ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର): ମହାବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟକୁ ମୁକାବିଲା କରିବାରେ ଓଡ଼ିଶା ସଫଳ ହୋଇଥିଲା। ସେଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ‘ଆଉଟ୍ଲୁକ୍’ ପତ୍ରିକା ଦେଶର ସର୍ବଶ୍ରେଷ୍ଠ ପ୍ରଶାସକ ଭାବେ ଘୋଷଣା କରିଛି। ମହାରାଷ୍ଟ୍ର ଓ ପଶ୍ଚିମବଙ୍ଗ ପରି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ପଛରେ ପକାଇ ନବୀନ ଏହି ମୁକୁଟ ପିନ୍ଧିଛନ୍ତି। କିନ୍ତୁ ନବୀନଙ୍କର ଏହି ଦକ୍ଷତାକୁ ସନ୍ଦେହ ଦୃଷ୍ଟିରେ ଦେଖିଛନ୍ତି ବିରୋଧୀ। ରାଜ୍ୟର ପ୍ରମୁଖ ରାଜନୈତିକ ଦଳ ବିଜେପି ଓ କଂଗ୍ରେସ କହିଛନ୍ତି, ଯେଉଁଠି ବିକାଶର ସ୍ତର ‘ନଗଡ଼ା’ ଭଳି ହୋଇଛି, ସେଠି କେଉଁ ପାରାମିଟରରେ ମୁଖ୍ୟମନ୍ତ୍ରୀ ସର୍ବଶ୍ରେଷ୍ଠ ପ୍ରଶାସକ ହେଲେ? ଏହା ଏକ ପ୍ରାୟୋଜିତ କାର୍ଯ୍ୟକ୍ରମ ନୁହେଁ ତ ?
ନବୀନଙ୍କୁ ବିଜେତା ଘୋଷଣା କରାଯିବା ପରେ ପଢ଼ନ୍ତୁ କିଏ କ’ଣ କହିଛନ୍ତି?
ବିଜେପି ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି- “ଓଡ଼ିଶା ପ୍ରଦେଶରେ ବିକାଶ ହେଉନାହିଁ। କିନ୍ତୁ ଇଂରାଜୀ ପତ୍ରିକା ‘ଆଉଟଲୁକ୍’ କେଉଁ ଆଧାରରେ ନବୀନ ପଟ୍ଟନାୟକଙ୍କୁ ସର୍ବଶ୍ରେଷ୍ଠ ପ୍ରଶାସକ ଭାବେ ବିବେଚନା କଲା ତାହା ଜଣାପଡ଼ୁ ନାହିଁ। ଏହା ପୂରାପୂରି ଏକ ପ୍ରାୟୋଜିତ କାର୍ଯ୍ୟକ୍ରମ।”
ସେହିପରି ବରିଷ୍ଠ କଂଗ୍ରେସ ନେତା ଶରତ ରାଉତ କହିଛନ୍ତି- “ସ୍ୱାସ୍ଥ୍ୟ, ଶିକ୍ଷା ଓ ଶାସନ ପରି ସବୁଥିରେ ଓଡ଼ିଶା ବହୁ ପଛରେ ପଡ଼ିଛି। ତେଣୁ କେଉଁ ଆଧାରରେ ତାଙ୍କୁ ମନୋନୟନ କରାଗଲା ତାହା ଜଣାପଡ଼ୁନି। ଏହା ସମ୍ପୂର୍ଣ୍ଣ ପ୍ରାୟୋଜିତ କାର୍ଯ୍ୟକ୍ରମ। ମୁଖ୍ୟମନ୍ତ୍ରୀ ସେଠି ନିଜକୁ ବେଷ୍ଟ୍ ବୋଲି ପ୍ରମାଣିତ କରୁଛନ୍ତି। ମାତ୍ର ଏଠି ଫେଲ୍ ହେଉଛନ୍ତି।”
ବିଜେଡି ମୁଖପାତ୍ର ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି- “ଆଉଟ୍ଲୁକ୍ ଦ୍ୱାରା କରାଯାଇଥିବା ଅନ୍ଲାଇନ୍ ସର୍ଭେରେ ମୁଖ୍ୟମନ୍ତ୍ରୀଙ୍କୁ ସର୍ବଶ୍ରେଷ୍ଠ ଭାବେ ଚୟନ କରାଯାଇଛି।”
୫ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ପଛରେ ପକାଇଲେ ନବୀନ
ଇଂରାଜୀ ପତ୍ରିକା ଆଉଟଲୁକ୍ ପକ୍ଷରୁ କରାଯାଇଥିବା ନବୀନ ସର୍ବଶ୍ରେଷ୍ଠ ତାଲିକାରେ ଅଛନ୍ତି। ସେ ଅନ୍ଲାଇନ୍ ଭୋଟିଂରେ ୫ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ପଛରେ ପକାଇ ଏହି ସମ୍ମାନର ଅଧିକାରି ହୋଇଛନ୍ତି। ଏହି ରେସ୍ରେ ଥିଲେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିଶ୍, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ତ୍ରିପୁରା ମୁଖ୍ୟମନ୍ତ୍ରୀ ମାଣିକ ସରକାର, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମାୟା। ଆଉଟ୍ଲୁକ୍ ପକ୍ଷରୁ ଦର୍ଶାଯାଇଛି ଯେ, ନବୀନଙ୍କ ପ୍ରଶାସକ ଭାବେ ଓଡିଶାରେ ଭଲ କାମ କରିଛନ୍ତି। ମହାବାତ୍ୟା ପରି ପ୍ରାକୃତିକ ବପିର୍ଯ୍ୟୟରେ ଉଲ୍ଲେଖନୀୟ କାମ କରିଥିବାରୁ ସେ ପ୍ରଶଂସନୀୟ।
ଗତ ପଞ୍ଚାୟତ ନିର୍ବାଚନରେ ବିଜେଡିକୁ ଝଟ୍କା ମିଳିଥିଲା। ଫଳରେ ଦଳୀୟ ନେତାଙ୍କ ମଧ୍ୟରେ ନୈରାଶ୍ୟ ଖେଳି ଯାଇଥିବା ବେଳେ ରାଜ୍ୟର ପ୍ରମୁଖ ବିରୋଧୀ ଭାବେ ବିଜେପି ଉଭା ହୋଇଥିଲା। ତେବେ ଏହାର ମୁକାବିଲା ପାଇଁ ବିଜେଡିକୁ ମିଳିଛି ଆଉଏକ ନୂଆ ଅସ୍ତ୍ର। ପ୍ରତିଷ୍ଠିତ ଇଂରାଜୀ ପତ୍ରିକା ‘ଆଉଟ୍ଲୁକ୍’ ପକ୍ଷରୁ ଦେଶରେ କରାଯାଇଥିବା ସର୍ଭେରେ, ଶ୍ରେଷ୍ଠ ପ୍ରଶାସକ ବିବେଚିତ ହୋଇଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାର ଫାଇଦା ନେବା ପାଇଁ ଦଳ ଯୋଜନା କରିଛି। ଏପରିକି ନବୀନଙ୍କୁ ହିରୋ ଭାବେ ଦର୍ଶାଇ ସୋସିଆଲ୍ ମିଡ଼ିଆରେ ପ୍ରଚାର ଆରମ୍ଭ କରାଯାଇଛି। ନବୀନଙ୍କୁ ସ୍ୱାଗତ ସମ୍ୱର୍ଦ୍ଧନା ଦେବାକୁ ଦିଲ୍ଲୀ ଓ ଭୁବନେଶ୍ୱରରେ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।