ସଚିବଙ୍କ ଆଗରେ ପାୱାରଲେସ୍‌ ମନ୍ତ୍ରୀ? କାହା ନିର୍ଦ୍ଦେଶରେ ଛୁଟି ହେଲା ସ୍କୁଲ?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନବୀନ ପଟ୍ଟନାୟକଙ୍କ ସରକାରରେ ଅମଲାଙ୍କ ପାୱାର ଅଧିକ। ଏଠି ସଚିବ ହେଉଛନ୍ତି ସର୍ବେସର୍ବା। ନିଷ୍ପତ୍ତି ନେବାରେ ମନ୍ତ୍ରୀମାନଙ୍କର କୌଣସି ଭୂମିକା ନଥାଏ ବୋଲି ସବୁଠି ଚର୍ଚ୍ଚା ଆଲୋଚନା। ବିରୋଧୀ ଦଳ ମଧ୍ୟ ଏପରି ଅଭିଯୋଗ ଅନେକ ସମୟରେ କରିଛନ୍ତି। ଏପରିକି ଶାସକ ଦଳର ନେତାମାନେ ମଧ୍ୟ ଏହାକୁ ସ୍ୱୀକାର କରିଛନ୍ତି। ଯାହା ଆଜି ଆଉଏକ ପ୍ରମାଣ ମିଳିଛି। ରାଜ୍ୟରେ ବୁଧବାର (ଏପ୍ରିଲ ୨୫ ତାରିଖ)ଠାରୁ ଗ୍ରୀଷ୍ମ ଅବକାଶ ଆରମ୍ଭ ହେଉଛି। ଆଜି ଗଣମାଧ୍ୟମ […]

badri

badri

Rakesh Mallick
  • Published: Tuesday, 24 April 2018
  • Updated: 24 April 2018, 09:39 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନବୀନ ପଟ୍ଟନାୟକଙ୍କ ସରକାରରେ ଅମଲାଙ୍କ ପାୱାର ଅଧିକ। ଏଠି ସଚିବ ହେଉଛନ୍ତି ସର୍ବେସର୍ବା। ନିଷ୍ପତ୍ତି ନେବାରେ ମନ୍ତ୍ରୀମାନଙ୍କର କୌଣସି ଭୂମିକା ନଥାଏ ବୋଲି ସବୁଠି ଚର୍ଚ୍ଚା ଆଲୋଚନା। ବିରୋଧୀ ଦଳ ମଧ୍ୟ ଏପରି ଅଭିଯୋଗ ଅନେକ ସମୟରେ କରିଛନ୍ତି। ଏପରିକି ଶାସକ ଦଳର ନେତାମାନେ ମଧ୍ୟ ଏହାକୁ ସ୍ୱୀକାର କରିଛନ୍ତି। ଯାହା ଆଜି ଆଉଏକ ପ୍ରମାଣ ମିଳିଛି।

ରାଜ୍ୟରେ ବୁଧବାର (ଏପ୍ରିଲ ୨୫ ତାରିଖ)ଠାରୁ ଗ୍ରୀଷ୍ମ ଅବକାଶ ଆରମ୍ଭ ହେଉଛି। ଆଜି ଗଣମାଧ୍ୟମ ପ୍ରତିନିଧିମାନେ ଏହି ଖବରଟି ସଚିବାଳୟରୁ ସ୍ତରରୁ ପାଇଲା ପରେ ସବୁ ଟିଭି ଚ୍ୟାନେଲରେ ବ୍ରେକିଂ ଚାଲିଥିଲା। କିଛି ଡିଜିଟାଲ୍ ମିଡିଆରେ ବି ଖବର ପ୍ରକାଶ ପାଇଲା। ମାତ୍ର କିଛି ସମୟ ପରେ ଦେଖିବାକୁ ମିଳିଲା, ସବୁ ଟିଭିରେ ଚାଲିଥିବା ବ୍ରେକିଂ ନ୍ୟୁଜ ଧୀରେ ଧୀରେ ବନ୍ଦ ହୋଇଗଲା। ଜଣା ପଡ଼ିଥିଲା ଯେ, ଖବରଟିର ସତ୍ୟତା ନାହିଁ। ତେଣୁ ସବୁ ଗଣମାଧ୍ୟମ ଏକପ୍ରକାର ଭାଣ୍ଡିଆ ହେଲେ। କିଛି ସମୟ ପରେ କ୍ୟାମେରା ସାମ୍ନାକୁ ଆସିଲେ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର। ଘୋଷଣା କଲେ ଯେ, ଖରାଛୁଟି ସଂପର୍କରେ ସରକାର କୌଣସି ନିଷ୍ପତ୍ତି ନେଇନାହାଁନ୍ତି। ଖରା ବଢ଼ିଲେ ଛୁଟି ହେବ। ଏପ୍ରିଲ ଭିତରେ ଛୁଟି ହୋଇପାରେ।

