ଆଞ୍ଚଳିକ ଦଳଙ୍କୁ ନେଇ ମେଣ୍ଟ କରିବେ କି ନବୀନ ?

Naveen

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସଂଘୀୟ ବ୍ୟବସ୍ଥାକୁ ମଜବୁତ କରିବା ଲାଗି ଆଞ୍ଚଳିକ ଦଳଗୁଡ଼ିକ ଭିତରେ ସମନ୍ୱୟ ରହିବା ଆବଶ୍ୟକ। ଏପରି ମନ୍ତବ୍ୟ ଦେଇଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନବୀନଙ୍କ ଏପରି ମନ୍ତବ୍ୟ ଆସିବା ପରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

ଆଜି ନ୍ୟୁଜ୍‌ ଏଜେନ୍ସି ପିଟିଆଇକୁ ଏକ ସାକ୍ଷାତକାର ଦେଇ ନବୀନ ଏପରି ମନ୍ତବ୍ୟ ଦେଇଛନ୍ତି। ଯଦିଓ ନବୀନ ଅନ୍ୟ ଆଞ୍ଚଳିକ ଦଳ ସହ ସଂପର୍କକୁ ରାଜ୍ୟର ସ୍ୱାର୍ଥ ଭିତରେ ସୀମିତ ରଖିଛନ୍ତି। ତଥାପି ଏହା ଭବିଷ୍ୟତରେ ଏକ ନୂଆ ରାଜନୈତିକ ମେଣ୍ଟ ପାଇଁ ବାଟ ଫିଟାଇ ପାରେ ବୋଲି ରାଜନୈତିକ ପଣ୍ଡିତମାନେ ମତ ଦେଇଛନ୍ତି।

ନବେ ଦଶକରେ ଜାତୀୟ ଦଳ ବିରୋଧରେ ଏକାଠି ହୋଇଥିଲେ ଏକାଧିକ ଆଞ୍ଚଳିକ ଦଳ। ଏଥିପାଇଁ ପ୍ରବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକ ମୁଖ୍ୟ ଭୂମିକା ନେଇଥିଲେ। ଜାତୀୟ ରାଜନୀତିରେ ଦୁଇ ଦୁଇ ଥର ଜନତା ପରିବାର ଏକାଠି କରିଥିଲା ଅନେକ ସମଭାବାପନ୍ନ ଆଞ୍ଚଳିକ ଦଳକୁ। ଏବେ ନବୀନଙ୍କ ମନ୍ତବ୍ୟ ନବେ ଦଶକର ସ୍ଥିତିକୁ ପୁଣି ତାଜା କରିଛି। ଏବେ ବିଜେପି ବିରୋଧରେ ପୁଣି ଏହି ଅଧ୍ୟାୟର ପୁନରାବୃତ୍ତି ହେବ କି ? ଯଦିଓ ଏ ପ୍ରଶ୍ନର ସିଧା ଉତ୍ତର ରଖିନାହାଁନ୍ତି ନବୀନ, ତେବେ ଏତିକି କହିଛନ୍ତି, ସଂଘୀୟ ବ୍ୟବସ୍ଥାକୁ ସୁଦୃଢ କରିବାକୁ ଆଞ୍ଚଳିକ ଦଳ ଭିତରେ ସମନ୍ୱୟ ଆବଶ୍ୟକ।

ସଂସଦରେ ମହାନଦୀ ପ୍ରସଙ୍ଗରେ ତୃଣମୂଳ କଂଗ୍ରେସର ସମର୍ଥନ ଓ ପୋଲାଭରମ ପ୍ରସଙ୍ଗରେ ତେଲେଙ୍ଗାନା ରାଷ୍ଟ୍ର ସମିତି ବା ଟିଆରଏସ୍‌ର ସମର୍ଥନ ଦୃଷ୍ଟିରୁ ଏ ଦୁଇ ଆଞ୍ଚଳିକ ଦଳକୁ ଧନ୍ୟବାଦ ଦେଇଛନ୍ତି ନବୀନ। ଏହାକୁ ନଜରରେ ରଖିଲେ, ଆଗକୁ ବିଜେପି ବିରୋଧରେ ଲଢେଇ ପାଇଁ ବିଜେଡି, ଟିଏମସି, ଟିଆରଏସ ପରି କିଛି ଆଞ୍ଚଳିକ ଦଳ ଏକ ହେବା  ସମ୍ଭାବନାକୁ ବି ଏଡାଇ ଦିଆଯାଇ ନପାରେ।

ଆଞ୍ଚଳିକ ଦଳର ମେଣ୍ଟ ସମ୍ଭାବନାକୁ ନେଇ କଟାକ୍ଷ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ କହିଛନ୍ତି- “ଚିଟଫଣ୍ଡ କେଳେଙ୍କାରୀ ଭାବେ ମମତା ଓ ନବୀନଙ୍କ ମେଣ୍ଟକୁ ବିଜେପି ସ୍ୱାଗତ କରିବ। କେବଳ ମମତା ନୁହେଁ ଆଉ ଏକ ଆଞ୍ଚଳିକ ଦଳ ଭାବେ ଲାଲୁଙ୍କ ଆରଜେଡି ସହ ନବୀନ ହାତ ମିଶାଇଲେ ଲୋକ ବିଜେଡିକୁ ଜବାବ ଦେବେ।”

କଂଗ୍ରେସ ମଧ୍ୟ ଏହା ନବୀନଙ୍କ ଦୋମୁହାଁ ନୀତିକୁ ପ୍ରମାଣିତ କରୁଛି ବୋଲି କହିଛି।

ସୂଚନାଯୋଗ୍ୟ, ଶରଦ ଯାଦବ ଓ ନିତିଶ କୁମାର ଗତ ମାର୍ଚ୍ଚ ୭ରେ ନବୀନଙ୍କୁ ଭେଟିବା ସମୟରେ ବି ଜନତା ପରିବାର ଏକାଠି ହେବା ନେଇ ଚର୍ଚ୍ଚା ଉଠିଥିଲା। ହେଲେ ଉଭୟ ଶରଦ ଓ ନିତିଶ ଏହାକୁ ଖଣ୍ଡନ କରିଥିଲେ। ନୀତିଶ ଏବେ ମୋଦିଙ୍କ ଏନଡିଏ ମେଣ୍ଟରେ। ସେହିପରି ଟିଆରଏସ୍ ବି ରହିଛି ଏନଡିଏରେ। ତେବେ ପ୍ରଶ୍ନ ଉଡୁଛି, ମମତାଙ୍କ ଟିଏମସି ପରି ଆଉ କେଉଁ ଆଞ୍ଚଳିକ ଦଳକୁ ଗୋଟିଏ ଛତା ତଳକୁ ଆଣି ପାରିବେ ନବୀନ।

Previous ArticleNext Article

Send this to a friend