ଭଦ୍ରକ ପରେ ନୟାଗଡ଼: ବିଜେପିରେ କଳିମଞ୍ଜି ପୋତିଛି କିଏ?

ଓଡ଼ିଶାରେ କଂଗ୍ରେସକୁ ପଛକୁ ଠେଲି ମୁଖ୍ୟ ବିରୋଧୀ ଦଳ ହୋଇପାରିଛି ବୋଲି ଦାବି କରୁଥିବା ବିଜେପିରେ ଏବେ ଅନ୍ତର୍ଦ୍ୱନ୍ଦ୍ୱ ବଢ଼ିବାରେ ଲାଗିଛି। କିଛି କିଛି ସ୍ଥାନରେ ଦଳର ଦୁଇଗୋଷ୍ଠୀ ଖୋଲାଖୋଲି ଭାବରେ ହାତାହାତି ହେଉଥିବା ଦେଖିବାକୁ ମିଳୁଛି। ପ୍ରଶ୍ନ ଉଠୁଛି, ବିଜେପିରେ ଏ କଳିମଞ୍ଜି ପୋତିଛି କିଏ? ଭୁବନେଶ୍ୱର (ଦେବଦତ୍ତ ରଥ): ନୟାଗଡ଼ ବିଜେପିର ଦୁଇଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳର ଦୃଶ୍ୟ ଏବେ ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି। ଗଣ୍ଡଗୋଳରେ ଦୁଇ ଗୋଷ୍ଠୀର କିଛିକିଛି ଆହତ ହୋଇଛନ୍ତି। […]

bjp

bjp

Rakesh Mallick
  • Published: Monday, 25 June 2018
  • Updated: 25 June 2018, 10:39 PM IST

Sports

Latest News

ଓଡ଼ିଶାରେ କଂଗ୍ରେସକୁ ପଛକୁ ଠେଲି ମୁଖ୍ୟ ବିରୋଧୀ ଦଳ ହୋଇପାରିଛି ବୋଲି ଦାବି କରୁଥିବା ବିଜେପିରେ ଏବେ ଅନ୍ତର୍ଦ୍ୱନ୍ଦ୍ୱ ବଢ଼ିବାରେ ଲାଗିଛି। କିଛି କିଛି ସ୍ଥାନରେ ଦଳର ଦୁଇଗୋଷ୍ଠୀ ଖୋଲାଖୋଲି ଭାବରେ ହାତାହାତି ହେଉଥିବା ଦେଖିବାକୁ ମିଳୁଛି। ପ୍ରଶ୍ନ ଉଠୁଛି, ବିଜେପିରେ ଏ କଳିମଞ୍ଜି ପୋତିଛି କିଏ?

ଭୁବନେଶ୍ୱର (ଦେବଦତ୍ତ ରଥ): ନୟାଗଡ଼ ବିଜେପିର ଦୁଇଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳର ଦୃଶ୍ୟ ଏବେ ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି। ଗଣ୍ଡଗୋଳରେ ଦୁଇ ଗୋଷ୍ଠୀର କିଛିକିଛି ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ନୟାଗଡ଼ ବିଜେପିର ‘ଇରାନୀ ରାୟ’ ଏବଂ ‘ପ୍ରଦୀପ୍ତ ଜେନା’ଙ୍କ ସମର୍ଥକଙ୍କ ମଧ୍ୟରେ ଏହି ଗଣ୍ଡଗୋଳ ଘଟିଛି। ଇରାନୀ ହେଉଛନ୍ତି ଲାଲା ମନୋଜ ରାୟଙ୍କ ପତ୍ନୀ, ଯିଏକି ପ୍ରଥମେ କଂଗ୍ରେସରେ ଥିଲେ। ପରେ ବିଜେପିକୁ ଆସିଛନ୍ତି। ତାଙ୍କ ପତ୍ନୀ ଇରାନୀ ରାୟ ଏବେ ବିଜେପିରେ ଖୁବ୍ ସକ୍ରିୟ। କିନ୍ତୁ ଗତଥର ବିଜେପି ପ୍ରାର୍ଥୀ ଥିଲେ ପ୍ରଦୀପ୍ତ ଜେନା। ତେଣୁ  ଭିତରେ ଭିତରେ ଉଭୟ ନୟାଗଡ଼ ବିଧାନସଭା ଆସନ ପାଇଁ ଟିକେଟ ଆଶାୟୀ। ବିଜେପି ପକ୍ଷରୁ ଆୟୋଜିତ ଏକ ବୁଦ୍ଧିଜୀବୀ ସମ୍ମିଳନୀରେ ଇରାନୀ ରାୟଙ୍କ ଫଟୋ ମରାଯିବାକୁ ନେଇ ଏ ଗଣ୍ଡଗୋଳ ହୋଇଥିବା କୁହାଯାଉଛି। ପ୍ରଦୀପ୍ତଙ୍କ ଗୋଷ୍ଠୀ ପକ୍ଷର କହିବା ଅନୁଯାୟୀ, ଆଗାମୀ ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା ନହେବା ଯାଏଁ ଗତଥରର ପ୍ରାର୍ଥୀଙ୍କୁ ହିଁ ଏଠାରେ ବିଧାୟକ ପ୍ରାର୍ଥୀ ବୋଲି ବିବେଚନା କରାଯିବା କଥା। ଏହି ଯୁକ୍ତି ଅନୁଯାୟୀ କାର୍ଯ୍ୟକ୍ରମରେ ତାଙ୍କ ଫଟୋ ହିଁ ରହିବା କଥା।

ଭଦ୍ରକରେ ବି ଘଟିଥିଲା ସମାନ ଘଟଣା: କିଛିଦିନ ତଳେ ଠିକ୍ ଏହିପରି ଏକ ଗଣ୍ଡଗୋଳ ଘଟିଥିଲା ଭଦ୍ରକ ବିଜେପିରେ। ସେଠାକାର ଦୁଇ ବିଜେପି ନେତା ପ୍ରଦୀପ ନାୟକତୁଷାର ଜେନାଙ୍କ ସମର୍ଥକଙ୍କ ଭିତରେ ଗଣ୍ଡଗୋଳ ହୋଇଥିଲା। ତୁଷାର ପୁରୁଣା ବିଜେପି ନେତା ହୋଇଥିବା ବେଳେ ପ୍ରଦୀପ କଂଗ୍ରେସରୁ ଆସି ଗତଥର ବିଜେପିରୁ ପ୍ରାର୍ଥୀ ହୋଇଥିଲେ। ତୁଷାର ଏକପ୍ରକାର ନିଷ୍କ୍ରିୟ ଥିଲେ। ତେବେ ହଠାତ ସେ ଏବେ ସକ୍ରିୟ ହୋଇ ଉଠିଛନ୍ତି। ତୁଷାର ଆୟୋଜନ କରିଥିବା ଏକ କାର୍ଯ୍ୟକ୍ରମକୁ ପ୍ରଦୀପଙ୍କୁ ଡକାଯାଇ ନଥିଲା। କିନ୍ତୁ ପ୍ରଦୀପ ନିଜ ସମର୍ଥକଙ୍କୁ ଧରି କାର୍ଯ୍ୟକ୍ରମ ସ୍ଥଳକୁ ଜୋର ଜବରଦସ୍ତ ଯାଇଥିଲେ। ତୁଷାରଙ୍କ ସମର୍ଥକ ସେମାନଙ୍କୁ ଅଟକାଇଥିଲେ। ଫଳରେ ଗଣ୍ଡଗୋଳ ଉପୁଜିଥିଲା। ତୁଷାରଙ୍କ ଗୋଷ୍ଠୀର କହିବା କଥା, ଏହା ତାଙ୍କର ବ୍ୟକ୍ତିଗତ କାର୍ଯ୍ୟକ୍ରମ ଥିଲା। କାହାକୁ ଡାକିବେ ନ ଡାକିବେ ତାଙ୍କ ଇଚ୍ଛା। କିନ୍ତୁ ପ୍ରଦୀପଙ୍କ ଗୋଷ୍ଠୀର କହିବାର ଥିଲା ଯେ, ଯଦି ବ୍ୟକ୍ତିଗତ କାର୍ଯ୍ୟକ୍ରମ ତେବେ ମୋଦି ଓ ଶାହାଙ୍କ ଫଟୋ ଏବଂ ବିଜେପି ଚିହ୍ନ କାହିଁକି ବ୍ୟବହାର କରାଯାଇଥିଲା?

ଦୁଇଟି ଯାକ ସ୍ଥାନର ଗଣ୍ଡଗୋଳ ସମାନ ଧରଣର ଥିଲା। ନୂଆ/ପୂରୁଣା, ମୂଳ ବିଜେପି ନେତା/ପରେ ମିଶିଥିବା ବିଜେପି ନେତାଙ୍କୁ ନେଇ ଏ ଗଣ୍ଡଗୋଳ। କିଏ ବିଧାୟକ ପ୍ରାର୍ଥୀ, ଏହାକୁ ନେଇ ବିବାଦ। ତେବେ ଏ ବିବାଦକୁ ଆଗାମୀ ଦିନରେ ରାଜ୍ୟ ନେତୃତ୍ୱ କେତେଦୂର ସମ୍ଭାଳି ପାରୁଛନ୍ତି ତାହା ମୁଖ୍ୟ କଥା। କାରଣ ଏ କଳିର ମଞ୍ଜି ରାଜ୍ୟ ବିଜେପି ନେତା ହିଁ ବୁଣିଛନ୍ତି। ଭଦ୍ରକ ହେଉ ଅବା ନୟାଗଡ଼, ଏ ଗଣ୍ଡଗୋଳ ଏମିତି ହଠାତ ଘଟିନି। ଭିତରେ ଭିତରେ ବିବାଦ କୁହୁଳି ଶେଷରେ ଗଣ୍ଡଗୋଳର ରୂପ ନେଇଛି। ରାଜ୍ୟ ବିଜେପି ନେତୃତ୍ୱ ମଧ୍ୟ ପୂର୍ବରୁ ଏନେଇ ଅବଗତ ଅଛନ୍ତି।

ନୟାଗଡ଼ରେ ଆଗରୁ ଅଛି ଅସନ୍ତୋଷ: ଏବେ ପୁଣି ଫେରିବା ନୟାଗଡ଼ ଘଟଣାକୁ। ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଆୟୋଜିତ ‘ମହିଳା ସୁରକ୍ଷା ଯାତ୍ରା’ ସମୟରେ ରୁଟ୍-୩ର ନେତ୍ରୀ ସୁରମା ପାଢ଼ୀଙ୍କ ଜାଣତରେ ଏବଂ ଗୋଷ୍ଠୀ ବିବାଦର ପ୍ରଭାବରେ ଇରାନୀ ରାୟ ସୁରକ୍ଷା ଯାତ୍ରା ଅଧାରୁ ଛାଡ଼ି ଚାଲି ଯାଇଥିଲେ। ଅଭିଯୋଗ ଉଠିଥିଲା ଯେ, ଇରାନୀଙ୍କୁ ଯାତ୍ରା ସମୟରେ କହିବାକୁ ସୁଯୋଗ ଦିଆନଯିବା ଉଦ୍ଦେଶ୍ୟମୂଳକ ଥିଲା। ଏପରି ଅସନ୍ତୋଷ କେବଳ ନୟାଗଡ଼ରେ ନୁହେଁ, ଅନେକ ସ୍ଥାନରେ ରହିଛି। କିନ୍ତୁ ଦଳୀୟ ଶୃଙ୍ଖଳା ନାମରେ ଏହାକୁ ଚାପି ଦିଆଯାଉଛି ବୋଲି କୁହାଯାଉଛି। କିନ୍ତୁ କିଛି କିଛି ସ୍ଥାନରେ ଅବସ୍ଥା ଅସମ୍ଭାଳ ହେଲେ କଥା ପଦାକୁ ଆସୁଛି। ଯେପରି ଘଟିଥିଲା ମୟୂରଭଞ୍ଜରେ। ସୁରକ୍ଷା ଯାତ୍ରା ସମୟରେ ଛବି ମାହାଲି ସେହିପରି ଅବହେଳାର ଶିକାର ହେବା କଥା ଉଠାଇଥିଲେ। ଛବି ସଭାସ୍ଥଳରେ ହିଁ ଏହାକୁ ନେଇ ପାଟିତୁଣ୍ଡ କରିଥିଲେ। ସେ ମଧ୍ୟ ନବାଗତା ବିଜେପି ନେତ୍ରୀ। ଧର୍ମେନ୍ଦ୍ର ପ୍ରଧାନ ତାଙ୍କୁ ଦଳକୁ ଆଣିଥିଲେ ଏବଂ ଧର୍ମେନ୍ଦ୍ର ତାଙ୍କ ଅଭିଯୋଗ ନଶୁଣିଲେ ସେ ଅନେକ କଥା ଖୋଲିଦେବେ ବୋଲି କହିଥିଲେ। ରାଜ୍ୟ ନେତୃତ୍ୱଙ୍କୁ ମଧ୍ୟ ଚିଠି ଲେଖିଥିଲେ।

ଭଦ୍ରକ ଘଟଣା ପଛର ଗୁମର: ଭଦ୍ରକ ଘଟଣା ବି ସେହିପରି ମନମୋହନ ସାମଲ, ବିଷ୍ଣୁ ସେଠୀ, ବଦ୍ରି ନାରାୟଣ ଧଳଙ୍କ ଭଳି କିଛି ନେତାଙ୍କୁ ନେଇ କେନ୍ଦ୍ରୀଭୂତ। ବଦ୍ରି କଂଗ୍ରେସରୁ ଆସି ବିଜେପିରୁ ଗତଥର ପ୍ରାର୍ଥୀ ହୋଇଥିଲେ। ଏବେ ସେ ଜିଲ୍ଲା ସଭାପତି। ତେବେ ତାଙ୍କୁ ଏବେ ନୂଆ ନେତା କୁହାଯିବ ନା ପୁରୁଣା? ଏମାନଙ୍କ ଭିତରୁ କିଏ ଭଦ୍ରକ ପାଇଁ ତ କିଏ ଭଣ୍ଡାରପୋଖରୀ ପାଇଁ, ପୁଣି କିଏ ଧାମନଗର ପାଇଁ ତ କିଏ ଚାନ୍ଦବାଲି ଓ ବାସୁଦେବପୁର ପାଇଁ ଟିକଟ ପାଇବାକୁ ଆଶାୟୀ। ଯିଏ ଯାହା ଯୋଜନା ଅନୁଯାୟୀ ରଣନୀତି ପ୍ରସ୍ତୁତ କରୁଛନ୍ତି। ଏମାନଙ୍କ ବ୍ୟତୀତ ଆଉକିଛି ନୂଆ ଚେହେରା ମଧ୍ୟ ଦେଖିବାକୁ ମିଳୁଛି। ଏ ଭିତରେ ଏବେ ହଠାତ ପଶି ଆସିଛନ୍ତି ପୂର୍ବତନ ରାଜ୍ୟ ସଙ୍ଗଠନ ସମ୍ପାଦକ ପଞ୍ଚାନନ ରାଉତ। ରାଜ୍ୟ ବାହାର ସଙ୍ଗଠନ ଦାୟିତ୍ୱରେ ରହିବା ପରେ ସେ ଏବେ ନିଜ ଯୋଜନା ଆଶାରେ। ତେଣୁ ସେଠାରେ ଘଟୁଥିବା ସବୁ ଘଟଣାରେ ଏହିମାନେ ହିଁ ରହିଛନ୍ତି ବୋଲି ଚର୍ଚ୍ଚା ହେଉଛି।

କଳି ମଞ୍ଜି ପୋତିଛି କିଏ?: ତେବେ ଏସବୁ ବିବାଦର ମୂଳ କାରଣ ହେଲା, ଆଗାମୀ ଦିନରେ କିଏ ହେବେ ବିଧାୟକ ପ୍ରାର୍ଥୀ? ଏବେଠୁ ଯିଏ ଯାହା ଅଞ୍ଚଳରେ ଲାଳାୟିତ। ସମସ୍ତେ ନିଜ ନିଜ ପରିସର ଭିତରେ ଛୋଟବଡ଼ କାର୍ଯ୍ୟକ୍ରମର ଆୟୋଜନ କରି ନିଜକୁ ନେତା ଆସନରେ ଦେଖିବାକୁ ଚାହୁଁଛନ୍ତି। ତେଣୁ ବିବାଦ ଉପୁଜୁଛି। ରାଜ୍ୟରେ ଅନେକ ସ୍ଥାନରେ ସମାନ ସ୍ଥିତି। ଏଥିପାଇଁ ରାଜ୍ୟ ବିଜେପି ନେତୃତ୍ୱ ହିଁ ଦାୟୀ। କାରଣ ସବୁ ସ୍ଥାନରେ କିଏ ନେତୃତ୍ୱ ନେବେ ତାହା ସ୍ପଷ୍ଟ କରାଯାଇ ନାହିଁ। ରାଜ୍ୟ ସଭାପତି ବସନ୍ତ ପଣ୍ଡା ମଧ୍ୟ ନିଜେ ଅଧିକାଂଶ ନିଷ୍ପତ୍ତି ନେଇପାରୁ ନାହାଁନ୍ତି। ତାଙ୍କ ଅପେକ୍ଷା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ପ୍ରଭାବ ଅଧିକ। ବସନ୍ତ ପଣ୍ଡା ନୁହେଁ, ଧର୍ମେନ୍ଦ୍ରଙ୍କ ନେତୃତ୍ୱରେ ହିଁ ସମସ୍ତେ କାମ କରୁଛନ୍ତି ବୋଲି ରାଜ୍ୟ ବିଜେପିର ଅନେକ ନେତା କହି ବୁଲୁଛନ୍ତି।

ଆସନ୍ତା ଜୁଲାଇ ପହିଲାରେ ବିଜେପିର ରାଷ୍ଟ୍ରୀୟ ସଭାପତି ଅମିତ ଶାହା ଓଡ଼ିଶା ଆସୁଛନ୍ତି। ତାହା ପୁଣି କୌଣସି ସମାବେଶ ପାଇଁ ନୁହେଁ। ସାଙ୍ଗଠନିକ କାମ ପାଇଁ। ତେଣୁ ତାଙ୍କୁ ଯଦି ଏ ସବୁ ଘଟଣାର ଆଭାସ ମିଳେ, କିମ୍ବା ତାଙ୍କ ଆଗରେ ଯଦି କିଛି ଅପ୍ରୀତିକର ସ୍ଥିତି ଉପୁଜେ ତେବେ କ'ଣ ହେବ ତାହା ଅନୁମାନ କରନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos