ମହାନଦୀ ଜଳ ବିବାଦ: ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂହଙ୍କ କୁଶପୁତ୍ତଳିକା ଦାହ କଲା ବିଜେଡି  

bjd

ଭୁବନେଶ୍ୱର: ମହାନଦୀ ଉପମୁଣ୍ଡରେ ଛତିଶଗଡ଼ ସରକାରଙ୍କ ବ୍ୟାରେଜ ନିର୍ମାଣକୁ ବିରୋଧ କରି ଆଜି ବିଜେଡି ପକ୍ଷରୁ ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ଛକରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂହଙ୍କ କୁଶପୁତ୍ତଳିକ ଦାହ  କରାଯାଇଛି। ଏହାଛଡ଼ା ବିଜେଡି କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ମହାନଦୀ ବିବାଦ ସମାଧାନ ନ ହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହି଼ବ ବୋଲି ଦଳ ପକ୍ଷରୁ କୁହାଯାଇଛି। ଏହି ରାଲିରେ ବିଜେଡି ବିଧାୟକ ପ୍ରିୟଦର୍ଶୀ ମିଶ୍ର, ବିଜୟ ମହାନ୍ତି, ମେୟର ଅନନ୍ତ ନାରାୟଣ ଜେନା ଓ ବହୁ କର୍ମୀ ସାମିଲ ହୋଇଥିଲେ।

ବିଜେଡି ବିଧାୟକ ପ୍ରିୟଦର୍ଶୀ ମିଶ୍ର କହିଛନ୍ତି,“କେନ୍ଦ୍ର ସରକାରଙ୍କ ଚକ୍ରାନ୍ତରେ ଛତିଶଗଡ଼ ସରକାର ମହାନଦୀ ପାଣିକୁ ବନ୍ଦ କରିଛି। କେନ୍ଦ୍ର ସରକାରଙ୍କ ଜରିଆରେ ଛତିଶଗଡ଼ ନିର୍ମାଣ କରୁଥିବା ବ୍ୟାରେଜ ନିର୍ମାଣ ବନ୍ଦ କରାଯାଉ ବୋଲି ଓଡ଼ିଶା ପକ୍ଷରୁ ବାରମ୍ବାର ଅନୁରୋଧ ସ୍ୱତ୍ତ୍ୱେ କୌଣସି  ପଦକ୍ଷେପ ନିଆଯାଇ ନାହିଁ।”

ସେ କହିଛନ୍ତି, “ଛତିଶଗଡ଼ ସରକାର ଓଡ଼ିଶା ପ୍ରତି ଶତ୍ରୁତା ଭାବ ଆଚରଣ ପ୍ରଦର୍ଶନ କରୁଥିବା ବେଳେ କେନ୍ଦ୍ର ସରକାର ବୈମାତୃକ ମନୋଭାବ ପୋଷଣ କରୁଛନ୍ତି। କେନ୍ଦ୍ର ଓ ଛତିଶଗଡ଼ ସରକାରଙ୍କ ସଲାସୁତରାରେ ଏହି କାମ ହେଉଛି। ଛତିଶଗଡ଼ ସରକାରଙ୍କ ଏହି କାର୍ଯ୍ୟକଳାପକୁ ଆମେ ବିରୋଧ କରୁଛୁ।”

ଛତିଶଗଡ଼ ଜଳସମ୍ପଦ ମନ୍ତ୍ରୀ ବ୍ରୀଜମୋହନ ଅଗ୍ରୱାଲ କହିଛନ୍ତି,“ଦୁଇ ରାଜ୍ୟ ବସିଲେ ମହାନଦୀ ଜଳ ବିବାଦ  ସମାଧାନ  ହୋଇପାରିବ। କିନ୍ତୁ ଓଡ଼ିଶା ସରକାର ଏହା ନ କରି ଟ୍ରିବ୍ୟୁନାଲ ଓ ସୁପ୍ରିମ୍‌କୋର୍ଟର ଧମକ ଦେଇ ମାମଲାକୁ ଝୁଲାଇ ରଖିବାକୁ ଚେଷ୍ଟା କରୁଛନ୍ତି। ଓଡ଼ିଶା ସରକାର ରାଜନୈତିକ ଲାଭ ପାଇଁ ଏଭଳି କରୁଛନ୍ତି।”

ବିଜେଡି ମୁଖପାତ୍ର ପ୍ରତାବ ଦେବ କହିଛନ୍ତି,“ଛତିଶଗଡ଼ ଜଳ ସମ୍ପଦ ମନ୍ତ୍ରୀଙ୍କ ଉକ୍ତିକୁ ମୁଁ ବୁଝିପାରୁ ନାହିଁ। ଗୋଟିଏ ପଟରେ ରାଜନୈତିକ କରଣ କଥା କହୁଥିବା ବେଳେ  ଅନ୍ୟପଟରେ ଆମେ ହାରଯିବୁ ବୋଲି କହୁଛନ୍ତି। ଆମ ପାଖରେ  ସମସ୍ତ ତଥ୍ୟ ଅଛି ବୋଲି ଆମେ କୋର୍ଟ ଯାଇଛୁ। ”

ଅନ୍ୟ ପକ୍ଷରେ ମହାନଦୀ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଟ୍ରିବ୍ୟୁନାଲ ଗଠନ ଦାବିକୁ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମର୍ଥନ କରିଛନ୍ତି।

ସେ କହିଛନ୍ତି, “ମହାନଦୀ  ଜଳ ନେଇ  ରାଜ୍ୟ ସରକାର ଟ୍ରିବ୍ୟୁନାଲ ଗଠନ  ଦାବି ଯୁକ୍ତିଯୁକ୍ତ। କେନ୍ଦ୍ର ଏନେଇ ପଦକ୍ଷେପ ଗ୍ରହଣ କରିବ। ଛତିଶଗଡ଼ ସରକାର ଅନ୍ୟାୟ କରୁଛି ଓ ଓଡ଼ିଶାର ସ୍ୱାର୍ଥକୁ ଅଣଦେଖା କରୁଛି ବୋଲି ରାଜ୍ୟ ସରକାର କେନ୍ଦ୍ର ସରକାର ପାଖରେ ଜଣାଇଛନ୍ତି। ”

ସେ ଆହୁରି କହିଛନ୍ତି, “ଓଡ଼ିଶାରେ ଏକ ଅପାରଗ ଓ ସ୍ଥାଣୁ ସରକାର ଅଛି। କାହିଁକି ଓଡ଼ିଶାରେ ନଗଡ଼ା ସ୍ଥିତି ଉପୁଜିଛି? ଦାନ ମାଝୀ ସ୍ତ୍ରୀର ଶବକୁ କାନ୍ଧରେ ବୋହିବା, ମାଲକାନଗିରି ଆଦିବାସୀ ଅଞ୍ଚଳରେ ଶିଶୁ ମଡ଼କ ଦେଖାଦେବା, ରାଜ୍ୟରେ ସ୍ୱାସ୍ଥ୍ୟ ଓ ପ୍ରାଥମିକ ସେବା ବିପର୍ଯ୍ୟସ୍ତ ଏବଂ ୪୦ରୁ ୫୦ ଭାଗ ଲୋକଙ୍କ ଘରେ ବିଜୁଳି କ’ଣ ପାଇଁ  ପହଞ୍ଚିନାହିଁ  ନବାନ ସରକାର ଏହାର ଜବାବ ଦିଅନ୍ତୁ।”

Previous ArticleNext Article

Send this to a friend