ବିରି ମାଡ଼ ଦେଖି କୋଳଥ ଚୋପା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡିଶାରେ ନୂଆବର୍ଷକୁ ସ୍ୱାଗତ କରିବା ପାଇଁ ଅନେକ ସ୍ଥାନରେ ପ୍ରସ୍ତୁତି ଆରମ୍ଭ ହୋଇଛି। ହେଲେ ସରକାରଙ୍କୁ ଘାରିଛି ସୁରକ୍ଷା ଚିନ୍ତି। ଜିରୋ ନାଇଟ ସେଲିବ୍ରେସନ୍‌ ବେଳେ ଯଦି କିଛି ଅଘଟଣ ଘଟେ, ତାହେଲେ କ’ଣ କରାଯିବ ସେ ନେଇ ପ୍ରସ୍ତୁତ ହେଲାଣି ଅଗ୍ନିଶମ ବିଭାଗ। ନିକଟରେ ରାଷ୍ଟ୍ରୟ ବିତ୍ତିର ରାଜଧାନୀ ମୁମ୍ବାଇର ଏକ ହୋଟେଲରେ ଘଟିଥିବା ଅଗ୍ନିକାଣ୍ଡକୁ ଦେଖି ଆମ ସରକାର ବୋଧେ ଡରି ଯାଇଛନ୍ତି। ଓଡ଼ିଆରେ କଥା ଅଛି ବିର ମାଡ଼ ଦେଖି କୋଳଥ ଚୋପା। ଏହି କଥାଟି ଏଠାରେ ପ୍ରଯୁଜ୍ୟ ମନେ ହେଉଛି। ନ ଚେତ୍‌ ବେଳେ ନାହିଁ କି କାଳେ ନାହିଁ ହଠାତ୍‌ ଏ କଥା କାହିଁକି ମନେ ପଡିଲା ବୋଲି ପ୍ରଶ୍ନ କରିଛନ୍ତି ରାଜ୍ୟବାସୀ।

ଆସନ୍ତାକାଲି ରାଜଧାନୀର ବିଭିନ୍ନ ହୋଟେଲ୍‌ରେ ଜିରୋ ନାଇଟ ସେଲିବ୍ରେସନ ହେବ। ରଙ୍ଗିନ ଆଲୋକମାଳା ଝଲସିବ ରାଜଧାନୀର ହୋଟେଲ, ପବ୍ ଓ  କ୍ଲବ୍। ଏସବୁ ସ୍ଥାନରେ କେମିତି ରହିଛି ଅଗ୍ନି ସୁରକ୍ଷା ବ୍ୟବସ୍ଥା ଜାଣିବା ପାଇଁ ତତ୍ପର ହୋଇପଡିଛି ରାଜ୍ୟ ଅଗ୍ନିଶମ ବିଭାଗ। ନୂଆବର୍ଷ ସେଲିବ୍ରେସନ୍‌ ପାର୍ଟି ଆୟୋଜନ ହେଉଥିବା ରାଜ୍ୟର ପ୍ରମୁଖ ହୋଟେଲ, ପବ୍, ବାର ଓ କ୍ଲବରେ ଆଜି ନିଆଁ ଲିଭା ବ୍ୟବସ୍ଥାର ଯାଞ୍ଚ କରାଯାଇଛି। ଏହି ଯାଞ୍ଚ କେବଳ ରାଜଧାନୀରେ କରାଯାଇ ଯାଇନି। କଟକ, ରାଉରକେଲା, ସମ୍ବଲପୁର, ପୁରୀ ଓ ବ୍ରହ୍ମପୁରରେ ମଧ୍ୟ ସ୍ଥିତି ପରଖିଛି ଅଗ୍ନିଶମ ବିଭାଗ। ଯାଞ୍ଚ ବେଳେ କେତେ ସ୍ଥାନରେ ଉପଯୁକ୍ତ ବ୍ୟବସ୍ଥା ନଥିବା ଜଣାପଡିଛି। ତେବେ ଜିରୋ ନାଇଟ୍ ସେଲିବ୍ରେସନ ପୂର୍ବରୁ ଏହାକୁ ବ୍ୟବସ୍ଥିତ କରିବା ଲାଗି ଅଗ୍ନିଶମ ଡିଜି ବିଜୟ କୁମାର ଶର୍ମା ନିର୍ଦ୍ଦେଶ ଦେଇଛନ୍ତି।

ଏପଟେ ଜିରୋ ନାଇଟ ସେଲିବ୍ରେସନ୍ ପାଇଁ ଜୋରସୋରରେ ଚାଲିଛି ପ୍ରସ୍ତୁତି। ଡିଜେ, ଡ୍ୟାନସ ସାଙ୍ଗକୁ ହୋଇଛି ଚକମକିଲା ଭଳି ଆଲୋକ ସଜ୍ଜା। ଅନେକ ସ୍ଥାନରେ ଆୟୋଜକ ରାଜ୍ୟ ବାହାରୁ କଳାକାରଙ୍କୁ ଆଣିଛନ୍ତି। ମ୍ୟୁଜିକ ଓ ମସ୍ତି ସାଙ୍ଗକୁ ଖାଦ୍ୟପେୟର ଭଳିକୁ ଭଳି ମେନୁ ବି ପ୍ରସ୍ତୁତ ହୋଇଛି। କପଲ, ସିଙ୍ଗଲ ଓ ୟଙ୍ଗଷ୍ଟାରଙ୍କ ପାଇଁ ଭିନ୍ନ ଭିନ୍ନ ରେଟ ଚାର୍ଟ ରଖାଯାଇଛି। ଏସବୁ ଭିତରେ ଅଗ୍ନିଶମ ବିଭାଗର ଫାୟାର ସେଫ୍ଟି ଯାଞ୍ଚକୁ ଆୟୋଜକ ସ୍ୱାଗତ କରିଛି।

Previous ArticleNext Article

Send this to a friend