ନୂଆଦିଲ୍ଲୀ: ମହାନଦୀରେ ଛତିଶଗଡ଼ର ପ୍ରକଳ୍ପ ନିର୍ମାଣ ବନ୍ଦ ଓ ଓଡ଼ିଶାକୁ ଏହାର ହକ୍ ଦେବା ପାଇଁ ଦିଲ୍ଲୀରେ ଲଢ଼େଇ ଆରମ୍ଭ ହୋଇଛି। ଆଗାମୀ ଓଡ଼ିଶା ପକ୍ଷରୁ ଜନ୍ତରମନ୍ତରରେ ଚାଲିଥିବା ଧାରଣାରେ ଆଜି ସାମିଲ ହୋଇଥିଲେ ଅନେକ ବିଜେଡି ସାଂସଦ ଓ କଂଗ୍ରେସର ବରିଷ୍ଠ ନେତା।
ଆଜି ଧାରଣାର ଦ୍ୱିତୀୟ ଦିନ ହୋଇଥିବା ବେଳେ ଆନ୍ଦୋଳନକାରୀଙ୍କ ଉତ୍ସାହ ବର୍ଦ୍ଧନ ପାଇଁ ପହଞ୍ଚିଥିଲେ ସାଂସଦ ତଥାଗତ ସତପଥୀ, କୁଳମଣି ସାମଲ, ପ୍ରତାବ ଦେବ, ଲଡୁକିଶୋର ସ୍ୱାଇଁ, ପ୍ରଭାସ ସିଂହ ଓ ନଗେନ୍ଦ୍ର ପ୍ରଧାନ। କଂଗ୍ରେସର ପୁରୁଖା ନେତା ନିରଞ୍ଜନ ପଟ୍ଟନାୟକ ମଧ୍ୟ ଧାରଣାସ୍ଥଳକୁ ଯାଇ ବସିଥିଲେ। ଜଳ ମାନବ ଭାବେ ପରିଚିତ ରାଜେନ୍ଦ୍ର ସିଂହଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ମଧ୍ୟ ଆଜି ଧାରଣାରେ ସାମିଲ ହୋଇଥିଲେ। ତେବେ ରାଜ୍ୟ ବିଜେପି ନେତା ଓ ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମ ଧାରଣାସ୍ଥଳକୁ ଆସିନଥିବାରୁ ଆନ୍ଦୋଳନକାରୀ ନିରାଶ ହୋଇଛନ୍ତି। ରାଜ୍ୟର ସ୍ୱାର୍ଥ ରକ୍ଷା ଲାଗି ଏହା ଏକ ସାମୂହିକ କାର୍ଯ୍ୟକ୍ରମ ହୋଇଥିବାରୁ ବିଜେପିର ରାଜ୍ୟ ନେତାଙ୍କ ସମେତ ଦୁଇ କେନ୍ଦ୍ର ମନ୍ତ୍ରୀଙ୍କୁ ମଧ୍ୟ ଆମନ୍ତ୍ରଣ କରାଯାଇଥିବା ଆୟୋଜକ କହିଛନ୍ତି। ସେପଟେ ମହାନଦୀ ବଞ୍ଚିଲେ ଓଡ଼ିଶା ବଞ୍ଚିବ ବୋଲି କହିଥିଲେ ବିଜେଡି ସାଂସଦ ପ୍ରଭାସ ସିଂହ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।