ଜଗତସିଂହପୁର: ପାରାଦୀପ ଆଇଓସିଏଲ୍ରେ ଶ୍ରମିକ ଅଶାନ୍ତି ଦେଖାଦେଇଛି। ୭ଦଫା ଦାବି ନେଇ ଆଜି ଠିକା ଶ୍ରମିକମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଶତାଧିକ ଶ୍ରମିକ କଳା ପତାକା ଧରି ଆଇଓସିଏଲ୍ ପ୍ରଶାସନିକ ଭବନଠାରୁ ଏକ ରାଲିରେ ବାହାରି ୪ ନମ୍ବର ଗେଟ ପର୍ଯ୍ୟନ୍ତ ଯାଇଥିଲେ। ସେଠାରେ କମ୍ପାନୀ କର୍ତ୍ତୃପକ୍ଷ ଓ ଠିକାଦାରଙ୍କ ବିରୋଧରେ ନାରାବାଜି ଦେଇଥିଲେ।
ମାସକୁ ମାସ ନିୟମିତ ଦରମା ପ୍ରଦାନ, ଇପିଏଫ୍ ଓ ଇଏସ୍ଆଇ ରାଶି ପ୍ରତିମାସରେ ଜମାକରିବା, ପୁରୁଣା ଶ୍ରମିକଙ୍କୁ ଚାକିରିରୁ ବାହାର ନ କରିବା, ଠିକାଦାର ଓ ଆଇଓସିଲ୍ କର୍ତ୍ତୃପକ୍ଷଙ୍କ ମନମୁଖି ଶାସନ ବନ୍ଦ କରିବାକୁ ସଂଘ ଦାବି କରିଛି। ଏନେଇ ପୂର୍ବରୁ ମଧ୍ୟ ସଂଘ ଦାବି ଉପସ୍ଥାପନ କରିଥିଲା। ତେବେ ଆଇଓସିଏଲ୍ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ଗ୍ରହଣ ନକରିବାରୁ ସଂଘ ପୁଣି ଥରେ ଆନ୍ଦୋଳନକୁ ଓହ୍ଲାଇଛି। ଦାବି ପୂରଣ ନହେବା ପର୍ଯ୍ୟନ୍ତ ପ୍ରତିଦିନ ଡ୍ୟୁଟିକୁ ଯିବା ପୂର୍ବରୁ ଠିକା ଶ୍ରମିକମାନେ ଏଭଳି ବିକ୍ଷୋଭ ପ୍ରଦର୍ଶନ କରିବେ ବୋଲି ଧମକ ଦେଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।