କାମ ବନ୍ଦ କରି ଆନ୍ଦୋଳନରେ ବସିଲେ ଠିକା ଉପକରଣ କର୍ମଚାରୀ ଓ ଶ୍ରମିକ

ପାରାଦୀପ (ଏନ୍.ଏମ୍.ବୈଶାଖ): ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳରେ ଷ୍ଟିଭେଡୋର୍ସ ମାନଙ୍କ ଅଧୀନରେ ନିୟୋଜିତ ‘ଠିକା ଉପକରଣ କର୍ମଚାରୀ ଓ ଶ୍ରମିକ’ମାନେ ଆଜି ମିଳିତ ବାବରେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିଲେ। ଷ୍ଟିଭେଡୋର୍ସ କମ୍ପାନୀମାନେ ସେମାନଙ୍କ କାର୍ଯ୍ୟ କରିବା ସମୟରେ ମନମୁଖୀ ଭାବେ ଏହି କର୍ମଚାରୀ ମାନଙ୍କୁ ନିୟୋଜିତ କରୁଥିବା ଅଭିଯୋଗ ହୋଇଛି। ଯେଉଁଥିପାଇଁ ନା ସଠିକ କାର୍ଯ୍ୟର ସଠିକ୍ ପ୍ରାପ୍ୟ ମିଳୁଛି ନା ମାସକୁ ନିର୍ଦ୍ଧାରିତ ଦରମା ଠିକ୍ ସମୟରେ ମିଳୁଛି।

ନିକଟରେ ଷ୍ଟିଭେଡୋର୍ସ କର୍ମଚାରୀମାନେ ଏହିପରି କାର୍ଯ୍ୟ ବନ୍ଦ ଆନ୍ଦୋଳନ କରି ସେମାନଙ୍କ ଦାବି ହାସଲ କରି ନେଇଥିଲେ। କେବଳ ଏହି ‘ଠିକା ଉପକରଣ କର୍ମଚାରୀ ଓ ଶ୍ରମିକ’ମାନେ ବାଦ୍ ପଡ଼ିଥିଲେ। ତାଛଡା କୈାଣସି ଦୋଷ ନଥାଇ ବେଆଇନ ଭାବେ ଶ୍ରମିକ ଓ କର୍ମଚାରୀ ମାନଙ୍କୁ ଛଟେଇ କରିବା ସହିତ ମୁହଁ ଖୋଲିଲେ ଅଯଥାଟାରେ ବଦଳି କରାଯାଇ ବିଭିନ୍ନ କ୍ଷେତ୍ରରେ ହଇରାଣ ହରକତ କରାଯାଉଥିବା ଅଭିଯୋଗ ମଧ୍ୟ ଉଠିଛି।

ଏମାନଙ୍କ ପ୍ରମୁଖ ଦାବି ହେଲା…
– ଷ୍ଟିଭେଡୋର କର୍ମଚାରୀ ମାନଙ୍କୁ ଯେଉଁ ସୁବିଧା ସୁଯୋଗ ମିଳୁଛି ତାହା ତାଙ୍କୁ ମଧ୍ୟ ମିଳୁ।
– ସର୍ବନିମ୍ନ ଦରମା ୧୮ ହଜାର ଟଙ୍କା କରାଯାଉ।
– ଇପିଏଫ୍, ଇଏସଆଇ ଏବଂ ମାସିକ ଦରମା ଠିକ୍ ସମୟରେ ପ୍ରଦାନ କରାଯାଉ।

ଏହି ଆନ୍ଦୋଳନରେ ଲୋଡର୍ ଅପରେଟର୍ ଓ ସୁପର ଭାଇଜରମାନେ ବହୁଳ ପରିମାଣରେ ସାମିଲ ହୋଇଛନ୍ତି। ବନ୍ଦର ମଧ୍ୟରେ କାର୍ଯ୍ୟ କରୁଥିବା ପ୍ରାୟ ୧୨ରୁ ୧୫ଟି ଷ୍ଟିଭେଡୋର୍ସ କମ୍ପାନୀଙ୍କ ଅଧୀନରେ ଥିବା ପ୍ରାୟ ୨ ହଜାର କର୍ମଚାରୀ ଓ ଶ୍ରମିକ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଶ୍ରମିକ ଓ କର୍ମଚାରୀମାନେ ନିଜ ନିଜ କମ୍ପାନୀର ୱାର୍କସପ୍ ସମ୍ମୁଖରେ କାର୍ଯ୍ୟ ବନ୍ଦ କରି ଧାରଣାରେ ବସିଛନ୍ତି। ଫଳରେ ପାରାଦୀପ ବନ୍ଦରରେ ପଣ୍ୟ ବୋଝେଇ ଓ ଖଲାସ କାର୍ଯ୍ୟରେ କେତେକ ସ୍ଥାନରେ ଅଚଳାବସ୍ଥା ଦେଖାଦେଇଛି। ଯେ ପର୍ଯ୍ୟନ୍ତ ଷ୍ଟିଭେଡୋର କମ୍ପାନୀମାନେ ଏହାର ସ୍ଥାୟୀ ସମାଧାନ ନ କରିଛନ୍ତି ଆନ୍ଦୋଳନ ଜାରି ରହିବ ବୋଲି ଠିକା ଉପକରଣ ଶ୍ରମିକ ଓ କର୍ମଚାରୀମାନେ କହିଛନ୍ତି।

Previous ArticleNext Article

Send this to a friend