୩୦ରୁ ଭୁବନେଶ୍ୱରର ଜନତା ମଇଦାନରେ ଅନୁଷ୍ଠିତ ହେବ ମେକ୍ ଇନ୍‌ ଓଡ଼ିଶା କନକ୍ଲେଭ

make

ଭୁବନେଶ୍ୱର: ଆସନ୍ତା ୩୦ରୁ ଡିସେମ୍ବର ୨ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରର ଜନତା ମଇଦାନରେ ଅନୁଷ୍ଠିତ ହେବ ମେକ୍ ଇନ୍‌ ଓଡ଼ିଶା କନକ୍ଲେଭ। ୩୦ତାରିଖ ସଂଧ୍ୟାରେ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ମଧ୍ୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ବୋଲି ଏକ ସାମ୍ବାଦିକ ସମ୍ମଳନୀରେ ଶିଳ୍ପମନ୍ତ୍ରୀ ଦେବୀ ମିଶ୍ର ସୂଚନା ଦେଇଥିଲେ। ଏଥିରେ ଟେକ୍ସଟାଇଲ, ଆପାରେଲ, ଫୁଡ଼ ପ୍ରୋସେସିଂ, କେମିକାଲ ଓ ପେଟ୍ରୋକେମିକାଲ, ଟୁରିଜିମ, ସ୍କିଲ ଡେଭଲପମେଣ୍ଟ, ଡାଉନଷ୍ଟ୍ରିମ ଏମ୍‌ଏସ୍‌ଏମଇ ଓ ସ୍ମାଟସିଟି ପ୍ରଭୃତି ୮ଟି ପ୍ରସ୍ତାବକୁ ପ୍ରାଧାନ୍ୟ ଦିଆଯାଇଛି।

ଏଥିରେ ରାଜ୍ୟ ଓ ରାଜ୍ୟ ବାହାରର ଅନେକ ଶିଳ୍ପଦ୍ୟୋଗୀ ଯୋଗ ଦେବେ। ଶିଳ୍ପଦ୍ୟୋଗୀମାନଙ୍କ ପାଇଁ ଓଡ଼ିଶାରେ ଏହି ସବୁ କ୍ଷେତ୍ରରେ ଥିବା ସୁବିଧା ଓ ସୁଯୋଗ ସହିତ ସରକାରଙ୍କ ଶିଳ୍ପନୀତି ଉପରେ ଆଲୋଚନା ଓ କର୍ମଶାଳା ପ୍ରଭୃତି ଅନୁଷ୍ଠିତ ହେବ। ଶିଳ୍ପଦ୍ୟୋଗୀମାନଙ୍କୁ ଆକୃଷ୍ଟ କରିବା ପାଇଁ ଶିଳ୍ପନୀତି ସହିତ ବିଭିନ୍ନ ବିଭାଗ ନୀତିକୁ ମଧ୍ୟ ପରିବର୍ତ୍ତନ କରାଯାଇଥିବା କହିଛନ୍ତି  ଶିଳ୍ପମନ୍ତ୍ରୀ।

ଏହି କନକ୍ଲେଭରେ ମୁଖ୍ୟମନ୍ତ୍ରୀ ମଧ୍ୟ ଶିଳ୍ପଦ୍ୟୋଗୀମାନଙ୍କ ସହିତ ଆଲୋଚନା କରିବେ। କନକ୍ଲେଭରେ ଏସବିଆଇ ଅଧ୍ୟକ୍ଷ ଅରୁନ୍ଧତି ଭଟ୍ଟାଚାର୍ଯ୍ୟ, ଆଦିତ୍ୟ ବିର୍ଲା ଗ୍ରୁପର ଅଧ୍ୟକ୍ଷ କୁମାର ମଙ୍ଗଳମ ବିର୍ଲା, ଏଲ ଆଣ୍ଡ ଟି ଗ୍ରୁପର ଏକ୍ୟୁଟିଭ ଚେୟାରମ୍ୟାନ ଏମ.ଏମ୍‌. ନାୟକ ଓ ଅରଦାନୀ ଗ୍ରୁପର ଅଧ୍ୟକ୍ଷ ଗୌତମ  ଆଦାନୀ, ବିଶିଷ୍ଠ ଶିଳ୍ପପତିମାନଙ୍କ ସହିତ ଦେଶର ନାମିଦାମୀ କମ୍ପାନୀର ଅଧିକାରୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏଥିରେ ପ୍ରାୟ ୧୦୦ରୁ ଅଧିକ କମ୍ପାନୀ ସେମାନଙ୍କ ଉତ୍ପାଦ ପ୍ରଦର୍ଶିତ କରିବେ। ରାଜ୍ୟରେ ଅଧିକ ଶିଳ୍ପ ପ୍ରତିଷ୍ଠା, ପୁଞ୍ଜିବିନିଯୋଗ ଓ ଅଧିକ ନିଯୁକ୍ତି ସୃଷ୍ଟି ଉଦ୍ଦେଶ୍ୟରେ ପ୍ରଥମ ଥର ପାଇଁ ଏହି କନକ୍ଲେଭର ଆୟୋଜନ କରୁଛି ରାଜ୍ୟ ଶିଳ୍ପ ବିଭାଗ।

Previous ArticleNext Article

Send this to a friend