ସାମ୍ବାଦିକମାନେ ଖବରଟିକୁ ସଚିବ ସ୍ତରରୁ ପାଇଥିଲେ। ରାଜ୍ୟ ସଚିବାଳୟରୁ ହିଁ ଏ ସଂପର୍କିତ ବିଜ୍ଞପ୍ତି ପ୍ରକାଶ ପାଇବାକୁ ଯାଉଥିବା ଶତପ୍ରତିଶତ ନିଶ୍ଚିତ ହେବାପରେ ଖବରଟି ପ୍ରସାରଣ କରାଯାଇଥିଲା। କିନ୍ତୁ ହଠାତ୍ ମନ୍ତ୍ରୀ ଏମିତି ମନା କରିଦେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଲାଗିଲା। ଖୋଳତାଡ଼ କରିବାରୁ ଜଣାପଡ଼ିଲା ଯେ, ଛୁଟି ନିଷ୍ପତ୍ତି ସଚିବ ସ୍ତରରେ ହିଁ ହୋଇଯାଇଛି। ମନ୍ତ୍ରୀଙ୍କୁ ଏ ସଂପର୍କରେ ପଚାରିବାର ଆବଶ୍ୟକତା ନାହିଁ ବୋଲି ବୋଧେ ସଚିବ ସ୍ତରରେ ଅନୁଭବ କରିଥିଲେ। ତେଣୁ ଛୁଟି ସଂପର୍କରେ ମନ୍ତ୍ରୀ ହୁଏତ ଜାଣିନଥିବେ, କିମ୍ବା ଜାଣିଲା ପରେ ତାଙ୍କ ମରମକୁ ବାଧିଥିବ। ତେଣୁ ସେ କ୍ୟାମେରା ଆଗରେ ଘୋଷଣା କରିଦେଲେ, ଛୁଟି ହୋଇନି। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଲା, ଛୁଟି ହେବନି ବୋଲି ମନ୍ତ୍ରୀ ଘୋଷଣା କରିବାର ମାତ୍ର ଅଧଘଣ୍ଟା ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ନୋଟିସ୍ ଆସିଲା ଯେ, କାଲିଠୁ ଆରମ୍ଭ ହେଉଛି ଖରାଛୁଟି।

କଥାଟା ସ୍ପଷ୍ଟ ହୋଇଗଲା ଯେ ମନ୍ତ୍ରୀ ଓ ସଚିବଙ୍କ ମଧ୍ୟରେ ଗ୍ୟାପ୍ ରହିଯାଇଛି। ୟା ପରେ କିନ୍ତୁ ଛୁଟି ଘୋଷଣା କରିବାକୁ ମନ୍ତ୍ରୀ ଆଉ କ୍ୟାମେରା ଆଗକୁ ଆସିଲେ ନାହିଁ। ଏଠି ପ୍ରଶ୍ନ ଉଠୁଛି, ପ୍ରକୃତରେ ଖରାଛୁଟି କାଲିଠୁ ହେବ ବୋଲି ନିଷ୍ପତ୍ତି ନେଇଥିଲା କିଏ? ମନ୍ତ୍ରୀ ନା ସଚିବ? ଯଦି ସଚିବ ନିଷ୍ପତ୍ତି ନେଇଥିଲେ, ତେବେ ସେ କ’ଣ ମନ୍ତ୍ରୀଙ୍କୁ ଏ ସଂପର୍କରେ ଜଣାଇ ନଥିଲେ କି? ସବୁବେଳେ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟରୁ ଘୋଷଣା ହେଉଥିବା ଖରାଛୁଟି, ଏଥର ମୁଖ୍ୟମନ୍ତ୍ରୀଙ୍କ ଅଫିସ୍‌ରୁ ହେଲା କାହିଁକି? ଅଧଘଣ୍ଟାଏ ଭିତରେ କେମିତି ବଦଳିଗଲା ବୟାନ? ଏଥିରୁ ସ୍ପଷ୍ଟ ବାରି ହେଉଛି ସଚିବଙ୍କ ଆଗରେ କେତେ ଅସହାୟ ମନ୍ତ୍ରୀ?

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos