ମେ’ ୨୩ରୁ ଲାଗୁ ହେବ କୋଣାର୍କ ମନ୍ଦିରର ବର୍ଦ୍ଧିତ ପ୍ରବେଶ ଶୁଳ୍କ

konark-issue

konark-issueପୁରୀ: ଐହିତାସିକ କୋଣାର୍କ ମନ୍ଦିରର ବର୍ଦ୍ଧିତ ପ୍ରବେଶ ଶୁଳ୍କରେ କୌଣସି ପରିବର୍ତ୍ତନ କରାଯିବ ନାହିଁ। ଆସନ୍ତା ୨୩ ତାରିଖଠାରୁ ବର୍ଦ୍ଧିତ ପ୍ରବେଶ ଶୁଳ୍କ ଲାଗୁ କରାଯିବ। ପୁରୀ ପ୍ରଶାସନ ଓ କୋଣାର୍କ ସୁରକ୍ଷା ସମିତିର ସଦସ୍ୟମାନଙ୍କ ମଧ୍ୟରେ ଆଜି ହୋଇଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଫଳରେ ମେ’ ୨୩ ତାରିଖଠାରୁ କୋଣାର୍କ ମନ୍ଦିର ବୁଲି ଦେଖିବା ପାଇଁ ଭାରତୀୟ ପର୍ଯ୍ୟଟକମାନଙ୍କୁ ୩୦ ଟଙ୍କା ଓ ବିଦେଶୀ ପର୍ଯ୍ୟଟକଙ୍କୁ ୫୦୦ ଟଙ୍କା ଦେବାକୁ ପଡ଼ିବ। ପୂର୍ବରୁ ଭାରତୀୟ ପର୍ଯ୍ୟଟକଙ୍କ ପାଇଁ ପ୍ରବେଶ ଶୁଳ୍କ ୧୦ ଟଙ୍କା ଥିବା ବେଳେ ବିଦେଶୀମାନଙ୍କ ପାଇଁ ୨୫୦ ଟଙ୍କା ଥିଲା। ତେବେ ସ୍ଥାନୀୟ ଲୋକେ ଶନିବାର ନିଃଶୁଳ୍କ କୋଣାର୍କ ମନ୍ଦିର ପରିସରକୁ ପ୍ରବେଶ କରି ପାରିବେ ବୋଲି ଆଜି ପ୍ରଶାସନ ପକ୍ଷରୁ କୁହାଯାଇଛି।

ପୁରୀ ଅତିରିକ୍ତ ଜିଲ୍ଲାପାଳ ଉଦ୍ଧବ ମାଝୀ କହିଛନ୍ତି,“ଆଜି କୋଣାର୍କ ସୁରକ୍ଷା ସମିତିର ସଦସ୍ୟମାନଙ୍କ ସହିତ ଆଲୋଚନା ହୋଇଥିଲା। ଆସନ୍ତା ୨୩ ତାରିଖରୁ କୋଣାର୍କର ବର୍ଦ୍ଧିତ ପ୍ରବେଶ ଶୁଳ୍କ ଲାଗୁ କରାଯିବ। କୋଣାର୍କ ଆଖାପାଖ ଅଞ୍ଚଳର ଉନ୍ନତି କରିବା ପାଇଁ ସେମାନେ ଦାବି କରିଥିଲେ। ସେମାନଙ୍କ ଦାବି ସଂପର୍କରେ କେନ୍ଦ୍ର ସରକାରଙ୍କୁ ଅବଗତ କରାଯାଇଛି। ସେଠାରୁ ଜବାବ ଆସିଲେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ।”

ସେ କହିଛନ୍ତି,“ପ୍ରତି ଶନିବାର ସ୍ଥାନୀୟ ଲୋକଙ୍କୁ କୋଣାର୍କ ମନ୍ଦିର ମଧ୍ୟକୁ ନିଃଶୁଳ୍କ ଛାଡ଼ିବା ପାଇଁ ସମିତି ପକ୍ଷରୁ ଦାବି କରାଯାଇଥିଲା। ଏ ଦାବି ସଂପର୍କରେ ଆମେ ଏଏସ୍‌ଆଇ କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରିଥିଲୁ। ସେମାନେ ଏଥିରେ ସହମତି ପ୍ରକାଶ କରିଛନ୍ତି।”

କୋଣାର୍କ ସୁରକ୍ଷା ସମିତି ସଭାପତି ବାଦଲ କୁମାର ଦାଶ କହିଛନ୍ତି,“ସ୍ଥାନୀୟ ଲୋକଙ୍କୁ ପ୍ରତି ଶନିବାର କୋଣାର୍କ ମନ୍ଦିର ମଧ୍ୟ ନିଃଶୁଳ୍କ ପ୍ରବେଶ କରିବାକୁ ଅନୁମତି ଦେବାକୁ ଆମେ ଯେଉଁ ଦାବି କରିଥିଲୁ ତାହା ପ୍ରଶାସନ ମାନି ନେଇଛି। ଏନେଇ ସେମାନେ ଲିଖିତ ପ୍ରତିଶ୍ରୁତି ଦେଇ ନ ଥିଲେ ବି ମୌଖିକ ପ୍ରତିଶ୍ରୁତି ଦେଇଛନ୍ତି। ପାରିପାର୍ଶ୍ୱିକ ଉନ୍ନତି ସହିତ ମନ୍ଦିରର ଉଚିତ୍ ସଂରକ୍ଷଣ ନେଇ ସେମାନେ ଯତ୍ନବାନ ଅଛନ୍ତି ଓ ଏଦିଗରେ ଧୀରେ ଧୀରେ କାର୍ଯ୍ୟ କରାଯିବ ବୋଲି ଆମକୁ ପ୍ରତିଶ୍ରୁତି ଦିଆଯାଇଛି। ତେଣୁ ମେ’ ୨୩ରୁ ବର୍ଦ୍ଧିତ ପ୍ରବେଶ ଶୁଳ୍କ ଲାଗୁ କରିବା ପାଇଁ ଆମେ ସହମତି ପ୍ରକାଶ କଲୁ। ଆମର ଦାବି ହେଉଛି ଯେଉଁ ଅନୁସାରେ ପର୍ଯ୍ୟଟକଙ୍କଠାରୁ ପ୍ରବେଶ ଶୁଳ୍କ ଆଦାୟ କରାଯାଉଛି ସେହି ଅନୁସାରେ ସେମାନଙ୍କୁ ସୁବିଧା ଯୋଗାଇ ଦିଆଯାଉ।”

ପ୍ରତ୍ନତତ୍ତ୍ୱ ବିଭାଗ ଆକାଉଣ୍ଟ୍ସ ଅଫିସର ବିଜୟ କୁମାର ଦାସ କହିଛନ୍ତି ଯେ ପର୍ଯ୍ୟଟକଙ୍କୁ ମୌଳିକ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ଯାହା ଆବଶ୍ୟକ ସବୁ ତାଙ୍କ ବିଭାଗ କରିବ।

ଆଇନଶୃଙ୍ଖଳା ପରିସ୍ଥିତି ଯୋଗୁଁ ଜିଲ୍ଲପାଳ ଦେଢ଼ ମାସ ହେଲାଣି କୋଣାର୍କର ବର୍ଦ୍ଧିତ ପ୍ରବେଶ ଶୁଳ୍କକୁ ଅଟକାଇ ରଖିଥିଲେ।

ଆଜି ବୈଠକରେ ପୁରୀ ଅତିରିକ୍ତ ଜିଲ୍ଲପାଳ ଉଦ୍ଧବ ମାଝି, ଉପଜିଲ୍ଲାପାଳ ମଧୁସୂଦନ ଦାସ, ପ୍ରତ୍ନତତ୍ତ୍ୱ ବିଭାଗର କର୍ତ୍ତୃପକ୍ଷ ଏବଂ କୋଣାର୍କ ସୁରକ୍ଷା ସମିତିର ସଭାପତି ବାଦଲ ଦାଶ, ସମ୍ପାଦକ ରାମକୃଷ୍ଣ ମହାନ୍ତି ଓ ଅନେକ ସଦସ୍ୟ ଉପସ୍ଥିତ ଥିଲେ।

Previous ArticleNext Article

Send this to a friend