଇ ଘରେ ପଡ଼ି ରହିଥିଲେ। କିନ୍ତୁ  ସେତିକିରେ ସରିନଥିଲା ତାଙ୍କ ଦୁଃଖ। ଅଜଣା ରୋଗଟି ଏବେ ସହଦେବଙ୍କ ବାମ ଗୋଡ଼କୁ ବି ଆକ୍ରାନ୍ତ କଲାଣି। ଡାକ୍ତର କହୁଛନ୍ତି ଏ ଗୋଡ଼ଟିକୁ ବି କାଟିବାକୁ ପଡ଼ିବ। ଏପରି ସ୍ଥିତିରେ ସହଦେବଙ୍କ ପରିବାର ଏକ ପ୍ରକାର ତଳିତଳାନ୍ତ ଅବସ୍ଥାରେ ପହଞ୍ଚି ଗଲେଣି।

ଆଉ କାମଦାମ କରିପାରୁ ନଥିବାରୁ ସହଦେବଙ୍କ ଘରେ ଏବେ ଖାଇବାକୁ ନାହିଁ।  ସାହି ପଡ଼ିଶା ଯାହା ଦେଉଛନ୍ତି ତାକୁ ଖାଇ ତାଙ୍କ ପରିବାର ଲୋକେ ବଞ୍ଚୁଛନ୍ତି। ତେଣୁ ଚିକିତ୍ସା କଥା ସହଦେବ ଏବେ ଏକପ୍ରକାର ଭୁଲି ଯାଇଛନ୍ତି ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ। ତେଣୁ ତାଙ୍କ ପାଇଁ ଏବେ ଏକମାତ୍ର ବାଟ ହେଲା, ସରକାରୀ ବା ବେସରକାରୀ ଭାବେ ସହଯୋଗ। କେହି ତାଙ୍କୁ କିଛି ଆର୍ଥିକ ସାହାଯ୍ୟ କଲେ କିମ୍ବା ଚିକିତ୍ସା ଖର୍ଚ୍ଚ ଦେଲେ ହୁଏତ ଏ ଗରିବ ପରିବାରଟି ଉପକୃତ ହୋଇପାରିବ। ଏହି ଖବର ବିଷୟରେ କାମାକ୍ଷାନଗର ଉପଜିଲ୍ଲାପାଳ ବିଷ୍ନୁପ୍ରସାଦ ଆଚାର୍ଯ୍ୟଙ୍କୁ ପଚାରିବାରୁ ସେ କହିଛନ୍ତି- ମେଡିକାଲ ଅଫିସରଙ୍କ ଦ୍ୱାରା ଚିକିତ୍ସା କରିବା ସହ ଆର୍ଥିକ ସାହାଯ୍ୟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫି ପାଣ୍ଠିକୁ ସୁପାରିଶ କରାଯିବ।

[caption id="attachment_238982" align="aligncenter" width="1280"] ସହଦେବଙ୍କ ଭଙ୍ଗା ଘର, ଅର୍ଥାଭାବରୁ ଛପର ବି କରିପାରୁ ନାହାଁନ୍ତି[/caption]

ଏଭଳି ସମୟରେ ସହଦେବଙ୍କୁ ଯଦି କେହି ସହୃଦୟ ବ୍ୟକ୍ତି ବା ସଂସ୍ଥା ସାହାଯ୍ୟ କରିବାକୁ ଚାହୁଁଛନ୍ତି, ତେବେ ତାଙ୍କ ମୋବାଇଲ୍ ଫୋନ୍ ନମ୍ବରରେ ତାଙ୍କ ସହ ସିଧାସଳଖ ଯୋଗାଯୋଗ କରିପାରିବେ। ତାଙ୍କ ଫୋନ୍ ନମ୍ବର ହେଲା- 9556273322

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos